ଭୁବନେଶ୍ୱର: ବହୁଚର୍ଚ୍ଚିତ ଲୋମହର୍ଷଣକାରୀ ମମିତା ମେହେର ହତ୍ୟାକାଣ୍ଡରେ ପୋଲିସ ଚାର୍ଜସିଟ ଦେଇଛି । ଏହି ହତ୍ୟାକାଣ୍ଡରେ ବିବାଦୀୟ ଥିବା ଗୃହରାଷ୍ଟ୍ର ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ତଦନ୍ତ ପରିସରଭୁକ୍ତ କରାଯାଇ ନାହିଁ । ତାହାହେଲେ ପୋଲିସ କେବଳ ଦୁଇଜଣଙ୍କୁ ଅଭିଯୁକ୍ତ ଦର୍ଶାଇ ଘଟଣାରେ ଜଡ଼ିତ ଥିବା ସେକ୍ସକାଣ୍ଡାଲ ଯାହା ହତ୍ୟାର କାରଣ ସେ ସଂପର୍କରେ ତଦନ୍ତ ନକରି ଦୋଷୀଙ୍କୁ ଖସାଇଦେବା ଯୋଜନା କରିଛି ବୋଲି ଆଜି ଏହି ପ୍ରସଙ୍ଗରେ ଗୃହରାଷ୍ଟ୍ରମନ୍ତ୍ରୀ ମନ୍ତ୍ରୀଙ୍କୁ ଟାର୍ଗେଟ କରିଛି କଂଗ୍ରେସ ।
ଆଜି କଂଗ୍ରେସ ଭବନରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ପ୍ରଦେଶ କଂଗ୍ରେସ ନିର୍ବାଚନ ଗଣମାଧ୍ୟମ ମୁଖ୍ୟ ତଥା ପ୍ରଦେଶ କଂଗ୍ରେସ ମୁଖପାତ୍ର ମନୋଜ ମହାପାତ୍ର କହିଲେଯେ ଗୃହରାଷ୍ଟ୍ର ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ବହୁଚର୍ଚ୍ଚିତ ମମିତା ମେହେର ହତ୍ୟାକାଣ୍ଡରେ ସଂପୃକ୍ତ ଥିବାନେଇ ମମିତାର ମାତା ପିତା ଅଭିଯୋଗ କରିଥିଲେ । କେବଳ ସଂପୃକ୍ତି ନୁହେଁ ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁଙ୍କୁ ଖସାଇଦେବା ଓ ଘଣ୍ଟ ଘୋଡ଼ାଇବା ପଛରେ ଶ୍ରୀ ମିଶ୍ରଙ୍କର ଭୂମିକା ସଂଦେହ ଜନକ ଥିବା ଅଭିଯୋଗ ହୋଇଥିଲା । ହତ୍ୟାର କାରଣ ମହାଲିଙ୍ଗ କଲେଜରେ ଚାଲୁଥିବା ସେକ୍ସକାଣ୍ଡାଲ ଓ ଏହି ସ୍କାଣ୍ଡାଲରେ ପ୍ରତିଭାଶାଳୀ ଲୋକଙ୍କର ସଂପୃକ୍ତି ସଂପର୍କରେ ପୋଲିସ ଠିକ ଭାବେ ତଦନ୍ତ କରିନାହିଁ । ଗୃହରାଷ୍ଟ୍ର ମନ୍ତ୍ରୀ ସେ କେବେ ଫେରାର ନଥିବା ଓଡ଼ିଶାରେ ଥିବା ଦାବି କରି ବିରୋଧିଙ୍କୁ ତାହାର ପ୍ରମାଣ ମାଗିଥିଲେ । ଆଜି ମନ୍ତ୍ରୀଙ୍କର ରାୟପୁରରୁ ଚଣ୍ଡିଗଡ଼ ଗସ୍ତର ଏକ ଭିଡିଓ ଜାରି କରି ତାଙ୍କ ଠାରୁ ସ୍ପଷ୍ଟିକରଣ ମାଗିଛନ୍ତି କଂଗ୍ରେସ ମୁଖପାତ୍ର ଶ୍ରୀ ମହାପାତ୍ର ।
ପୁନଶ୍ଚ ଶ୍ରୀ ମହାପାତ୍ର କହିଲେ ଯେ ଅକ୍ଟୋବର ୮ ତାରିଖରେ ମମିତାର ହତ୍ୟା ହୋଇଛି । ୯ ତାରିଖରେ ପରିବାରର ଅଭିଯୋଗକୁ କେଗାଁ ଥାନା ଗ୍ରହଣ କରୁନାହିଁ । ୧୧ ତାରିଖରେ ମନ୍ତ୍ରୀ ଭବାନୀ ପାଟଣା ପଂହଚିଲେ । ୧୨ ତାରିଖରୁ ମନ୍ତ୍ରୀ ଆତ୍ମଗୋପନ କଲେ । ସୂଚନାଅଧିକାର ଆଇନବଳରେ ମଗାଯାଇଥିବା