Latest Odisha News

BREAKING NEWS

ସୋନିଆ, ରାହୁଲ ଦଳୀୟ ପଦବୀରୁ ଇସ୍ତଫା ଦେବେ ? ଜବାବ ରଖିଲେ କଂଗ୍ରେସ ମୁଖପାତ୍ର

ନୂଆଦିଲ୍ଲୀ: ଆସନ୍ତାକାଲି କଂଗ୍ରେସ କାର୍ଯ୍ୟକାରିଣୀ ବୈଠକ ବସିବ । ଏହା ପୂର୍ବରୁ କିନ୍ତୁ ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀ ଦଳୀୟ ପଦବୀରୁ ଇସ୍ତଫା ଦେବେ ବୋଲି ଚର୍ଚ୍ଚା ସୃଷ୍ଟି ହୋଇଥିଲା । ଜାତୀୟ ଗଣମାଧ୍ୟମ ଏଡିଟିଭିର ଏକ ରିପୋର୍ଟ ପ୍ରକାଶ ପାଇଥିଲା। ଏହାକୁ ନେଇ ବିଭିନ୍ନ ମିଡିଆ, ସୋଶିଆଲ ମିଡିଆରେ ଚର୍ଚ୍ଚା ଆରମ୍ଭ ହୋଇଥିଲା।

କିନ୍ତୁ ଏପରି ଖବରକୁ ପ୍ରତ୍ୟାଖ୍ୟାନ କରିଛନ୍ତି କଂଗ୍ରେସ ମୁଖପାତ୍ର ତଥା ଦଳର ପୂର୍ବତନ ସଭାପତି ରାହୁଲ ଗାନ୍ଧୀଙ୍କ ନିକଟତମ ବ୍ୟକ୍ତି ରଣଦୀପ ସୁରଜେଓ୍ୱାଲା । ଏପରି ରିପୋର୍ଟର କୌଣସି ଆଧାର ନାହିଁ ବୋଲି କହିବା ସହିତ ସଂପୃକ୍ତ ଗଣମାଧ୍ୟମ ସଂସ୍ଥା ଉପରେ ବର୍ଷିଛନ୍ତି।

ପାଞ୍ଚ ରାଜ୍ୟର ବିଧାନସଭା ନିର୍ବାଚନରେ କଂଗ୍ରେସର ଶୋଚନୀୟ ପରାଜୟ ହୋଇଛି। ଏହାପରେ କଂଗ୍ରେସର ଅସନ୍ତୁଷ୍ଠ ଗୋଷ୍ଠୀ ଶୁକ୍ରବାର ଗୁଲାମ ନବୀ ଆଜାଦଙ୍କ ଘରେ ବୈଠକ କରିଛନ୍ତି । ଯେଉଁଥିରେ ପଂଜାବର କଂଗ୍ରେସ ନେତା ମନୀଷ ତିଓ୍ୱାରୀ ଭଳି ନେତା ମଧ୍ୟ ଉପସ୍ଥିତ ଥିଲେ । ଯଦିଓ ଦଳର ସଭାପତି ନିର୍ବାଚନ ସେପ୍ଟେମ୍ବରରେ ହେବ ବୋଲି ଦଳ ପକ୍ଷରୁ କୁହାଯାଇଛି, ହେଲେ ଏଆଇସିସି ଆସନ୍ତାକାଲିର ବୈଠକ ପରେ ଶୀଘ୍ର ସଭାପତି ପଦ ପାଇଁ ନିର୍ବାଚନ କରିପାରେ । ବର୍ଷ ଶେଷରେ ଗୁଜରାଟ ଏହାପରେ ତ୍ରିପୁରା ଆଦି ରାଜ୍ୟରେ ବିଧାନସଭା ନିର୍ବାଚନ ରହିଛି । ଏହା ପୂର୍ବରୁ କଂଗ୍ରେସ ଦଳର ଆଭିମୁଖ୍ୟ ପରିବର୍ତ୍ତନ କରି 2024 ସାଧାରଣ ନିର୍ବାଚନ ପାଇଁ ଖୁବଶୀଘ୍ର ପ୍ରସ୍ତୁତ ହେବ ବୋଲି ଜଣାପଡିଛି।

Comments are closed, but trackbacks and pingbacks are open.