ନୂଆଦିଲ୍ଲୀ: ଦିଲ୍ଲୀରେ କେମିତି ପ୍ରଦର୍ଶନ କରିବ କଂଗ୍ରେସ? କମାଲ୍ କରିବ ନା ପୁଣି ନିରାଶ କରିବ? ଏକଜିଟ ପୋଲ ସତ ହେଲେ ଏଥର ବି ଦିଲ୍ଲୀରୁ ନିରାଶା ପାଇପାରେ କଂଗ୍ରେସ । ଅଧିକାଂଶ ବୁଥବାହୁଡା ସର୍ଭେରେ କଂଗ୍ରେସ ଶୂନ ସ୍କୋର ସହ ହ୍ୟାଟ୍ରିକ୍ କରିପାରେ ବୋଲି ଆକଳନ କରାଯାଇଛି। ଗତ ଦୁଇଟି ବିଧାନସଭା ନିର୍ବାଚନରେ କଂଗ୍ରେସ ଦିଲ୍ଲୀରେ ଖାତା ଖୋଲି ପାରିନଥିବା ବେଳେ ଏଥର ବି ସମାନ ସ୍ଥିତି ବଜାୟ ରହିପାରେ । ଦିଲ୍ଲୀରେ ୧୫ବର୍ଷ ଧରି କ୍ଷମତାରେ ରହିଥିବା କଂଗ୍ରେସ ପାଇଁ ଏଥର ବି ଜାତୀୟ ରାଜଧାନୀରୁ ଶୁଭ ଖବର ମିଳିନପାରେ । ତେବେ ପ୍ରଶ୍ନ ଉଠୁଛି, କାହିଁକି ଦିଲ୍ଲୀରେ ପୁଣି କଂଗ୍ରେସ ଶୂନ ଅଙ୍କ ରଖିବ ବୋଲି ଆକଳନ ହେଉଛି ?
ଆପର ଲାଭ କଂଗ୍ରେସର କ୍ଷତି
୧୯୯୮ରୁ ୨୦୧୩ ପର୍ଯ୍ୟନ୍ତ ଦିଲ୍ଲୀରେ ଶାସନ ଗାଦିରେ ବସିଥିଲା କଂଗ୍ରେସ । ହେଲେ ଆପ୍ ନିର୍ବାଚନ ରାଜନୀତିରେ ଏଣ୍ଟ୍ରି କରିବା ସହ ନିଜ ଜନାଧାର ହରାଇବାରେ ଲାଗିଥିଲା କଂଗ୍ରେସ । ୨୦୧୩ରେ ଆପ ୩୦ପ୍ରତିଶତ ଭୋଟ୍ ସହ ୨୮ଟି ସିଟ୍ ପାଇଥିବା ବେଳେ କଂଗ୍ରେସ ଖାତାକୁ ଯାଇଥିଲା ମାତ୍ର ୮ଟି ସିଟ । ୨୦୧୫ ଓ ୨୦୨୦ ବିଧାନସଭା ନିର୍ବାଚନରେ ତ କଂଗ୍ରେସ ସ୍ଥିତି ଆହୁରି ଶୋଚନୀୟ ହୋଇଯାଇଥିଲା । ହାତକୁ ଗୋଟିଏ ବି ସିଟ୍ ଆସିନଥିଲା । ୨୦୧୫ରେ ୯.୭ପ୍ରତିଶତ ଭୋଟ୍ ତ ୨୦୨୦ରେ ୪.୨୬ପ୍ରତିଶତ ଭୋଟ୍ ପାଇଥିଲା କଂଗ୍ରେସ । ଏଥର କିଛି ସିଟରେ କଂଗ୍ରେସ ଭଲ ପ୍ରଦର୍ଶନ କରିବା ନେଇ ଆଶା କରାଯାଉଛି । ତେବେ ଏକଜିଟ ପୋଲରେ ସେଭଳି ସଂକେତ ମିଳିନି । ଆପ୍ ଜାଗାରେ ବିଜେପି କ୍ଷମତାକୁ ଆସିବା ନେଇ ଆକଳନ କରାଯାଇଛି, ହେଲେ କଂଗ୍ରେସର ଅଚ୍ଛେ ଦିନ୍ ଆସିବା ନେଇ କୌଣସି ସଂସ୍ଥା କହିନାହାନ୍ତି ।
ନେତୃତ୍ବ ସଂକଟ
ଶିଲା ଦୀକ୍ଷିତଙ୍କ ନେତୃତ୍ବରେ ଦିଲ୍ଲୀରେ ୧୫ବର୍ଷ ଧରି ରାଜ୍ କରିଥିଲା କଂଗ୍ରେସ । ଏବେବି ଦଳ କହୁଛି, କଂଗ୍ରେସ ଶାସନ ବେଳର ବିକାଶକୁ ଭୁଲି ନାହାନ୍ତି ଭୋଟର । ହେଲେ ଶିଲା ଦୀକ୍ଷିତଙ୍କ ପରି ନେତୃତ୍ବ ଏବେ ଦିଲ୍ଲୀ କଂଗ୍ରେସରେ ନାହାନ୍ତି । ସାଂଗଠନିକ ସ୍ଥିତି ଦୁର୍ବଳ ରହିଥିବା ବେଳେ ତୃଣମୂଳସ୍ତରର କର୍ମୀ ବି ଗତ କିଛି ବର୍ଷ ହେଲା କମିଛନ୍ତି । ରାଜନୈତିକ ସମୀକ୍ଷକଙ୍କ ମତରେ, କଂଗ୍ରେସର ପାରମ୍ପରିକ ସଂଖ୍ୟାଲଘୁ, ନିମ୍ନରୋଜଗାରକ୍ଷମ ଭୋଟର ଆପକୁ ସ୍ଥାନାନ୍ତର ହୋଇଛି । ଆପର ଜନକଲ୍ୟାଣକାରୀ ଯୋଜନା ପାଇଁ ସେମାନେ କଂଗ୍ରେସ ଅପେକ୍ଷା ଆପକୁ ବାଛିଛନ୍ତି ।
