Latest Odisha News

BREAKING NEWS

ବିନା ସର୍ତ୍ତରେ ରାହୁଲଙ୍କ ହାତ ଧରିବେ ଶର୍ମିଳା!

ଭୁବନେଶ୍ୱର: କଂଗ୍ରେସର ନୂଆ ଫଣ୍ଡା ଏକତା। ନିଜ ଭିତରେ ଲଢେଇ ନ କରି ସମସ୍ତେ ଗୋଟିଏ ପ୍ଲାଟଫର୍ମରେ ଏକାଠି ହେବାକୁ ଦଳ ସବୁଠୁ ଅଧିକ ଧ୍ୟାନ ଦେଉଛି।

ତେଲେଙ୍ଗାନାରେ ଏହାର ବଡ଼ ପ୍ରତିଫଳନ ଦେଖିବାକୁ ମିଳିଛି। ପୂର୍ବରୁ ରାଜସ୍ଥାନ ଓ ଛତିଶଗଡ଼ରେ ଦଳୀୟ ନେତାଙ୍କୁ ମ୍ୟାନେଜ କରି ଗୋଟିଏ ପ୍ଲାଟଫର୍ମକୁ ଆଣିଥିବା ବେଳେ ଏବେ ତେଲେଙ୍ଗାନାରେ ଏଭଳି ଦେଖିବାକୁ ମିଳୁଛି।

ତେଲେଙ୍ଗାନା କଂଗ୍ରେସ ପାଇଁ ଏକ ସୁଯୋଗ ଥିବା ଦଳ ବିଚାର କରୁଥିବାରୁ ଦଳର ବରିଷ୍ଠ ନେତା କୋମତିରେଡ୍ଡୀ ଭେଙ୍କଟ ରେଡ୍ଡୀଙ୍କ ବାସଭବନରେ ଦଳର ସମସ୍ତ ବରିଷ୍ଠ ନେତା ଏକାଠି ହୋଇ ଏକତାର ବାର୍ତା ଦେଇଛନ୍ତି।

ଦଳୀୟ ନେତାମାନେ ଆଗାମୀ ବିଧାନସଭା ନିର୍ବାଚନକୁ ନେଇ ଆଲୋଚନା କରିବା ସହ ଏକ ସାଙ୍ଗରେ ଭୋଜନ କରିଛନ୍ତି। ଯାହାକୁ ନେଇ ରାଜନୈତିକ ଚର୍ଚ୍ଚା ଜୋର ଧରିଛି।

ଏହି ବୈଠକରେ ତେଲେଙ୍ଗାନାର ସମସ୍ତ ବରିଷ୍ଠ କଂଗ୍ରେସ ନେତାଙ୍କ ସମେତ ଏଆଇସିସି ପ୍ରଭାରୀ ମାଣିକରାଓ ଠାକରେ, ପ୍ରଦେଶ କଂଗ୍ରେସ ସଭାପତି ରେଭନ୍ତ ରେଡ୍ଡୀ, କଂଗ୍ରେସ ବିଧାୟକ ଦଳ ନେତା ଭଟ୍ଟୀ ବିକ୍ରମାର୍କ ତଥା ଅନ୍ୟ ବରିଷ୍ଠ ବିଧାୟକ ଓ ସାଂସଦ ଯୋଗ ଦେଇଥିଲେ।

ନିର୍ବାଚନକୁ ନେଇ ସମସ୍ତେ ନିଜ ନିଜର ମତ ରଖିଥିବା ବେଳେ ଆସନ୍ତା ସପ୍ତାହରେ ହେବାକୁ ଥିବା ପଲିଟିକାଲ ଆଫେୟାର୍ସ କମିଟି ବୈଠକରେ ପ୍ରସ୍ତାବ ଗୁଡିକ ସମ୍ପର୍କରେ ଆଲୋଚନା ହେବ।

