Latest Odisha News

BREAKING NEWS

କ୍ୟାପିଟାଲ ହସ୍‌ପିଟାଲ ଓ ଆଚାର୍ଯ୍ୟ ହରିହର କର୍କଟ ହସ୍‌ପିଟାଲର ଆଉଟସୋର୍ସିଂକୁ କଂଗ୍ରେସର ବିରୋଧ

ଭୁବନେଶ୍ୱର: କ୍ୟାପିଟାଲ ହସ୍ପିଟାଲ ଏବଂ କଟକ ସ୍ଥିତ ଆଚାର୍ଯ୍ୟ ହରିହର କର୍କଟ ହସ୍ପିଟାଲକୁ ରାଜ୍ୟ ସରକାର ଘରୋଇକରଣ କରିବା ଲକ୍ଷ୍ୟରେ ଅଛନ୍ତି ବୋଲି ଅଭିଯୋଗ କରିଛି ରାଜ୍ୟ କଂଗ୍ରେସ । ଏଭଳି କିଛି ନିଷ୍ପତ୍ତି କିମ୍ବା ଘୋଷଣା ସରକାରଙ୍କ ପକ୍ଷରୁ ହୋଇନାହିଁ । କିନ୍ତୁ ଓଡ଼ିଶା ପ୍ରଦେଶ କଂଗ୍ରେସ ପକ୍ଷରୁ ଏହାକୁ ନେଇ ପ୍ରତିବାଦ ଏବଂ ଧାରଣା ଦିଆଯାଇଛି । ଗୁରୁବାର ଭୁବନେଶ୍ୱର ଏଡିଏମ କାର୍ଯ୍ୟାଳୟ ସମ୍ମୁଖରେ ରାଜ୍ୟ କଂଗ୍ରେସ ନେତା ଧାରଣା ଦେଇ ପ୍ରତିବାଦ କରିଛନ୍ତି ।

ସ୍ୱାସ୍ଥ୍ୟ କ୍ଷେତ୍ରରେ ସଫଳତା ଅର୍ଜିଥିବା ପ୍ରଚାର କରୁଥିବା ଓଡ଼ିଶା ସରକାରଙ୍କୁ କଡ଼ା ସମାେଲାଚନା କରିଛି କଂଗ୍ରେସ । ଦୀର୍ଘ ୨୨ ବର୍ଷ ନିରଙ୍କୁଶ ଏବଂ ନିରନ୍ତର ଶାସନରେ ଥାଇ ବି ବିଜେଡି ସରକାର ଅପାରଗ ଓ ଅସମର୍ଥ ବୋଲି କହିଛି କଂଗ୍ରେସ । ଶିକ୍ଷା, ସ୍ୱାସ୍ଥ୍ୟ ଓ ଆଇନ ଶୃଙ୍ଖଳା କର୍ମନିଯୁକ୍ତି ପରିମଳ ଓ ପାନୀୟ ଜଳ ବ୍ୟବସ୍ଥା ପରି ସର୍ବନିମ୍ନ ସେବା ଯୋଗାଇବା ଏକ ଗଣତାନ୍ତ୍ରିକ ସରକାରର ପ୍ରାଥମିକ କର୍ତ୍ତବ୍ୟ ଓ ଦାୟିତ୍ୱ ।

କିନ୍ତୁ ଏ ରାଜ୍ୟ ସରକାର ଜନସାଧାରଣଙ୍କ ପାଖରୁ ବିଭିନ୍ନ ପ୍ରକାରେ କର ଆଦାୟରେ ମାତିଛନ୍ତି । ସର୍ବନିମ୍ନ ସେବା ଯୋଗାଇବା ରାଜ୍ୟ ସରକାର ବିଫଳ ବୋଲି କହି ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ବ୍ୟବସ୍ଥାକୁ ଆକ୍ରମଣ କରିଛନ୍ତି କଂଗ୍ରେସ ନେତା ।