କଂଗ୍ରେସରେ ନାରେଟିଭ୍ ଅଭାବ
ଆପ ଶାସନ ମଡେଲ୍ କଂଗ୍ରେସର ପୂର୍ବ ବିକାଶକୁ ଘୋଡାଇ ଦେଇଛି । ଯେବେକି ପୂର୍ବ ସଫଳତା ଦୋହରାଇବା ଛଡା କଂଗ୍ରେସ ପାଖରେ କିଛି ନୂଆ ନାରେଟିଭ୍ ନାହିଁ । ବିଜେପି ପରିବର୍ତ୍ତନର ନାରା ସହ ଦିଲ୍ଲୀ ଜନତାଙ୍କ ପାଖରେ ପହଞ୍ଚିଥିଲେ ବି ପଛରେ ପଡିଛି କଂଗ୍ରେସ । ଏଥର ଆପଠାରୁ ଅଲଗା ହୋଇ ଏକାକୀ ନିର୍ବାଚନ ଲଢିଛି କଂଗ୍ରେସ । ନିର୍ବାଚନ ଇସ୍ତାହାରରେ ମହିଳାଙ୍କୁ ମାସିକ ଅଢେଇ ହଜାର ଟଙ୍କା ଓ ୨୫ଲକ୍ଷ ଟଙ୍କାର ସ୍ବାସ୍ଥ୍ୟ ବୀମା ପରି ବିଭିନ୍ନ ଯୋଜନା ଘୋଷଣା ବି କରିଛି । ହେଲେ ଏକଜିଟ୍ ପୋଲର ଆକଳନ ସତ ହେଲେ ଏସବୁର ବିଶେଷ ପ୍ରଭାବ ଦିଲ୍ଲୀବାସୀଙ୍କ ଉପରେ ପଡିନି । ବିଜେପି ଓ ଆପ ଅପେକ୍ଷା ଭୋଟର କାହିଁକି କଂଗ୍ରେସକୁ ବାଛିବେ ସେନେଇ ସ୍ବତନ୍ତ୍ର ଏଜେଣ୍ଡା ଦେଖାଇବାରେ କେଉଁଠି ନା କେଉଁଠି ବିଫଳ ହୋଇଛି କଂଗ୍ରେସ ।
ଇଣ୍ଡିଆ ମେଣ୍ଟରେ ଗଡ଼ବଡ଼
ଇଣ୍ଡିଆ ମେଣ୍ଟରେ କଂଗ୍ରେସ ଓ ଆପ୍ ସହଯୋଗୀ ହୋଇଥିବା ବେଳେ ଦିଲ୍ଲୀ ନିର୍ବାଚନରେ ମୁହାଁମୁହିଁ ହୋଇଥିଲେ । ଦିଲ୍ଲୀ ନିର୍ବାଚନର କିଛି ମାସ ପୂର୍ବରୁ ଦିଲ୍ଲୀରେ ରାଲି କରି ଆପ୍ ମୁଖ୍ୟ ଅରବିନ୍ଦ କେଜ୍ରିଓ୍ବାଲଙ୍କୁ ଜେଲରୁ ମୁକ୍ତ କରିବାକୁ ଦାବି କରୁଥିଲେ ରାହୁଲ ଗାନ୍ଧୀ । ହେଲେ ଜାନୁଆରୀ ୨୮ରେ ଦିଲ୍ଲୀ ମଦ ଦୁର୍ନୀତିକୁ ନେଇ କେଜ୍ରିଓ୍ବାଲ ଓ ମନୀଷ ସିସୋଦିଆଙ୍କୁ ଟାର୍ଗେଟ୍ କଲେ । ଏପରିକି ଶିଶମହଲ ବିବାଦକୁ ନେଇ ବି କେଜ୍ରିଓ୍ବାଲଙ୍କୁ ସମାଲୋଚନା କଲେ ରାହୁଲ । ସେପଟେ ଇଣ୍ଡିଆ ମେଣ୍ଟର ଅନ୍ୟ ସହଯୋଗୀ ଟିଏମସି ଓ ସମାଜବାଦୀ ପାର୍ଟି ଖୋଲାଖୋଲି କେଜ୍ରିଓ୍ବାଲଙ୍କ ପାଇଁ ଭୋଟ୍ ମାଗିଲେ । ରାହୁଲଙ୍କ ସ୍ବରରେ ପରିବର୍ତ୍ତନ ଓ ମେଣ୍ଟ ସହଯୋଗୀଙ୍କ ନୂଆ ସ୍ବରକୁ ନେଇ ଭୋଟରଙ୍କ ମନରେ ଦ୍ବନ୍ଦ୍ବ ହେବା ସ୍ବାଭାବିକ । ଏକଜିଟ୍ ପୋଲରେ କଂଗ୍ରେସ ଦିଲ୍ଲୀରୁ ନିରାଶା ପାଇବା ନେଇ କୁହାଯାଇଥିଲେ ବି ଫେବ୍ରୁଆରୀ ୮ତାରିଖରେ ପ୍ରକୃତ ଫଳାଫଳ ଜଣାପଡିବ ।
Comments are closed.