Latest Odisha News

‘କର୍ଣ୍ଣାଟକ ନିର୍ବାଚନ’, ଶାହାଙ୍କୁ ଥାନାକୁ ଟାଣିଲା କଂଗ୍ରେସ !

ଭୁବନେଶ୍ୱର: ନିର୍ବାଚନ ପ୍ରଚାରରେ କର୍ଣ୍ଣାଟକ କମ୍ପୁଥିବା ବେଳେ ଅମିତ ଶାହାଙ୍କ ବିରୋଧରେ କଂଗ୍ରେସ ପୋଲିସ ପାଖରେ ଫେରାଦ ହୋଇଛି। କର୍ଣ୍ଣାଟକରେ କଂଗ୍ରେସ କ୍ଷମତାକୁ ଆସିଲେ ଦଙ୍ଗା ହେବ ବୋଲି ନିର୍ବାଚନ ପ୍ରଚାର ବେଳେ ଅମିତ ଶାହା କହିଛନ୍ତି। ଯାହାକୁ ନେଇ କଂଗ୍ରେସର ବରିଷ୍ଠ ନେତାମାନେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିବା ସହ ପୋଲିସରେ ଲିଖିତ ଅଭିଯୋଗ କରିଛନ୍ତି।

ଏଭଳି ଟିପ୍ପଣୀ ଦେଇ ଲୋକଙ୍କୁ ଉସୁକାଇବାକୁ ଉଦ୍ୟମ ହେଉଥିବା ଅଭିଯୋଗ ସହ ଏହା ସାମ୍ପ୍ରଦାୟିକ ସଦଦ୍ଭାବ ନଷ୍ଟ କରିବ ବୋଲି କୁହାଯାଇଛି। ବିଜେପି ସପକ୍ଷରେ ଭୋଟ ଦେବା ପାଇଁ ବିଜେପିର ବରିଷ୍ଠ ନେତାମାନେ ମିଛ ଏବଂ ଧମକପୂର୍ଣ ଭାଷଣ ଦେଉଥିବା କଂଗ୍ରେସ ଅଭିଯୋଗ କରିଛି।

ବିଭିନ୍ନ ନିର୍ବାଚନରେ ବିବାଦୀୟ ଟିପ୍ପଣୀ ପାଇଁ ରାହୁଲଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଓ ସଦସ୍ୟ ପଦ ରଦ୍ଦ ହୋଇଥିବା ବେଳେ ବିଜେପି ନେତାଙ୍କ ଏ ସବୁ ବୟାନକୁ ନେଇ ଏବେ ଜୋରଦାର ଚର୍ଚ୍ଚା ଆରମ୍ଭ ହୋଇଛି। ସେପଟେ କର୍ଣ୍ଣାଟକରେ ଆକ୍ଷେପ ପ୍ରତିଆକ୍ଷେପ ପର୍ବ ଲମ୍ବିବାରେ ଲାଗିଛି।

କଂଗ୍ରେସ ଓ ବିଜେପିର ହେଭିୱେଟମାନେ ଜୋରଦାର ପ୍ରଚାର କରିବା ସହ ପରସ୍ପର ଉପରେ ବର୍ଷୁଛନ୍ତି। କଂଗ୍ରେସ ନେତା ରାହୁଲ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ ଭଦ୍ରା କର୍ଣ୍ଣାଟକରେ ପ୍ରଚରକୁ ଜୋରଦାର କରିଥିବା ବେଳେ ବିଜେପିର ଅମିତ ଶାହା, ଜେ ପି ନଡ୍ଡା, ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ପ୍ରମୁଖ ପ୍ରଚାର କରିଛନ୍ତି। ଏପରିକି ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ପ୍ରଚାରକୁ ଓଲ୍ହାଇଛନ୍ତି।

ସେପଟେ ବିଜେପିରୁ ଯାଇ କଂଗ୍ରେସରେ ମିଶି ପ୍ରାର୍ଥୀ ହୋଇଥିବା ପୂର୍ବତନ ମୁଖ୍ୟମନ୍ତ୍ରୀ ଜଗଦୀଶ ସେଟ୍ଟାର ବିଜେପିକୁ ଟାର୍ଗେଟ କରିଛନ୍ତି। ବିଜେପିରେ ରହି ଆତ୍ମସମ୍ମାନ ହାନି ହୋଇଛି ଓ ଦଳରେ ବାରମ୍ବାର ବରିଷ୍ଠ ନେତାଙ୍କୁ ଅବହେଳା କରାଯାଇଥିବା ସେଟ୍ଟାର ପ୍ରଚାର ବେଳେ କହିଛନ୍ତି।

ସେପଟେ ପ୍ରଧାନମନ୍ତ୍ରୀ ମୋଦି ପ୍ରଚାର ମଇଦାନକୁ ଓଲ୍ହାଇବା ପୂର୍ବରୁ କର୍ଣ୍ଣାଟକର ବିଜେପି କର୍ମୀଙ୍କ ସହ ଭର୍ଚ୍ୟୁଆଲ ମୋଡରେ ବୈଠକ କରିଛନ୍ତି। ଏହି ବୈଠକରେ ବୁଥରୁ ଦଳୀୟ କର୍ମୀମାନେ ଯୋଡ଼ି ହୋଇଛନ୍ତି। ସବୁ ଦଳ କ୍ଷମତାକୁ ଆସିବାକୁ ଚାହୁଁଛନ୍ତି କିନ୍ତୁ ବିଜେପି ଦେଶର ଆଗାମୀ ଭବିଷ୍ୟତ ନିର୍ମାଣ କରିବାକୁ କାମ କରୁଛି ବୋଲି ମୋଦି କର୍ଣ୍ଣାଟକର ବିଜେପି କର୍ମୀଙ୍କୁ କହିଛନ୍ତି।

ଏହା ପରେ ମୋଦି ଲଗାତର କର୍ଣ୍ଣାଟକରେ ରୋଡ଼ ସୋ ଓ ରାଲି କରିବେ ବୋଲି କୁହାଯାଉଛି। ମୋଦି ପ୍ରଚାରକୁ ଓଲ୍ହାଇଲେ ବିଜେପି ସପକ୍ଷରେ ବଡ଼ ବାତାବରଣ ସୃଷ୍ଟି ହେବା ନେଇ ଆଶା ରଖିଛି ଦଳ। ସେପଟେ ଶାହାଙ୍କ ବିରୋଧରେ କଂଗ୍ରେସ ପୋଲିସରେ ଅଭିଯୋଗ କରିଥିବାରୁ ଏହା କେଉଁ ମୋଡ଼ ନେଉଛି ତା ଉପରେ ନଜର।

Leave A Reply

Your email address will not be published.