Latest Odisha News

ଏମପିରେ ବିଜେପିକୁ କଂଗ୍ରେସ ଭରସା ! ଦଳୀୟ ବ୍ୟାନରରେ କଂଗ୍ରେସ ନେତାଙ୍କ ଫଟୋ

ଭୁବନେଶ୍ୱର: ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ବିଜେପି କଂଗ୍ରେସ ଲଢେଇ ଚରମ ସୀମାରେ ପହଂଚିଛି। ଉଭୟ ଦଳ ବିଭିନ୍ନ ମାଧ୍ୟମରେ ଲୋକଙ୍କ ସମର୍ଥନ ଯୋଗାଡ଼ କରିବାରେ ଲାଗି ପଡିଛନ୍ତି। ବିଜେପି ପକ୍ଷରୁ ଜନ ଆଶୀର୍ବାଦ ଯାତ୍ରା ଚାଲିଥିବା ବେଳେ କଂଗ୍ରେସ ମଧ୍ୟ ଜନ ଆକ୍ରୋଶ ଯାତ୍ରା ଆରମ୍ଭ କରିବାକୁ ଯାଉଛି।

ଏଭଳି ସ୍ଥିତିରେ ବିଜେପିର ଜନ ଆଶୀର୍ବାଦ ଯାତ୍ରାରେ ଭିନ୍ନ ଏକ ଚିତ୍ର ଦେଖିବାକୁ ମିଳିଛି। ବିଜେପି ଜନ ଆଶୀର୍ବାଦ ଯାତ୍ରା ବ୍ୟାନରରେ କଂଗ୍ରେସ ନେତାଙ୍କ ଫଟୋ ଦେଖିବାକୁ ମିଳିଛି। ଖଣ୍ଡବାରେ ଦଳର ଜନ ଆଶୀର୍ବାଦ ଯାତ୍ରା ବ୍ୟାନରରେ ଏଭଳି କିଛି ଚିତ୍ରକୁ ନେଇ କଂଗ୍ରେସ ବିଜେପି ଲଢେଇ ଜୋରଦାର ହୋଇଛି।

ଯାତ୍ରାକୁ ସ୍ୱାଗତ କରିବା ପାଇଁ ଲଗାଯାଇଥିବା ବିଜେପି ବ୍ୟାନରରେ କଂଗ୍ରେସର ବରିଷ୍ଠ ନେତା କୈଳାଶ କୁଣ୍ଡଳଙ୍କ ଫଟୋ ରଖାଯାଇଛି। ଯାହାକୁ ନେଇ କଂଗ୍ରେସ ଘୋର ଅସନ୍ତୋଷ ବ୍ୟକ୍ତ କରିଛି। ଏପରିକି ଏହାକୁ ନେଇ ପୋଲିସ ନିକଟରେ ଅଭିଯୋଗ କରିଛି ଦଳ।

ବିଜେପି ଜାଣିଶୁଣି ଏଭଳି କାଣ୍ଡ କରୁଛି ବୋଲି କୈଳାଶ କୁଣ୍ଡଳ ଅଭିଯୋଗ କରିଛନ୍ତି। ବିଜେପି ନିକଟରେ କୌଣସି ଦମଦାର ଚେହେରାର ନେତା ନ ଥିବାରୁ ତାଙ୍କ ଛବି ଖରାପ କରିବାକୁ ବିଜେପି ଏଭଳି କରିଥିବା ସେ ଅଭିଯୋଗ କରିଛନ୍ତି।

ସେପଟେ ବ୍ୟାନର ଛପାଇଥିବା ବ୍ୟକ୍ତି ଏଭଳି ଭୁଲ କରିଦେଇଥିବା ବିଜେପି ପକ୍ଷରୁ କୁହାଯାଇଛି। ବ୍ୟାନରରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସମେତ ଶୀର୍ଷ କେନ୍ଦ୍ରୀୟ ନେତୃତ୍ୱ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ଓ ଅନ୍ୟ ବିଜେପି ନେତାଙ୍କ ଫଟୋ ସହ କଂଗ୍ରେସ ନେତାଙ୍କ ଫଟୋ କିଭଳି ଓ କେଉଁ ଉଦେଶ୍ୟରେ ସ୍ଥାନ ପାଇଲା ତାକୁ ନେଇ ଚର୍ଚ୍ଚା ଜୋର ଧରିଛି।

ଇନ୍ଦୋର ଅଞ୍ଚଳରେ ଜନ ଆଶୀର୍ବାଦ ଯାତ୍ରାକୁ କେନ୍ଦ୍ର ପରିବହନ ମନ୍ତ୍ରୀ ନିତିନ ଗଡ଼କାରୀ ଶୁଭାରମ୍ଭ କରିଥିବା ବେଳେ ଏହି ଯାତ୍ରା ବୁରହାନପୁର ଜିଲ୍ଲା ଦେଇ ଖଣ୍ଡବା ଆସିଥିଲା। ଏଭଳି ବ୍ୟାନରକୁ ନେଇ ମଧ୍ୟପ୍ରଦେଶରେ କଂଗ୍ରେସ ବିଜେପି ମଧ୍ୟରେ ଲଢେ଼ଇ ତୀଵ୍ର ହେବାରେ ଲାଗିଛି।

ବହୁ ବ୍ୟାନରରେ କଂଗ୍ରେସ ପ୍ରଦେଶ ମହାସଚିବ ଓ ଖଣ୍ଡବା ଜିଲ୍ଲା ପ୍ରଭାରୀ କୈଳାଶ କୁଣ୍ଡଳଙ୍କ ଫଟୋ ବିଜେପି ବ୍ୟାନରରେ ଦେଖିବାକୁ ମିଳିଥିଲା। ଯାହାକୁ ନେଇ କଂଗ୍ରେସ ଜିଲ୍ଲା ସଭାପତି ଅଜୟ ଓଝା ବିଜେପି ଉପରେ ବର୍ଷିଛନ୍ତି।

ଯଦି ଭୁଲରେ ହୋଇଥାନ୍ତା ତାହେଲେ ଅଳ୍ପ କିଛି ବ୍ୟାନରରେ ହୋଇଥାନ୍ତା କିନ୍ତୁ ଏତେସବୁ ବ୍ୟାନରରେ ଏହା କରାଯାଇଥିବାରୁ ଜାଣିଶୁଣି ଏହା କରାଯାଇଥିବା ଅଜୟ ଓଝା କହିଛନ୍ତି। ତେଣୁ ଏହି ପ୍ରସଙ୍ଗରେ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କଂଗ୍ରେସ ପକ୍ଷରୁ ଦାବି କରାଯାଇଛି।

ଏପରିକି ଏ ପ୍ରସଙ୍ଗରେ କାର୍ଯ୍ୟାନୁଷ୍ଠାନ ନ ହେଲେ କୈଳାସ କୁଣ୍ଡଳ କୋର୍ଟର ଦ୍ୱାରସ୍ଥ ହେବେ ବୋଲି କହିଛନ୍ତି। ତେଣୁ ଏମପିରେ ଏବେ ବ୍ୟାନର ରାଜନୀତି ତୀଵ୍ର ହୋଇଛି।

Leave A Reply

Your email address will not be published.