Latest Odisha News

ଦିଲ୍ଲୀ ହାରିଲେ ଆପ୍ ପାଇଁ ବଡ଼ ସଂକଟ

ନୂଆଦିଲ୍ଲୀ: ଦିଲ୍ଲୀ ହାରିଯିବ କି ଆମ ଆଦମୀ ପାର୍ଟି? ଅଧିକାଂଶ ଏକଜିଟ୍ ପୋଲ ରିପୋର୍ଟରେ ଆପ୍ ଦିଲ୍ଲୀ ହାରିବା ନେଇ ଆକଳନ କରାଯାଇଛି । ତେବେ ଯଦି ଏକଜିଟ୍ ପୋଲ ଆକଳନ ସତ ହୁଏ, ତେବେ ଆପକୁ ଦିଲ୍ଲୀ ପରାଜୟ ମହଙ୍ଗା ପଡିପାରେ । ଆପ୍ ଯଦି ନିର୍ବାଚନ ହାରେ ତେବେ ଦଳ ଇଭିଏମ୍ ଉପରେ ପ୍ରଶ୍ନ କରିବା ସହ ନକଲି ଭୋଟର ପ୍ରସଙ୍ଗ ଉଠାଇପାରେ । କାରଣ ନିର୍ବାଚନ ପୂର୍ବରୁ ମଧ୍ୟ ଏସବୁକୁ ପ୍ରସଙ୍ଗ କରିଛି ଦଳ । ତେବେ ସବୁଠୁ ବଡ଼ ପ୍ରଶ୍ନ, ଆପ୍ ହାରିଲେ ଦଳ ଉପରେ କି ପ୍ରଭାବ ପଡିବ? ପଞ୍ଜାବ ଆପ୍ ପାଇଁ ବିପଦ ବଢିବ କି ? ଆଉ ଯଦି ଆପ୍ ନିର୍ବାଚନ ଜିତିଯାଏ, ତେବେ ଜାତୀୟସ୍ତରରେ କି ପ୍ରଭାବ ପକାଇବ?

ହାରିଲେ ଆପ୍ ପାଇଁ ବଡ଼ ସଂକଟ

ଦିଲ୍ଲୀରୁ ହିଁ ରାଜନୀତିରେ ଏଣ୍ଟ୍ରି କରିଥିଲା ଆପ୍ । ଦଳ ଗଠନ ପରଠୁ ଆପ୍ ଦିଲ୍ଲୀରେ କେବେ ହାରିନି । ଆଉ ଯଦି ଏକଜିଟ୍ ପୋଲ ଆକଳନ ଅନୁସାରେ ଏଥର ଦଳ ହାରିଯାଏ, ତେବେ ଆପ୍ ପାଇଁ ସବୁଠୁ ବଡ଼ ଝଟକା ହେବ । ଏପରିକି ଦଳ ଭାଙ୍ଗିବା ନେଇ ବି ଆଶଙ୍କା ରହିବ । ଆପ୍ ଦିଲ୍ଲୀ ହାରିବା ପରେ ଦଳର ଅନେକ ନେତା ଅନ୍ୟ ଦଳକୁ ଯାଇପାରନ୍ତି । ଆପ୍ ମୁଖ୍ୟ ଅରବିନ୍ଦ କେଜ୍ରିଓ୍ବାଲ ହୁଅନ୍ତୁ କି ମନୀଷ ସିସୋଦିଆ ଦୁର୍ନୀତି ଅଭିଯୋଗରେ ଜେଲ୍ ଯାଇଥିଲେ । ତେବେ ଆପକୁ ନିର୍ବାଚନ ଅଦାଲତରେ ଜନତା ଦୋଷୀ ମାନିଥିବା କହିବ ବିଜେପି । ଦୁର୍ନୀତି ଅଭିଯୋଗର ଫଇସଲା ଜନତା କରି ଆପ ବିପକ୍ଷରେ ଭୋଟ ଦେଇଥିବା କୁହାଯିବ ।

ପଞ୍ଜାବରେ ଦିଲ୍ଲୀ ଇଫେକ୍ଟ

ଦିଲ୍ଲୀରେ ଆପ୍ ନିର୍ବାଚନ ହାରିଲେ ଏହାର ପ୍ରଭାବ ପଞ୍ଜାବରେ ବି ଦେଖିବାକୁ ମିଳିପାରେ । ସେଠାରେ ବି ସରକାର ଭାଙ୍ଗିବାକୁ ଉଦ୍ୟମ କରିପାରେ ବିଜେପି । ପଞ୍ଜାବରେ ସରକାର ଗଠନ କରିବା ସ୍ଥିତିରେ ନାହିଁ ବିଜେପି । ତେବେ ଦିଲ୍ଲୀ ହାରିଲେ ଆପର ମନୋବଳ ଭାଙ୍ଗିବା ସହ ଏହାର ପ୍ରଭାବ ପଞ୍ଜାବ ଉପରେ ବି ପଡିପାରେ । ଜାତୀୟସ୍ତରରେ ଆପର ବିସ୍ତାର କରିବା ନେଇ ଅରବିନ୍ଦ କେଜ୍ରିଓ୍ବାଲଙ୍କ ଯୋଜନାକୁ ବଡ଼ ଝଟକା ଲାଗିବ । କେବଳ ସେତିକି ନୁହେଁ ଆପ୍ ହାରିଲେ ଅରବିନ୍ଦ କେଜ୍ରିଓ୍ବାଲ, ମନୀଷ ସିସୋଦିଆ, ସତ୍ୟେନ୍ଦ୍ର ଜୈନ ଓ ସଞ୍ଜୟ ସିଂଙ୍କ ଭଳି ନେତାଙ୍କ ସଂକଟ ବଢିପାରେ । ଏବେ ଏମାନେ ଜେଲ୍ ଗଲେ ପୂର୍ବ ଭଳି ସୁବିଧା ମିଳିନପାରେ । ଦିଲ୍ଲୀ ସରକାରଙ୍କ ଖର୍ଚ୍ଚରେ ଦେଶର ଟପ୍ ଓକିଲ ଏମାନଙ୍କ କେସ୍ ଲଢୁଥିବା ବେଳେ କ୍ଷମତାରୁ ଗଲେ ଏଥିରୁ ବଞ୍ଚିତ ହେବେ । ଆପ ସରକାରର ଅନ୍ୟ ଦୁର୍ନୀତି ମାମଲା ବି ସାମନାକୁ ଆସିପାରେ।

