Latest Odisha News

BREAKING NEWS

ବିଜେପି ସାଂସଦ କହୁଛନ୍ତି କଂଗ୍ରେସ ଆତଙ୍କବାଦୀଙ୍କୁ ସମର୍ଥନ କରୁଛି !

ଭୁବନେଶ୍ୱର: ଦେଶର ପାଞ୍ଚୋଟି ରାଜ୍ୟର ବିଧାନସଭା ନିର୍ବାଚନ ତାରିଖ ଘୋଷଣା ହେବା ପରେ ଏସବୁ ରାଜ୍ୟରେ ରାଜନୈତିକ ଲଢେଇ ତୀଵ୍ର ହୋଇଛି। ଏହି ଅବସରରେ ତେଲେଙ୍ଗାନା ବିଜେପିର ପୂର୍ବତନ ରାଜ୍ୟ ସଭାପତି ତଥା ସାଂସଦ ବନ୍ଦୀ ସଞ୍ଜୟ କୁମାର କଂଗ୍ରେସ ବିରୋଧରେ ଏକ ବଡ଼ ଅଭିଯୋଗ ଆଣିଛନ୍ତି।

କଂଗ୍ରେସ ଏବଂ ଏଆଇଏମଆଇଏମ ପାଲେଷ୍ଟାଇନ ଆତଙ୍କି ସଂଗଠନ ହମାସର ସମର୍ଥନ କରୁଥିବା ସେ ଅଭିଯୋଗ କରିଛନ୍ତି। ଇସ୍ରାଏଲ ଓ ହମାସ ମଧ୍ୟରେ ଯୁଦ୍ଧ ଏବେ ସାରା ବିଶ୍ୱରେ ଚର୍ଚ୍ଚାର ପ୍ରମୁଖ ପ୍ରସଙ୍ଗ ପାଲଟିଛି। ଏଭଳି ସ୍ଥିତିରେ ତେଲେଙ୍ଗାନା ବିଧାନସଭା ନିର୍ବାଚନ ତାରିଖ ଘୋଷଣା ହୋଇଥିବା ବେଳେ କଂଗ୍ରେସ ବିରୋଧରେ ବିଜେପି ସାଂସଦଙ୍କ ଏଭଳି ଅଭିଯୋଗ ରାଜନୀତିକୁ ସରଗରମ କରିଛି।

ଏହି ଯୁଦ୍ଧରେ ବହୁ ଲୋକଙ୍କ ଜୀବନ ଯାଉଥିବା ବେଳେ ଆତଙ୍କବାଦୀମାନେ ଇସ୍ରାଏଲର ବହୁ ସାଧାରଣ ଲୋକଙ୍କୁ ବନ୍ଦୀ କରି ରଖିଛନ୍ତି ଓ ହତ୍ୟା କରୁଛନ୍ତି। ଯାହାକୁ ନିନ୍ଦା କରାଯାଉଛି।

ଏଭଳି ସ୍ଥିତିରେ କଂଗ୍ରେସ ଆତଙ୍କବାଦୀଙ୍କୁ ସମର୍ଥନ କରୁଛି ବୋଲି କୁହାଯିବା ସ୍ଥିତିକୁ ଜଟିଳ କରିଛି। ସଞ୍ଜୟ କୁମାର ଟ୍ୱିଟରରେ ଏହା ଲେଖିଛନ୍ତି। ଯାହାକୁ ନେଇ ଜାତୀୟ ରାଜନୀତିରେ ଝଡ଼ ସୃଷ୍ଟି ହୋଇଛି।

ହମାସର ସମର୍ଥନ କରି କଂଗ୍ରେସ ଓ ଏଆଇଏମଆଇଏମ ଆତଙ୍କବାଦର ସମର୍ଥନ କରୁଥିବା ସେ କହିଛନ୍ତି। ଏପରିକି ଏଥିରେ କୌଣସି ଆଶ୍ଚର୍ଯ୍ୟ ନାହିଁ ବୋଲି କହିବା ସହ ୟୁପିଏ ସରକାର ସମୟରେ ଭାରତକୁ ସବୁଠୁ ଖରାପ ଆତଙ୍କବାଦୀ ଆକ୍ରମଣର ଶିକାର ହେବାକୁ ପଡିଥିଲା ବୋଲି ସେ କହିଛନ୍ତି।

କଂଗ୍ରେସ ସବୁବେଳେ ପିଏଫଆଇ, ହମାସ ଓ ରୋହିଂଗ୍ୟା ପକ୍ଷରେ ରହିଥାଏ ବୋଲି ବନ୍ଦୀ ସଞ୍ଜୟ କୁମାର କହିଛନ୍ତି। ତେଣୁ ବିଧାନସଭା ନିର୍ବାଚନ ତାରିଖ ଘୋଷଣା ହୋଇଥିବା ବେଳେ ତେଲେଙ୍ଗାନାର ବିଜେପି ସାଂସଦଙ୍କ କଂଗ୍ରେସ ବିରୋଧରେ ଏଭଳି ସଙ୍ଗୀନ ଅଭିଯୋଗ ରାଜନୈତିକ ଉଷ୍ମତାକୁ ବଢ଼ାଇଦେଇଛି।

ସେପଟେ ଗୃହମନ୍ତ୍ରୀ ଅମିତ ଶାହା ତେଲେଙ୍ଗାନାରେ ନିର୍ବାଚନ ପ୍ରଚାର କରିଥିବା ବେଳେ ସଞ୍ଜୟଙ୍କ ଏହି ମନ୍ତବ୍ୟ ଚର୍ଚ୍ଚାର ପ୍ରସଙ୍ଗ ପାଲଟିଛି।

Leave A Reply

Your email address will not be published.