କ୍ୟାପିଟାଲ ହସ୍ପିଟାଲକୁ ରାଜ୍ୟର ଉତ୍କୃଷ୍ଟ ହସ୍ପିଟାଲ କରି ଗଢ଼ି ତୋଳିବା ସହ ପୋଷ୍ଟ ଗ୍ରାଜୁଏଟ ଶିକ୍ଷାନୁଷ୍ଠାନ କରିବା ପାଇଁ ନବୀନ ସରକାର ପ୍ରତିଶ୍ରୁତି ଦେଇଥିଲେ । ଏଥିପାଇଁ ଶହ ଶହ କୋଟି ଟଙ୍କାର ଅତି ଉନ୍ନତମାନର ଯନ୍ତ୍ରପାତି ଖରିଦ କରାଯାଇଛି । କିନ୍ତୁ ଆଜି ପର୍ଯ୍ୟନ୍ତ ସେଗୁଡ଼ିକ କାର୍ଯ୍ୟକ୍ଷମ କରାଗଲା ନାହିଁ । ସରକାର ସ୍ୱାସ୍ଥ୍ୟ ଭଳି ଏକ ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରରେ ସିଧାସଳଖ ନିଯୁକ୍ତି ପ୍ରଦାନ ନକରି ଏ ସବୁକୁ ଆଜି ଆଉଟସୋସିଂ କରିବାପାଇଁ ନିଷ୍ପତି ନେଇସାରିଛନ୍ତି ବୋଲି କଂଗ୍ରେସ ଅଭିଯୋଗ କରିଛି ।

ଯଦି ସରକାର ନିଯୁକ୍ତି କରିପାରୁନାହାନ୍ତି! ବେସରକାରୀ ସଂସ୍ଥା କିଭଳି ଭାବରେ ସମସ୍ତ ଗୁରୁତ୍ୱପୂର୍ଣ୍ଣ ବିଭାଗ ଯଥା ବିଭିନ୍ନ ପରୀକ୍ଷା ନିରୀକ୍ଷା କ୍ଷେତ୍ର ଏବଂ ଅଲଟ୍ରାସାଂଉଣ୍ଡ, ଏମଆରଆଇ ମେସିନ, ଏକ୍ସ୍ରରେ ମେସିନ ଏବଂ ଆଇସିୟୁ, ଓଟି ଆଦିକୁ ସଠିକ୍ ଭାବେ ଚଳାଇପାରିବେ ବୋଲି ସରକାରଙ୍କୁ ପ୍ରଶ୍ନ କରିଛି କଂଗ୍ରେସ ।

ଏସବୁ କ୍ଷେତ୍ରରେ ଅତି ଉଚ୍ଚକୋଟିର ମାନବ ସମ୍ବଳର ଆବଶ୍ୟକତା ଥିଲା । ବେସରକାରୀ ସଂସ୍ଥା ଦ୍ୱାରା ନିଯୁକ୍ତି ଓ ଏ ସମସ୍ତ ବିଭାଗକୁ ବେସରକାରୀ ସଂସ୍ଥାକୁ ଟେକିଦେବା କଣ ବୈପ୍ଳବିକ ପରିବର୍ତ୍ତନ ବୋଲି କଂଗ୍ରେସ ପ୍ରଶ୍ନ କରିଛି ।

“ସାରା ଓଡ଼ିଶାର କର୍କଟ ରୋଗୀ ଆଚାର୍ଯ୍ୟ ହରିହର କର୍କଟ ଗବେଷଣା କେନ୍ଦ୍ର ଉପରେ ଭରସା କରନ୍ତି । ସରକାର ନିଜର ଦାୟିତ୍ୱ ନେବା ପରିବର୍ତ୍ତେ ଏହାର ବହୁ ଗୁରୁତ୍ୱପୂର୍ଣ୍ଣ ବିଭାଗକୁ ଆଉଟସୋସିଂ କରିବା କ’ଣ ଉଚିତକି?” ଏ ଆଉଟସୋସିଂ କରିବା ଦ୍ୱାରା ଗରିବ ଜନସାଧାରଣଙ୍କ ପାଖରୁ ଅଧିକ ୟୁଜର୍ସ ଫି ଆଦାୟ ହେବ ଏବଂ ଓଡ଼ିଶାର ମାନବ ସମ୍ବଳକୁ ଠିକା କର୍ମଚାରି ନିଯୁକ୍ତି କରି ଶୋଷଣ କରାଯିବ ବୋଲି କଂଗ୍ରେସ ଅଭିଯୋଗ କରିଛି ।

