Latest Odisha News

BREAKING NEWS

ଆସନ୍ତାକାଲି କଂଗ୍ରେସର ଓଡ଼ିଶା ବନ୍ଦ ଡ଼ାକରା

ଭୁବନେଶ୍ୱର: ଆସନ୍ତାକାଲି କଂଗ୍ରେସର ୬ଘଣ୍ଟିଆ ଓଡ଼ିଶା ବନ୍ଦ ଡ଼ାକରା। ମମିତା ମେହେର ହତ୍ୟା ମାମଲାରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଇସ୍ତଫା ଦାବିରେ ଏହି ବନ୍ଦ ପାଳନ କରାଯିବ। ସକାଳ ୬ରୁ ଦିନ ୧୨ଟା ଯାଏଁ ବନ୍ଦ ପାଳନ କରିବ କଂଗ୍ରେସ। ଶାନ୍ତିପୂର୍ଣ୍ଣଭାବେ ବନ୍ଦ ପାଳନ କରାଯିବ ବୋଲି କଂଗ୍ରେସ ପକ୍ଷରୁ କୁହାଯାଇଛି। କୌଣସି ପ୍ରକାର ହିଂସାକାଣ୍ଡ କରାଯିବନି ବୋଲି ଦଳ ସ୍ପଷ୍ଟ କରିଛି।

ଏହି ସମୟରେ ରେଳ, ବସ୍, ଟ୍ରକ ଚଳାଚଳ, ଦୋକାନ ବଜାର, ଗାଡ଼ିମୋଟର ବନ୍ଦ ରହିବ। ମେଡ଼ିକାଲ ସମେତ ଜରୁରୀ ସେବା ବନ୍ଦରୁ ବାଦ୍ ପଡ଼ିବ। ଏନେଇ ସାମ୍ବାଦିକ ସମ୍ମିଳନୀରେ ପିସିସି ଉପସଭାପତି ଦେବାଶିଷ ପଟ୍ଟନାୟକ ସୂଚନା ଦେଇଛନ୍ତି। ବନ୍ଦ ପାଳନକୁ ସଫଳତାର ସହ କରିବା ପାଇଁ ଆହ୍ୱାନ ଦେଇଛି କଂଗ୍ରେସ। ବିଜେଡ଼ିକୁ ଟାର୍ଗେଟ କରି କଂଗ୍ରେସ କହିଛି, ବିଜେଡ଼ି ନେତା, ମନ୍ତ୍ରୀଙ୍କ ନାଁରେ କଳାକାରନାମା ରହିଛି। ମାହାଙ୍ଗା ଡ଼ବଲ ମର୍ଡ଼ର, ଏସିଏଫ ସୌମ୍ୟରଞ୍ଜନ ହତ୍ୟା, ମମିତା ହତ୍ୟାକାଣ୍ଡ ଭଳି ଘଟଣାରେ ମନ୍ତ୍ରୀଙ୍କ ସମ୍ପୃକ୍ତି ରହିଥିବା କଂଗ୍ରେସ ଅଭିଯୋଗ କରିଛିି।

ମମିତା ମୃତ୍ୟୁରେ ଓଡ଼ିଶା ସ୍ୱାଭିମାନର ମୃତ୍ୟୁ ହୋଇଛି ବୋଲି କହିଛି କଂଗ୍ରେସ। ଓଡ଼ିଶାର ସଂସ୍କୃତି, ଇତିହାସ, ଓଡ଼ିଆର ଆବେଗ, ଓଡ଼ିଶାର ସମ୍ବେଦନଶୀଳତା, ଦୟା ଭାବ ଏବଂ ପରିବାର ପ୍ରତି ସରକାରଙ୍କ ଶକ୍ତ କୁଠାରଘାତ ସଦୃଶ୍ୟ ମାଡ଼ ତାହା ବାସ୍ତବିକ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ସମସ୍ତେ ଆଜି ମର୍ମାହତ। ମମିତା କାହାଣୀ ସମସ୍ତ ନାରୀ ଜାତି ପାଇଁ ଅନ୍ୟାୟ ବିରୁଦ୍ଧରେ ଲଢ଼େଇ କରିବା ପାଇଁ ପ୍ରେରଣାର ଉତ୍ସ ହେଉ ବୋଲି କୁହାଯାଇଛି।

Comments are closed.