Latest Odisha News

BREAKING NEWS

‘ୟୁପି ରାଜନୀତି’, ବିଜେପି ସହ ଲଢୁଛି ବିଜେପି !

ଭୁବନେଶ୍ୱର: ଉତ୍ତରପ୍ରଦେଶରେ ବିଜେପିର ଟ୍ରିପଲ ଇଞ୍ଜିନ ସରକାର ଚାଲିଛି। ସଂସଦଠୁ ଆରମ୍ଭ କରି ବିଧାନସଭା ଓ ତୃଣମୂଳ ସ୍ତରର ନିର୍ବାଚନରେ ବିଜେପି ଅତି ଭଲ ପ୍ରଦର୍ଶନ କରିଛି।

ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଅପରାଧୀ ଦମନ ମଡେଲକୁ ନେଇ ମଧ୍ୟ ଦେଶବ୍ୟାପୀ ଚର୍ଚ୍ଚା ହେଉଛି। ଏଭଳି ସ୍ଥିତିରେ ଉତ୍ତରପ୍ରଦେଶ ବିଜେପି ପାଇଁ ଏକ ଚିନ୍ତା ଜନକ ଖବର ପଦାକୁ ଆସିଛି। ତାହା ହେଉଛି ଦଳ ମଧ୍ୟରେ ଅନ୍ତଃକନ୍ଦଳ।

ତାହା ପୁଣି କୌଣସି ସାଧାରଣ ନେତାଙ୍କ ମଧ୍ୟରେ ନୁହେଁ ବରଂ ଖୋଦ ବିଧାନସଭା ବାଚସ୍ପତି ଓ ସାଂସଦଙ୍କ ମଧ୍ୟରେ। ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଛି। ଉତ୍ତରପ୍ରଦେଶର କାନପୁରରେ ଦଳ ଭିତରେ ଥିବା ଗୋଷ୍ଠୀ କନ୍ଦଳ ତୀଵ୍ର ହେବା ସହ ବାହାରକୁ ଆସିଛି।

ଉତ୍ତରପ୍ରଦେଶ ବିଧାନସଭା ବାଚସ୍ପତି ସତୀଶ ମହାନାଙ୍କ ଉପରେ ବିଜେପିର ଦୁଇଜଣ ସାଂସଦ ଖପ୍ପା ଥିବା କୁହାଯାଉଛି। ସତୀଶ ମହାନା କାନପୁର ସହରର ବିକାଶକୁ ନେଇ ଏକ ବୈଠକ ଡାକିଥିଲେ। ଏହି ବୈଠକରେ ସବୁ ଜନ ପ୍ରତିନିଧି ଏବଂ ଅଧିକାରୀ ପହଞ୍ଚିଥିଲେ। କିନ୍ତୁ କାନପୁରର ବିଜେପି ସାଂସଦ ସତ୍ୟଦେଵ ପଚୌରୀ ଓ ଅକବରପୁର ସାଂସଦ ଦେବେନ୍ଦ୍ର ସିଂ ଭୋଲେ ବୈଠକକୁ ଆସିଲେ ନାହିଁ।

ବୈଠକରେ ମେୟରଙ୍କଠୁ ଆରମ୍ଭ କରି ବିଜେପି ବିଧାୟକ ମାନେ ଆସିଥିଲେ। ଯେଉଁଠି ସହରର ବିକାଶକୁ ନେଇ ଆଲୋଚନା ହୋଇଥିଲା। ଆଗକୁ ଦେଶର ସାଧାରଣ ନିର୍ବାଚନ ଥିବାରୁ ଦଳ ପକ୍ଷରୁ ବିକାଶକୁ ନେଇ ବ୍ୟାପକ କାର୍ଯ୍ୟକ୍ରମ କରାଯାଉଛି। କିନ୍ତୁ ଖୋଦ ନିଜ ଦଳର ଦୁଇଜଣ ପ୍ରଭାବଶାଳୀ ସାଂସଦ ବୈଠକକୁ ନ ଆସିବା ଦଳର ଚିନ୍ତା ବଢାଇଛି।

ବିଜେପି ସାଂସଦ ଦେବେନ୍ଦ୍ର ଭୋଲେ ବାଚସ୍ପତିଙ୍କର ଏହି ବୈଠକ ଡାକିବାର ଅଧିକାର ନାହିଁ ବୋଲି ଖୋଲାଖୋଲି କହିଛନ୍ତି। ନଗର ନିଗମ ନିର୍ବାଚନ ପରେ ଏହି ଲଢେଇ ତୀଵ୍ର ହୋଇଥିବା କୁହାଯାଉଛି। କାନପୁର ମେୟର ପ୍ରମିଳା ପାଣ୍ଡେ ସତୀଶ ମହାନା ଗୋଷ୍ଠୀର ଓ ତାଙ୍କୁ ଦ୍ଵିତୀୟ ଥର ଟିକେଟ ଦେବାକୁ ଚାହୁଁ ନ ଥିଲେ ସାଂସଦ ସତ୍ୟଦେବ।

ଏପରିକି ଗତବର୍ଷ ନଭେମ୍ବର ମାସରେ ମଧ୍ୟ ମହାନା ବୈଠକ ଡାକିଥିଲେ। ସେତେବେଳେ ଏଥିରେ ଅସନ୍ତୁଷ୍ଟ ହୋଇ ସାଂସଦ ସତ୍ୟଦେଵ ମଣ୍ଡଳ ଅଧିକାରୀଙ୍କୁ ଚିଠି ଲେଖିଥିଲେ।

ତେଣୁ ଆଗକୁ ଲୋକସଭା ନିର୍ବାଚନ ଥିବାବେଳେ ଉତ୍ତରପ୍ରଦେଶର ଲୋକସଭା ସିଟ ସବୁଠୁ ଅଧିକ। ସେଠାରେ ବିଜେପି ପୂର୍ବ ନିର୍ବାଚନରେ ଅତି ଭଲ ପ୍ରଦର୍ଶନ କରିଛି। ତେଣୁ ଆଗକୁ ନିର୍ବାଚନ ଥିବାବେଳେ ଖୋଦ ନିଜ ଦଳର ସାଂସଦ ଓ ବାଚସ୍ପତିଙ୍କ ଲଢେଇ କେଉଁ ରୂପ ନେବ ତା ଉପରେ ନଜର।

Leave A Reply

Your email address will not be published.