ଗୁରୁବାର ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ସଭାପତି ବିଶ୍ୱଜିତ ଦାଶଙ୍କ ସଭାପତିତ୍ୱରେ ଏକ ପ୍ରତିବାଦ ଧାରଣା ଭୁବନେଶ୍ୱର ଉପଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ସରକାରଙ୍କର ଏହି ଦୁଇ ହସପିଟାଲର ଆଉଟସୋସିଂ ବିରୋଧରେ ହୋଇଥିଲା । ବରିଷ୍ଠ କଂଗ୍ରେସ ନେତା ତଥା ବିଧାୟକ ସୁରେଶ କୁମାର ରାଉତରାୟ ସରକାରଙ୍କୁ କଟୁ ସମାଲୋଚନା କରିବା ସହିତ ଏହି ନିଷ୍ପତିରୁ ତୁରନ୍ତ ସରକାର ଓହରି ଯାଆନ୍ତୁ ବୋଲି କହିଥିଲେ ।

ବରିଷ୍ଠ ଆଇନଜୀବୀ ଏବଂ କଂଗ୍ରେସ ନେତା ଶିବାନନ୍ଦ ରାୟ ସରକାରଙ୍କୁ ଏ ନିଷ୍ପତିରୁ କ୍ଷାନ୍ତ ରହିବା ସହିତ ଟାଟା ଯେଉଁ କ୍ୟାନସର ହସପିଟାଲ କରିବା କଥା ତାହା କୁଆଡ଼େ ଗଲା ବୋଲି ପ୍ରଶ୍ନ କରିଥିଲେ । ଯୁବ କଂଗ୍ରେସ ସଭାପତି ଡ. ସ୍ମୃତି ରଞ୍ଜନ ଲେଙ୍କା ସରକାର ସିଧାସଳଖ ନିଯୁକ୍ତି ଦେବା ପରିବର୍ତ୍ତେ କାହିଁକି ରାଜ୍ୟର ଯୁବକମାନଙ୍କର ଭବିଷ୍ୟତକୁ କିଛି ବେପାରିଙ୍କ ହାତରେ ଟେକି ଦେଉଛନ୍ତି ବୋଲି ସମାେଲାଚନାମୂଳକ ପ୍ରଶ୍ନ କରିଥିଲେ ।

ଛାତ୍ର କଂଗ୍ରେସ ସଭାପତି ୟାସିର ନୱାଜ,ସାମାଜିକ କର୍ମୀ ଦେବୀ ପୃଷ୍ଟି, ମୁଖପାତ୍ର ମନୋରଞ୍ଜନ ଦାଶ, ଚିନ୍ମୟ ସୁନ୍ଦର ଦାସ, ରଶ୍ମି ମହାପାତ୍ର, ରଜନୀ ମହାନ୍ତି, ଅଶୋକ ଦାସ, ଗୀତାଞ୍ଜଳି ମହାନ୍ତି ପ୍ରମୁଖ ମଧ୍ୟ ସରକାରଙ୍କୁ କଡ଼ା ସମାଲୋଚନା କରିଥିଲେ ।

ଏହି ପ୍ରତିବାଦ ସଭାରେ ଅନ୍ୟମାନଙ୍କ ମଧ୍ୟରେ ମୋହନ ଜେନା, ସୁବ୍ରତ ମହାପାତ୍ର, ମିହିର ଆଚାର୍ଯ୍ୟ, ଦେବରାଜ ମିଶ୍ର, ବ୍ରହ୍ମାନନ୍ଦ ସାହୁ, ଆଶିଷ ମଲ୍ଲିକ, ସେକ ଆଫତାବ ଅଲ୍ଲି, ସେକ୍ ତାକ୍ୟୁୟୁନି, ରଶିକ ପଟ୍ଟନାୟକ, ମଂଟୁ ମଲ୍ଲିକ, ସୌମେନ୍ଦ୍ର ମହାନ୍ତି, କୁସୁମ ପ୍ରଧାନ, ପ୍ରଭାବତି ପଟ୍ଟନାୟକ, ଜୟଶ୍ରୀ ନନ୍ଦ, ପ୍ରକାଶ ମିଶ୍ର, ରଣଜିତ ପାତ୍ର, ଦେବୀ ପ୍ରସାଦ ବାହାଲିଆ, ସଂଜୟ ପରିଡ଼ା, ଅନିଲ ଦାସ, କୈଳାସ ସାହୁ, ଉମେଶ ଦାସ, ଦେବାଶିଷ ଦାସ, ନଳିନୀ ନାୟକ, ସାଗର ପରିଡ଼ା, ଅକ୍ଷୟ ମହାନ୍ତି, ଶିବ ସେଠୀ ପ୍ରମୁଖ ଅଂଶଗ୍ରହଣ କରିଥିଲେ ।

Leave A Reply

Your email address will not be published.