ସୂଚନା ଅନୁସାରେ ମନ୍ତ୍ରୀଙ୍କର ୧୨ ତାରିଖରୁ ୨୦ ତାରିଖ ପର୍ଯ୍ୟନ୍ତ ଗସ୍ତକୁ ଦିଆଯାଉ ନାହିଁ । ତାହାହେଲେ ୧୨ ତାରିଖରେ ମନ୍ତ୍ରୀ ଗୋବିନ୍ଦକୁ ନେଇ ରାୟପୁର ଘରେ ଆଶ୍ରୟ ଦେଇଥିଲେ କି? ୧୩ ତାରିଖରେ ସିଦେ୍ଧକେଲା ଥାନା ମକୋଦ୍ଦମା ରୁଜୁ କରିବା ପରେ ଗୋବିନ୍ଦ ସାହୁଙ୍କୁ ବିଦାକରି ନିଜେ ୧୫ ତାରିଖରେ ରାୟପୁରରୁ ଚଣ୍ଡିଗଡ଼ ପଳାଇଥିଲେକି? ୧୮ ତାରିଖରେ ମନ୍ତ୍ରୀ ଚଣ୍ଡିଗଡ଼ରୁ ରାୟପୁର ଫେରିବା ପରେ ପୋଲିସ ହାଜତରୁ ଫେରାରଥିବା ଗୋବିନ୍ଦ ସାହୁ ୧୯ ତାରିଖରେ ଆଖୁ ବାଡ଼ିରୁ ଧରାପଡ଼ିଲେ ଏହା ସଂଯୋଗ ନା ପ୍ରୟୋଗ ? ମନ୍ତ୍ରୀ ସରକାରୀ କାମରେ ଯାଇଥିଲେ ନା ବ୍ୟକ୍ତିଗତ କାମରେ ଯାଇଥିଲେ ତାହା ସ୍ପଷ୍ଟ କରନ୍ତୁ ।
ଯଦି ଏ ସଂପର୍କରେ ସରକାରଙ୍କ ଠାରୁ ଅନୁମତି ନେଇଛନ୍ତି ତ? ଓଡ଼ିଶା ରାଜ୍ୟ ସରକାର ମନ୍ତ୍ରୀଙ୍କର ୧୨ରୁ ୨୦ ତାରିଖ ଯାଏ ପର୍ଯ୍ୟନ୍ତ ଗସ୍ତସୂଚୀକୁ କାହିଁକି ଲୁଚେଇ ରଖୁଛନ୍ତି ତାହା କାରଣ କଣ? ମନ୍ତ୍ରୀ ଦୁରରୁ ପୋଲିସ ସାଙ୍ଗରେ ଯୋଗାଯୋଗ ରଖି ଘଟଣାକୁ ଚପାଇ ଦେବା ଉଦ୍ୟମ କରୁଥିଲେ କି? ଗୃହରାଷ୍ଟ ମନ୍ତ୍ରୀ, ଗୋବିନ୍ଦ ସାହୁ ଓ ଘଟଣାରେ ସଂପୃକ୍ତ ଅନ୍ୟମାନଙ୍କର ମୋବାଇଲ କଲ ରେକର୍ଡ ଯାଂଚ କରାଯାଇଛିକି ଯଦି ନୁହେଁ କାହା ସ୍ୱାର୍ଥରେ? ମମିତା ମେହେରର ପେନଡ୍ରାଇଭ ଓ ମୋବାଇଲକୁ ଯାଂଚ ପରିସରଭୁକ୍ତ କରାଯାଇ ପେନଡ୍ରାଇଭରେ ଲୁଚିଥିବା ସେକ୍ସକାଣ୍ଡାଲ ତଥ୍ୟକୁ ଯାଂଚ କରାଯାଇଛିକି? ସେକ୍ସ କାଣ୍ଡାଲରେ ଚଳାଉଥିବା ଅନ୍ୟ ଦୁଇଜଣ ଯୁବତୀକୁ ତଦନ୍ତ ପରିସରଭୁକ୍ତ କରାଯାଇ ନାହିଁ କାହିଁକି? ଏହି ସମ୍ବେଦନଶୀଳ ଦୋଷୀକୁ ଦଣ୍ଡିତ କରିବା ପାଇଁ ପୋଲିସ ଉଦ୍ୟମ କରିବା ପରିବର୍ତେ ଦୋଷୀ ଖସିଯିବା ପାଇଁ ବାଟ ତିଆରି କରାଯାଇଛି । ମା’କୁ ସମ୍ମାନର ନାରା ଦେଉଥିବା ରାଜ୍ୟ ସରକାର ନିରବଦ୍ରଷ୍ଟା ସାଜିଥିବା ଦୁଭାର୍ଗ୍ୟଜନକ । ରାଜ୍ୟ ସରକାର, ପୋଲିସ ପ୍ରଶାସନ ଓ ବ୍ୟବସ୍ଥା ମମିତା ମେହେରଙ୍କୁ ନ୍ୟାୟ ଦେଇ ପାରିବ କି ନାହିଁ ତାହା ସଂଦେହ ଘେରରେ ଯାହା ସଭ୍ୟସମାଜ ପାଇଁ ଲଜ୍ଜାଜନକ ଓ ଦୁଃଖଦାୟକ ଘଟଣା ବୋଲି କଂଗ୍ରେସ ତରଫରୁ କୁହାଯାଇଛି । ଏହି ସାମ୍ବାଦିକ ସମ୍ମିଳନୀରେ ବରିଷ୍ଠ କଂଗ୍ରେସ ନେତା ତଥା ମୁଖପାତ୍ର ମନୋରଞ୍ଜନ ଦାଶ ଉପସ୍ଥିତ ଥିଲେ ।
Comments are closed.