ଭୁବନେଶ୍ୱର: ମଧ୍ୟପ୍ରଦେଶରେ ଏବେ କଂଗ୍ରେସ ବିଜେପି ମୁହାଁମୁହିଁ ସ୍ଥିତିକୁ ଆସି ଯାଇଛନ୍ତି। ଗତ ନିର୍ବାଚନରେ କଂଗ୍ରେସ ମଧ୍ୟପ୍ରଦେଶରେ ଜିତିବା ସହ ସରକାର ଗଢିଥିଲା। କିନ୍ତୁ ପୂର୍ବତନ କଂଗ୍ରେସ ନେତା ଜ୍ୟୋତିରାଦିତ୍ୟ ସିନ୍ଧିଆ କିଛି କଂଗ୍ରେସ ବିଧାୟକଙ୍କୁ ନେଇ ବିଜେପିକୁ ଯିବା ପରେ କଂଗ୍ରେସ ସରକାରର ପତନ ଘଟିଥିଲା।
ଏବେ ଆଗକୁ ନିର୍ବାଚନ ଥିବାରୁ କଂଗ୍ରେସ ଏହାର ପ୍ରତିଶୋଧ ନେବା ମୁଡ଼ରେ ଥିବା ଦେଖିବାକୁ ମିଳୁଛି। ମଧ୍ୟପ୍ରଦେଶ ବିଜେପିର ଲୋକପ୍ରିୟ ନେତା ପୂର୍ବତନ ମୁଖ୍ୟମନ୍ତ୍ରୀ କୈଳାଶ ଯୋଶୀଙ୍କ ପୁଅ ତଥା ପୂର୍ବତନ ମନ୍ତ୍ରୀ ଦୀପକ ଯୋଶୀ ଓ ଅନ୍ୟ ଜଣେ ପୂର୍ବତନ ବିଧାୟକ କଂଗ୍ରେସରେ ମିଶିବା ପରେ ମଧ୍ୟପ୍ରଦେଶ ରାଜନୀତି ଚଳଚଞ୍ଚଳ ହୋଇ ଉଠିଛି।
ଏପରିକି ବିଜେପିର ବହୁ ବିଦ୍ରୋହୀ ନେତାଙ୍କୁ ନେଇ ଏବେ ଦଳର ଚିନ୍ତା ବଢିଛି। ଏଭଳି ସ୍ଥିତିରେ ବିଜେପିକୁ ଯାଇଥିବା ଅନେକ ନେତା ଏବେ କଂଗ୍ରେସକୁ ଆସିବାକୁ ଚାହୁଁଥିବା କଂଗ୍ରେସ ପକ୍ଷରୁ କୁହାଯାଇଛି। କିନ୍ତୁ ଏସବୁ ନେତାଙ୍କ ପାଇଁ ଦଳରେ ଆଉ ସ୍ଥାନ ନାହିଁ ବୋଲି କହିଛି କଂଗ୍ରେସ।
ଦୀପକ ଯୋଶୀଙ୍କ କଂଗ୍ରେସରେ ମିଶିବା ପରେ ମଧ୍ୟପ୍ରଦେଶ ବିଜେପିର ପ୍ରମୁଖ ନେତା ସତ୍ୟନାରାୟଣ ସତ୍ତନ, ଭମ୍ବର ସିଂହ ସେଖାଵତ, ଅନୁପ ମିଶ୍ରାଙ୍କ ଅସନ୍ତୋଷ ଜୋରଦାର ହୋଇଛି।
ତେଣୁ ସ୍ଥିତି ବିଗିଡିବା ପୂର୍ବରୁ ବିଜେପିର କେନ୍ଦ୍ରୀୟ ନେତୃତ୍ୱ ସ୍ଥିତି ସମ୍ଭାଳିବା ଆରମ୍ଭ କରିଛନ୍ତି। ଭୋପାଳରେ କେନ୍ଦ୍ରୀୟ ବିଜେପି ନେତାମାନେ ଭୋପାଳ, ସିହୋର ଓ ନର୍ମଦାପୁରମ ଜିଲ୍ଲାର ବିଧାୟକ ଓ ପଦାଧିକାରୀଙ୍କ ସହ ଆଲୋଚନା କରିଛନ୍ତି।
ଅସନ୍ତୁଷ୍ଟ ଦଳୀୟ ନେତାଙ୍କ ସହ ସ୍ଥାନୀୟ ଅନ୍ୟ ନେତାଙ୍କ ସହ ମଧ୍ୟ ଆଲୋଚନା ହୋଇଛି। ଗୋଟିଏ ପଟେ ସିନ୍ଧିଆ ଗୋଷ୍ଠୀଙ୍କ ପାଇଁ ବିଜେପିର ବହୁ ନେତା ଅସନ୍ତୁଷ୍ଟ ଥିବାବେଳେ ଆଗାମୀ ନିର୍ବାଚନରେ ନିଜ ଭବିଷ୍ୟତ ନେଇ ଚିନ୍ତାରେ ଅଛନ୍ତି।
ସେପଟେ ସିନ୍ଧିଆଙ୍କ ସହ ଯାଇ ବିଜେପିରେ ମିଶିଥିବା କିଛି ନେତା ମଧ୍ୟ ବିଜେପି ଟିକେଟ ପାଇବା ନେଇ ସନ୍ଦିହାନ ଭିତରେ। ଏଭଳି ସ୍ଥିତିରେ ମଧ୍ୟପ୍ରଦେଶରେ ରାଜନୈତିକ ଚିତ୍ର ଆଗକୁ କିଭଳି ରୂପ ନେଉଛି ତା ଉପରେ ନଜର।
Comments are closed.