ଜିତିଲେ ଚମକିବ ଆପ୍

ଏକଜିଟ୍ ପୋଲର ଆକଳନ ସତ୍ବେ ଯଦି ପୁଣି ଦିଲ୍ଲୀରେ ଆପ୍ ବିଜୟୀ ହୁଏ ତେବେ ପ୍ରଥମ ନେତା ଭାବେ ଚତୁର୍ଥ ଥର ସିଏମ୍ ହେବେ ଅରବିନ୍ଦ କେଜ୍ରିଓ୍ବାଲ। କେବଳ ଦିଲ୍ଲୀ ନୁହେଁ ଜାତୀୟ ରାଜନୀତିରେ କେଜ୍ରିଓ୍ବାଲଙ୍କ ଗୁରୁତ୍ବ ବଢିବ । ପଞ୍ଜାବ ପରେ ଅନ୍ୟ ରାଜ୍ୟରେ ବି ଦଳକୁ ବିସ୍ତାର କରିବାକୁ ଯୋଜନା କରିବ ଆପ୍ । ବିଜେପିର ଏତେ ପ୍ରଚାର ସତ୍ତ୍ବେ ଦିଲ୍ଲୀବାସୀ ଆପକୁ ଦୁର୍ନୀତିମୁକ୍ତ ଭାବୁଥିବା ସ୍ପଷ୍ଟ ହେବ । ଆପ ଓ ଅରବିନ୍ଦ କେଜ୍ରିଓ୍ବାଲଙ୍କୁ ଯେ, କୌଣସି ସ୍ଥିତିରେ ବିଜେପି ମୁକାବିଲା କରିପାରିବନି ତାହା ପ୍ରମାଣିତ ହେବ । ଶାସନ ବିରୋଧୀ ଲହର ସତ୍ବେ ଆପ୍ ଜିତିଲେ କେଜ୍ରିଓ୍ବାଲଙ୍କ ନିର୍ବାଚନ ରଣନୀତି ଉପରେ ମୋହର ଲାଗିବ ।

ଇଣ୍ଡିଆ ମେଣ୍ଟ ଉପରେ ଦିଲ୍ଲୀ ଫଳର ପ୍ରଭାବ

ଇଣ୍ଡିଆ ମେଣ୍ଟର ଦୁଇ ସହଯୋଗୀ ଆପ୍ ଓ କଂଗ୍ରେସ ଦିଲ୍ଲୀରେ ପରସ୍ପର ବିରୋଧରେ ନିର୍ବାଚନ ଲଢିଛନ୍ତି । ତେଣୁ ଦିଲ୍ଲୀରେ ଆପର ହାର ଜିତର ପ୍ରଭାବ ବିରୋଧୀ ମେଣ୍ଟ ଉପରେ ପଡିବ । ଯଦି ଆପ୍ ଜିତେ ତେବେ କେଜ୍ରିଓ୍ବାଲଙ୍କ ନେତୃତ୍ବ ପ୍ରତି ସମର୍ଥନ ବଢିବ । ପୂର୍ବରୁ ଶରଦ ପାଓ୍ବାରଙ୍କ ଏନସିପି, ଉଦ୍ଧବ ଠାକରେଙ୍କ ଶିବସେନା, ଅଖିଳେଶ ଯାଦବଙ୍କ ଏସପି ଓ ମମତା ବାନାର୍ଜୀଙ୍କ ଟିଏମସି କେଜ୍ରିଓ୍ବାଲଙ୍କୁ ସମର୍ଥନ ଜଣାଇଛନ୍ତି । ତେଣୁ ପୁଣି କେଜ୍ରିଓ୍ବାଲ ହିରୋ ହେବେ । ଆଉ ଯଦି ଆପ୍ ନିର୍ବାଚନ ହାରିଯାଏ, ତେବେ କଂଗ୍ରେସକୁ ପ୍ରଶ୍ନ କରିପାରନ୍ତି ଇଣ୍ଡିଆ ମେଣ୍ଟର ସହଯୋଗୀ । କଂଗ୍ରେସ ଭୋଟ୍ କାଟିବା ଯୋଗୁଁ ବିଜେପି କ୍ଷମତାକୁ ଆସିଲା ବୋଲି ସମାଲୋଚନା ହୋଇପାରେ । ତେଣୁ ଶନିବାର ଫଳାଫଳ ଉପରେ କେବଳ ଦିଲ୍ଲୀ ନୁହେଁ ସାରା ଦେଶର ନଜର ରହିଛି ।

Comments are closed.