ଦଳର ବରିଷ୍ଠ ନେତା ଭେଙ୍କଟ ରେଡ୍ଡୀ ନିର୍ବାଚନ ପୂର୍ବରୁ ରାଜ୍ୟରେ ଏକ ବସ ଯାତ୍ରା ନେଇ ମତ ରଖିଥିବା ବେଳେ ସଂପଦ କୁମାର ପଦଯାତ୍ରା ନେଇ ମତ ରଖିଛନ୍ତି। ଦକ୍ଷିଣ ତେଲେଙ୍ଗାନାରେ ପିସିସି ସଭାପତିଙ୍କ ନେତୃତ୍ୱରେ ପଦଯାତ୍ରା କରିବାକୁ ପ୍ରସ୍ତାବ ଦିଆଯାଇଛି।

ପ୍ରିୟଙ୍କା ଗାନ୍ଧୀ ଓ ରାହୁଲ ଗାନ୍ଧୀଙ୍କ ତେଲେଙ୍ଗାନା ଗସ୍ତ ଓ ସଭା ପରେ ଦଳ ସପକ୍ଷରେ ସୃଷ୍ଟି ହୋଇଥିବା ବାତାବରଣକୁ ବଜାୟ ରଖିବା ପାଇଁ ଏସବୁ ସହାୟକ ହେବ ବୋଲି ନେତାମାନେ ମତ ରଖିଛନ୍ତି।

ଏପରିକି ତେଲେଙ୍ଗାନାରେ ବସବାସ କରୁଥିବା ଆନ୍ଧ୍ର ଓ ରାୟଲାସୀମା ଅଞ୍ଚଳର ଲୋକମାନଙ୍କ ଉପରେ ଫୋକସ କରିବାକୁ ପୂର୍ବତନ ପିସିସି ସଭାପତି ପୋନ୍ନାଲା ଲକ୍ଷମାଇୟା କହିଛନ୍ତି। ଯେଉଁମାନଙ୍କ ପ୍ରଭାବ ତେଲେଙ୍ଗାନାର ୪୦ ଟି ନିର୍ବାଚନ ମଣ୍ଡଳୀରେ ରହିଛି।

ସେହିପରି ଜାତିଗତ ଗଣନାକୁ ଏକ ପ୍ରମୁଖ ପ୍ରସଙ୍ଗ କରିବା ସହ ଏକକ ନାଗରିକ ସଂହିତାକୁ ନେଇ ଦଳର ଆଭିମୁଖ୍ୟକୁ ମଧ୍ୟ ଏକ ପ୍ରସଙ୍ଗ କରିବା ସପକ୍ଷରେ ମତ ପ୍ରକାଶ ପାଇଛି।

ଏପରିକି ଦଳୀୟ ଟିକେଟ ବଣ୍ଟନ ନେଇ କିଛି ଖବର ପ୍ରସାରିତ ହେଉଥିବା ବେଳେ କିଛି ବରିଷ୍ଠ ନେତାଙ୍କ ନାଁ ଏଥିରୁ ବାଦ ପଡିବାକୁ ନେଇ ଚର୍ଚ୍ଚା ହେଉଛି। ଏହା ଦଳ ଉପରେ ଖରାପ ପ୍ରଭାବ ପକାଇପାରେ ବୋଲି କୁହାଯାଇଛି।

ଏପରିକି ୱାଇଏସଆର ତେଲେଙ୍ଗାନା ପାର୍ଟି ମୁଖ୍ୟ ୱାଇଏସ ଶର୍ମିଳାଙ୍କ କଂଗ୍ରେସରେ ମିଶିବା ସମ୍ପର୍କରେ ଚର୍ଚ୍ଚା ହୋଇଛି। କିନ୍ତୁ ଯେଉଁମାନେ ମିଶିବାକୁ ଚାହୁଁଛନ୍ତି ସେମାନେ କିଛି ସର୍ତ୍ତ ନ ରଖିବା ଆବଶ୍ୟକ ବୋଲି କଂଗ୍ରେସର ବରିଷ୍ଠ ନେତାମାନେ ମତ ଦେଇଛନ୍ତି।

Leave A Reply

Your email address will not be published.