Latest Odisha News

BREAKING NEWS

ଅଜ୍ଞାତ ଠିକଣା : ଅନ୍ତହୀନ ଅଭିବ୍ୟକ୍ତି

ପ୍ରତିଶ୍ରୁତି

ଶବ୍ଦ ନିଅଣ୍ଟ ପଡ଼େ ତୁମ ପାଇଁ ଅଭିବ୍ୟକ୍ତିର ଫର୍ଦ୍ଦ ତିଆରି କଲାବେଳେ । ଭାବର ଉଛୁଳା ପରିପ୍ରକାଶକୁ ଧରି ହୁଏନି ଶବ୍ଦର ଜାଲରେ । ରଙ୍ଗମାନେ ବି କମ୍ ଲୁଚକାଳି ଖେଳନ୍ତିନି ଉକୁଟେଇବା ପାଇଁ ତୁମକୁ କାନ୍ଭାସର ଦେହରେ ।ଇଚ୍ଛା କରେ ଜନ୍ମ ହେଉ ନୂଆ ନୂଆ ଶବ୍ଦ ଆଉ ରଙ୍ଗ ଯେପରିକି କୌଣସି ଗୋଟିଏ ଭାବ ଗୋପନୀୟ ହୋଇ ରହି ନଯାଉ ତୁମ ଓ ମୋ ଭିତରେ ।

କଳ୍ପନାର ଏନ୍ତୁଡ଼ିଶାଳରୁ ଜନ୍ମ ନେଉଥିବା ଅଗଣନ ଭାଵ ଯେତେବେଳେ ନିଜକୁ ଶବ୍ଦ କି ଭାବ ମାଧ୍ୟମରେ ପ୍ରକାଶ କରିବାକୁ ଇଚ୍ଛନ୍ତି ସେତେବେଳେ ବାସ୍ତବିକ୍ ଶବ୍ଦର , ରଙ୍ଗର ଅଭାବ ବେଶ ଅନୁଭୂତ ହୁଏ । ଅଭାବବୋଧଟେ ତିଆରି ହୁଏ ଅର୍ଥ ବ୍ୟାକୁଳତା ସଗର୍ବେ ଠିଆ ହୋଇଥାଏ । ତୁମେ ତଥାପି ଅପହଞ୍ଚ ଏହି ପ୍ରତ୍ୟୟ କେହି ଗୋଟେ ଲାଗିପଡ଼ି ଭିତରେ କେଉଁଠି ଦୃଢ଼ କରୁଥାଏ । ତୁମେ ଅପହଞ୍ଚ ଅଛ ଅର୍ଥ ମୋ ଭିତରେ ତୁମ ପାଇଁ ଅଜସ୍ର ଲୋଡ଼ିବାପଣ । ତହିଁରୁ କେବେ ଫୁଲ କେବେ କଣ୍ଟା ହୋଇ ଅନୁରାଗ ଓ ଅଭିମାନ ।

ଶେଷଥର ପାଇଁ ଚିଠିରେ କଣ ଲେଖିଥିଲି ମନେ ନାହିଁ ମୋର । ଚିଠିର ପ୍ରତ୍ୟୁତ୍ତରରେ ସାଉଁଟିଥିବା କିଛି ମନମୋହକ ଭାବକୁ ସ୍ୟାହି କରି ସଜିଲ କଲି ମନର କଲମକୁ ଯେ ସେ ଭିତରେ ନିଜକୁ ହଜେଇ ସାରିଲିଣି କେତେଥର ।

ଆଜିକାଲି ଖୁବ୍ ବେଶି ଵ୍ୟାକୁଳତା ତୁମ ହାତ ଉପରେ ହାତ ରଖି ସାରାଟା ପୃଥିବୀକୁ ତୁମ ଦୃଷ୍ଟିରେ ଦେଖିବାକୁ । ଖୁବ୍ ଇଚ୍ଛା ଅପଲକ ତୁମର ସେ ପ୍ରେମମୟ ଦୃଷ୍ଟିକୁ ମୋ ଆଖିର କ୍ୟାମେରାରେ ବାନ୍ଧିରଖିବାକୁ କାଳକାଳକୁ ! ମୋର ଦୁଇ ସନ୍ତ୍ରସ୍ତ ପାପୁଲିରେ ବେଢ଼େଇ ଧରନ୍ତି ତୁମ ମୁହଁ ଏବଂ ନିଗାଡ଼ି ଦିଅନ୍ତି ତୁମ ଅପେକ୍ଷାରେ ସଞ୍ଚିଥିବା ମୋର ସମସ୍ତ କୋହ ଆଉ ଲୁହ ।

