Latest Odisha News

BREAKING NEWS

‘ନୀତିଶ କୁମାର’, ନିଜେ ଯୋଡୁଛନ୍ତି କିନ୍ତୁ ନିଜର ଭାଙ୍ଗୁଛି

ଭୁବନେଶ୍ୱର: ଗୋଟିଏ ପଟେ ବିରୋଧୀଙ୍କୁ ଯୋଡିବାରେ ଲାଗିଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର। ସାରା ଦେଶର ବିଭିନ୍ନ ଅଣବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସମେତ ବିରୋଧୀ ଦଳ ଗୁଡ଼ିକର ମୁଖିଆଙ୍କୁ ଭେଟୁଛନ୍ତି। ପାଟନାରେ ବିରୋଧୀଙ୍କ ମହାମେଳି ପାଇଁ ପ୍ରସ୍ତୁତି ଜୋରଦାର କରୁଛନ୍ତି। ଏହି କ୍ରମରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ମଧ୍ୟ ଭେଟିଛନ୍ତି ନୀତିଶ।

କିନ୍ତୁ ସେପଟେ ଖୋଦ ନିଜ ଦଳର ନେତା ନୀତିଶଙ୍କ ହାତ ଛାଡୁଥିବା ଦେଖାଯାଇଛି। ଜାନୁଆରୀରେ ଦିଆଯାଇଥିବା ନୀତିଶଙ୍କ ବୟାନ ଯେଉଁମାନେ ଯିବାକୁ ଚାହୁଁଛନ୍ତି ଚାଲି ଯାଆନ୍ତୁ ପରେ ଦଳର ୬ ଜଣ ବଡ଼ ନେତା ଦଳ ଛାଡି ସାରିଲେଣି।

ସେମାନଙ୍କ ମଧ୍ୟରୁ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଉପେନ୍ଦ୍ର କୁସବାହା, ପୂର୍ବତନ ସାଂସଦ ମୀନା ସିଂହ ଏବଂ ମାଧବ ଆନନ୍ଦଙ୍କ ଭଳି ନେତା ଅଛନ୍ତି। ଏପରିକି ଜେଡିୟୁର ଜଣାଶୁଣା ନେତା ଓ ମୁଖପାତ୍ର ସୁହେଲି ମେହଟା ଦଳ ଛାଡି ନୀତିଶଙ୍କ ଉପରେ ବର୍ଷିଛନ୍ତି।

ଦଳ ନିଜର ମୂଳ ଧାରାରୁ ବିଚ୍ୟୁତ ହୋଇଛି ବୋଲି ସେ କହିଛନ୍ତି। ୨୦୨୨ ରେ ବିଜେପି ହାତ ଛାଡିବା ପରେ ଦଳରେ ଏଭଳି ସ୍ଥିତି ଲାଗି ରହିଛି। କିନ୍ତୁ ବିହାରରେ ମହଗଠବନ୍ଧନ ସରକାର ଗଢ଼ିବା ପରେ ଦଳ ମଜବୁତ ହୋଇଛି ବୋଲି ନୀତିଶ ଗୋଷ୍ଠୀ କହୁଛନ୍ତି।

କିନ୍ତୁ ଦଳର ବରିଷ୍ଠ ନେତାମାନେ କାହିଁକି ଦଳ ଛାଡ଼ୁଛନ୍ତି ତାକୁ ନେଇ ପ୍ରଶ୍ନ ଉଠିଛି। ବିହାରରେ ନୀତିଶ ଆରଜେଡି, କଂଗ୍ରେସ ସମେତ ୬ ଟି ଦଳ ସହ ମିଶି ସରକାର ଚଳାଇଛନ୍ତି। ବିହାର ବିଧାନସଭାରେ ଏମାନଙ୍କ ସିଟ ମିଶି ୧୬୦ ରହିଛି।

ଏପରିକି ବିହାରରେ ମିଳିତ ସରକାର କିଭଳି ଶକ୍ତ ସେ କଥା ବିରୋଧୀଙ୍କୁ ଏକଜୁଟ କରିବା ବେଳେ ନୀତିଶ ଉଦାହରଣ ଦେଉଥିବା ଜଣାପଡିଛି। କିନ୍ତୁ ଦଳ ଛାଡୁଥିବା ନେତାମାନେ କିନ୍ତୁ ବହୁ ପ୍ରଶ୍ନ ଉଠାଉଛନ୍ତି।

ବିହାରରେ ଉଭୟ ଆରଜେଡି ଓ ଜେଡିୟୁର ସଂଗଠନ ସୀମାଞ୍ଚଳ ଓ ଶାହବାଦ ଅଞ୍ଚଳରେ ଅଧିକ। ଉଭୟ ଦଳର ପ୍ରାର୍ଥୀମାନେ ବହୁ ସିଟରେ ମୁହାଁମୁହିଁ ହୋଇଥାନ୍ତି। କିନ୍ତୁ ଉଭୟ ଦଳ ମିଶିଯିବା ପରେ ନେତାଙ୍କୁ ତୃଣମୂଳ ସ୍ତରରେ ରାଜନୀତି କରିବା ସହଜ ହେଉନାହିଁ।

ମହାଗଠବଂଧନ ଭିତରେ ବହୁ ସିଟ ଅନ୍ୟ ଦଳକୁ ଯିବା ନିଶ୍ଚିତ। ସେଥିରେ ଜେଡିୟୁର ବହୁ ବରିଷ୍ଠ ନେତା ବଳି ପଡିପରନ୍ତି। ତେଣୁ ଏହାକୁ ଆଖି ଆଗରେ ରଖି ନେତାଙ୍କ ଇସ୍ତଫା ବଢି ଚାଲିଛି। ଏବେ ଦେଶବ୍ୟାପୀ ବିରୋଧୀଙ୍କୁ ଏକାଠି କରୁଥିବା ନୀତିଶଙ୍କ ନିଜ ଦଳର ଏଭଳି ଅବସ୍ଥାକୁ ନେଇ ଚର୍ଚ୍ଚା ଜୋର ଧରିଛି।

ଏପରିକି ନିର୍ବାଚନ ରଣନୀତିକାର ପ୍ରଶାନ୍ତ କିଶୋରଙ୍କ କହିବା ଅନୁଯାୟୀ ୨୦୧୯ ନିର୍ବାଚନ ପୂର୍ବରୁ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ଏଭଳି ବିରୋଧୀଙ୍କୁ ଏକାଠି କରିବାକୁ ଲାଗିଥିଲେ। କିନ୍ତୁ ନାଇଡୁ ବିରୋଧୀଙ୍କୁ ଏକାଠି କରିବାରେ ଅସଫଳ ହେଲେ ଓ ନିଜ ଦଳକୁ ବି ବଞ୍ଚାଇ ପାରିଲେନି।

ନୀତିଶଙ୍କ ଅବସ୍ଥା ବି ଏଭଳି ହେବ ବୋଲି ପ୍ରଶାନ୍ତ କହିଛନ୍ତି। ତେଣୁ ଆଗକୁ ବିରୋଧୀଙ୍କ ଏକତା ଓ ନୀତିଶଙ୍କ ଭାଗ୍ୟ କଣ ହେବ ତାକୁ ନେଇ ଚର୍ଚ୍ଚା ଜୋର ଧରିଛି ।

Leave A Reply

Your email address will not be published.