Latest Odisha News

BREAKING NEWS

ଘୋଷିରେ ହରାଇବା ପରେ ବିଜେପିକୁ ଅଖିଲେଶଙ୍କ ଜି ୨୦ ତୀର!

ଭୁବନେଶ୍ୱର: ଜି ଟ୍ୱେଣ୍ଟି ଶିଖର ସମ୍ମିଳନୀ ଚାଲିଥିବା ବେଳେ ଦେଶର ବିଭିନ୍ନ ରାଜ୍ୟର ଉପନିର୍ବାଚନ ଫଳାଫଳ ଆସିଛି। ସେଥିରେ ଏନଡିଏ ବିରୋଧରେ ଇଣ୍ଡିଆ ଭଲ ପ୍ରଦର୍ଶନ କରି ଚାରୋଟି ସିଟ ଜିତିବାରେ ସକ୍ଷମ ହୋଇଛି।

ଏହାକୁ ନେଇ ଚର୍ଚ୍ଚା ଲାଗି ରହିଥିବା ବେଳେ ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ସମାଜବାଦୀ ପାର୍ଟି ମୁଖ୍ୟ ଅଖିଲେଶ ଯାଦବଙ୍କ ଏକ ଟ୍ୱିଟକୁ ନେଇ ସାରା ଦେଶରେ ରାଜନୈତିକ ମାହୋଲ ସରଗରମ ହୋଇଛି। ଟ୍ୱିଟ ମାଧ୍ୟମରେ ଅଖିଲେଶ ଲେଖିଛନ୍ତି ଯେ କୋଇ ପୁଚ୍ଛ ରାହା ହେ ଜି ଟ୍ୱେଣ୍ଟି ମେ ଜି କା ମତଲବ ଘୋଷି ହେ କ୍ୟା?

ସଦ୍ୟ ଶେଷ ହୋଇଥିବା ୟୁପିର ଘୋଷି ବିଧାନସଭା ଉପନିର୍ବାଚନରେ ସବୁ ଉଦ୍ୟମ ସତ୍ତ୍ୱେ ବିଜେପି ପ୍ରାର୍ଥୀ ହାରିଯାଇଛନ୍ତି। ତେଣୁ ଗୋଟିଏ ପଟେ ଜି ଟ୍ୱେଣ୍ଟି ବୈଠକକୁ ନେଇ ବିଜେପି ବେଶ ଉତ୍ସାହିତ ଥିବାବେଳେ ଠିକ ଏଭଳି ସମୟରେ ଘୋଷିରେ ହାରିବା ଓ ଆଖିଲେଶଙ୍କ ଏଭଳି ଟିପ୍ପଣୀ ଚର୍ଚ୍ଚାକୁ ଆହୁରି ବଢ଼ାଇ ଦେଇଛି।

ୟୁପିରେ ବିଜେପିର ଟ୍ରିପଲ ଇଞ୍ଜିନ ସରକାର ଥିବା କୁହାଯାଉଛି। କେନ୍ଦ୍ରରେ ବିଜେପି ସରକାର ଥିବାବେଳେ ୟୁପିରେ ବିଜେପିର ଶକ୍ତ ସରକାର ରହିଛି। ଏପରିକି ପଂଚାୟତ ଓ ନଗରପାଳିକା ନିର୍ବାଚନରେ ମଧ୍ୟ ବିଜେପି ବଡ଼ ମାତ୍ରାରେ ସଫଳ ହୋଇଛି।

ତା ସତ୍ତ୍ୱେ ମଧ୍ୟ ଘୋଷି ବିଧାନସଭା ଉପନିର୍ବାଚନରେ ସମାଜବାଦୀ ପାର୍ଟି ଜିତିବା ଆଖିଲେଶଙ୍କ ସମେତ ପୁରା ବିରୋଧୀ ମେଣ୍ଟ ଇଣ୍ଡିଆର ଖୁସିକୁ ବହୁଗୁଣିତ କରିଛି। ଏହି ସମୟରେ ଅଖିଲେଶ ଘୋଷି ବିଜୟକୁ ଜି ଟ୍ୱେଣ୍ଟି ସହ ଯୋଡିବା ସହ ଇସାରା ଇସାରାରେ ବିଜେପିକୁ ଟାର୍ଗେଟ କରିଛନ୍ତି।

ଏପରିକି ଘୋଷିରେ ବିଜେପି ପ୍ରାର୍ଥୀଙ୍କୁ ସମାଜବାଦୀ ପାର୍ଟି ପ୍ରାର୍ଥୀ ୪୨ ହଜାର ୭୫୯ ଭୋଟରେ ହରାଇଛନ୍ତି। ସେପଟେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଭାରତରେ ଜି ଟ୍ୱେଣ୍ଟି ସମ୍ମିଳନୀ ହେବା ପ୍ରସଙ୍ଗକୁ ବିଜେପି ଘରେ ଘରେ ପହଞ୍ଚାଇବାକୁ ଉଦ୍ୟମ କରୁଛି।

ଏହାକୁ ନେଇ ଦଳ ଏକ ବଡ଼ ରାଜନୈତିକ ବାତାବରଣ ସୃଷ୍ଟି କରିବାକୁ ଯୋଜନା କରୁଥିବା କୁହାଯାଉଛି। ତେଣୁ ଏଭଳି ଏକ ମୁହୂର୍ତ୍ତରେ ଅଖିଲେଶ ଘୋଷି ସହ ଜି ଟ୍ୱେଣ୍ଟିକୁ ତୁଳନା କରି ଦେଇଥିବା ମନ୍ତବ୍ୟ ରାଜନୈତିକ ମାହୋଲକୁ ସରଗରମ କରିଛି।

ସେପଟେ ଘୋଷିରେ ହାରିବା ପରେ ୟୁପିର ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ପ୍ରତିଭା ଶୁକ୍ଳାଙ୍କ ବୟାନ ମଧ୍ୟ ଚର୍ଚ୍ଚାରେ ରହିଛି। ସମାଜବାଦୀ ପାର୍ଟିକୁ ଜିତାଇ ଘୋଷିର ଜନତା ଭୁଲ ନିଷ୍ପତ୍ତି ନେଇଥିବା ସେ କହିଛନ୍ତି।

ଲୋକେ ବୋଧେ ବୁଝିପାରିଲେନି ବୋଲି ସେ କହିଛନ୍ତି। ଯେଉଁଠି ସରକାର ଅଛି, ପ୍ରଧାନମନ୍ତ୍ରୀ ମୋଦି ଅଛନ୍ତି, ମୁଖ୍ୟମନ୍ତ୍ରୀ ଯୋଗୀ ଅଛନ୍ତି ବିକାଶ ସେଠି ହୁଏ। ତେଣୁ ଲୋକଙ୍କ ଏଭଳି ନିଷ୍ପତ୍ତିକୁ ମନ୍ତ୍ରୀ ଭୁଲ ବୋଲି କହିବା ଆଉ ଏକ ଚର୍ଚ୍ଚାର ପ୍ରସଙ୍ଗ ପାଲଟିଛି।

Leave A Reply

Your email address will not be published.