ଏବେ ଯନ୍ତ୍ରଣା ମୁଣ୍ଡରେ ପିଠିରେ ଖୁବ୍ । ଯନ୍ତ୍ରଣାର ଶକ୍ତି ବି ଅଦ୍ଭୁତ । ତୁମେ ତାକୁ ପିଠି କରି ଯେତେ ଆଗକୁ ଧାଅଁ ସେ ତୁମକୁ କବଳିତ କରି ନେବ ହିଁ ନେବ । ଏବେ ଆଖି ବନ୍ଦ କଲେ ଯନ୍ତ୍ରଣା ଦେଉଛି ଯେଉଁ ଅନ୍ଧାର ସେଇଠି ତୁମର ସେହି ଅତ୍ୟୁତ୍ସାହୀ ଆଖିର ଚାହାଣୀ ମୋ ଭିତରେ ତିଆରି କରୁଛି ନିବିଡତାର ଶୀତ୍କାର । ଯେତିକି ଅନ୍ଧାର ସେତିକି ଉଜ୍ଜ୍ଵଳ ତୁମର ଆକର୍ଷଣ । ଯେତିକି ଯେତିକି ଯନ୍ତ୍ରଣା ସେତିକି ସେତିକି ରଙ୍ଗମୟ ଏ ଉଡାଣ ।

ମନେ ନାହିଁ ମୁଁ ତୁମକୁ ତୁମଠୁ ମାଗିନେବାର ପ୍ରତିଶ୍ରୁତି ଚାହିଁଥିଲି କି ନାହିଁ କିନ୍ତୁ ନିଜକୁ ପ୍ରତିଶ୍ରୁତିର ସାଜ ପିନ୍ଧେଇ ପ୍ରତିଜ୍ଞା ନାଁରେ ତୁମ ପାଖେ ସମର୍ପି ଦେଇଛି ମୁହିଁ । ଯନ୍ତ୍ରଣା ବୁଝେଇ ଦେଲାଣି ମୋତେ ଯେ ଦୌଡେନା ଜୀବନ । କେଡ଼େ ଅଚଞ୍ଚଳ ଗତି ତାର ଆଉ କେଡ଼େ ସମ୍ବେଦନଶୀଳ । ଦୌଡନ୍ତା ଆବେଗକୁ ଭିତ୍ତି କରି ଛଳଛଳ ଯେଉଁ ପ୍ରାଣମୟ ପ୍ରତ୍ୟୟ ମୋ ପାଖେ ଠିଆ ତାହା ହିଁ ତୁମ ପ୍ରେମ । ତୁମରି କଳ୍ପନା ମୋର ଶକ୍ତି ଥିଲା , ତୁମ ସ୍ଥିତି ମୋର ଅଭିମାନ । ଆଜି କହିବାରେ ଆଦୌ ସଂକୋଚ ନାହିଁ ଯେ ମୋ ଅଭିମାନ ମୋର ସାମର୍ଥ୍ୟ ଓ ଅହଂକାର ।

ଏବେ ??

ଛୁଇଁଦିଅ ମୋର ପିଠି । ଆଉଁସି ଦିଅ କାନମୂଳ । ଉଭେଇ ଯାଉ ଯନ୍ତ୍ରଣା ରାତି ସହ । ତୁମ ଚିଠି ପଢ଼ାର ସୁଖକୁ ଭୋଗିନେଉ ଆଗାମୀ କାଲିର ଚିତ୍ରିତ ସକାଳ । ଚିଠି ପଢ଼ାତକ ମୋ ହାତରେ ଥାଉ ତୁମ ହାତ ।
ତୁମର “ମୁଁ “

Leave A Reply

Your email address will not be published.