Latest Odisha News

BREAKING NEWS

Congress:୨୬ ନଭେମ୍ବର ସମ୍ବିଧାନ ବଞ୍ଚାଅ; ୧୪ ଡିସେମ୍ବର କଂଗ୍ରେସର ଦିଲ୍ଲୀ ଚଲୋ ଡାକରା

ଭୁବନେଶ୍ୱର: ଏଆଇସିସିର ସଂଗଠନ ସୃଜନ କାର୍ଯ୍ୟକ୍ରମ ଜରିଆରେ ଓଡ଼ିଶାର ୩୫ ସାଂଗଠନିକ ଜିଲ୍ଲାରେ ସଭାପତିମାନଙ୍କୁ ଚୟନ କରାଯାଇଥିଲା । ତେବେ ପରବର୍ତ୍ତୀ ସମୟରେ ନବନିଯୁକ୍ତ ସଭାପତିମାନେ ‘ଭୋଟ ଚୋରି ବିରୋଧରେ ଦସ୍ତଖତ ଅଭିଯାନ’ ତଥା ନୂଆପଡ଼ା ଉପନିର୍ବାଚନରେ ବ୍ୟସ୍ତ ଥିବାରୁ ନିଜନିଜ ଜିଲ୍ଲା ଟିମ୍ ଗଠନ କରିପାରି ନ ଥିଲେ । ରବିବାର ଅପରାହ୍ଣରେ କଂଗ୍ରେସ ଭବନରେ ପିସିସି ସଭାପତି ଭକ୍ତଚରଣ ଦାସଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ସଭାରେ ଏଆଇସିସିର ଓଡ଼ିଶା ପ୍ରଭାରୀ ଅଜୟ କୁମାର ଲଲ୍ଲୁ ଏ ନେଇ ଏକ ଦୁଇ ସପ୍ତାହର ଖସଡ଼ା ଘୋଷଣା କରିଛନ୍ତି । ପ୍ରତି ଜିଲ୍ଲାରେ ସାଧାରଣ, ଦଳିତ, ଜନଜାତି, ସଂଖ୍ୟାଲଘୁ ଓ ମହିଳା ବର୍ଗରୁ ପ୍ରତିନିଧିତ୍ବ ସହ ସର୍ବାଧିକ ୩୧ ଜଣ କର୍ମକର୍ତ୍ତା ରହିବେ ।

ପ୍ରତି ଜିଲ୍ଲା ସଂଗଠନରେ ୬ ଜଣ ଉପସଭାପତି ରହିବେ। ସଂଗଠନ ଦାୟିତ୍ବରେ ତଥା ଛାମୁଆ ସଂଗଠନ ଦାୟିତ୍ବରେ ଜଣେ ଲେଖାଏଁ ଉପସଭାପତି ରହିବେ। ପ୍ରତି ବିଧାନସଭା କ୍ଷେତ୍ରରୁ ଦୁଇଜଣ ଲେଖାଏଁ ସାଧାରଣ ସଂପାଦକଙ୍କୁ ଚୟନ କରାଯାଉଥିବା ବେଳେ ପ୍ରତି ବ୍ଲକ୍‌/ପୌରାଂଚଳରୁ ଦୁଇଜଣ ଲେଖାଏଁ ଡିସିସି ସଂପାଦକ ରହିବେ । ସମଗ୍ର ଜିଲ୍ଲା ପାଇଁ ଜଣେ ମୁଖପାତ୍ର ଓ ଜଣେ ସାମାଜିକ ଗଣମାଧ୍ୟମ ଇନ୍‌-ଚାର୍ଜ ରହିବେ। ଜିଲ୍ଲାର ପ୍ରଶିକ୍ଷଣ ଦାୟିତ୍ବରେ ମଧ୍ୟ ଜଣେ କର୍ମକର୍ତ୍ତା ରହିବେ ବୋଲି ଶ୍ରୀ ଲଲ୍ଲୁ ସୂଚନା ଦେଇଛନ୍ତି । ଡିସିସି ସଭାପତିମାନେ ନିଜନିଜ ଜିଲ୍ଲାର ସମସ୍ତ ବିଧାୟକ, ସାଂସଦ, ବରିଷ୍ଠ ନେତା, ପୂର୍ବତନ ବିଧାୟକ, ପୂର୍ବତନ ସାଂସଦ, ଗତ ଲୋକସଭା ଓ ବିଧାନସଭା ନିର୍ବାଚନର କଂଗ୍ରେସ ପ୍ରାର୍ଥୀମାନଙ୍କ ସହ ପରାମର୍ଶ କରି ତାଲିକାକୁ ଚୂଡ଼ାନ୍ତ ଅନୁମୋଦନ ପାଇଁ ପିସିସି ସଭାପତିଙ୍କ ପାଖକୁ ଆସନ୍ତା ୧୦ ଡିସେମ୍ବର ସୁଦ୍ଧା ପଠାଇବେ ବୋଲି ଶ୍ରୀ ଲଲ୍ଲୁ କହିଛନ୍ତି ।

ଆସନ୍ତା ୨୬ ନଭେମ୍ବର ବୁଧବାର ଦେଶବ୍ୟାପୀ ‘ସମ୍ବିଧାନ ବଞ୍ଚାଅ’ କାର୍ଯ୍ୟକ୍ରମ ହେଉଛି । ଏହି କ୍ରମରେ ଓଡ଼ିଶାର ସମସ୍ତ ଜିଲ୍ଲାରେ ସେଦିନ ଡିସିସିମାନଙ୍କ ପକ୍ଷରୁ ପ୍ରଭାତଫେରୀ, ଆଲୋଚନାଚକ୍ର, ବକ୍ତୃତା ଓ ପ୍ରବନ୍ଧ ପ୍ରତିଯୋଗିତା, ଖେଳକୁଦ, ସାଧାରଣ ସଭା ଆଦି ଆୟୋଜନ ଜରିଆରେ ବ୍ୟାପକ ଜନସଜେତନତା ସୃଷ୍ଟି କରାଯିବ ବୋଲି କୁହାଯାଇଛି ।

ଆସନ୍ତା ଡିସେମ୍ବର ମାସରେ ଦୁଇଟି କାର୍ଯ୍ୟକ୍ରମ ଘୋଷିତ ହୋଇଛି । ୬ ତାରିଖ ଆମ୍ବେଦକରଙ୍କ ତିରୋଧାନ ଦିବସ ପାଳିତ ହେବାକୁ ଥିବାବେଳେ ୧୪ ତାରିଖ ଦିଲ୍ଲୀର ରାମଲୀଳା ମୈଦାନରେ ଏକ ବିଶାଳ ସମାବେଶ ଆୟୋଜିତ ହେବ । ‘ଭୋଟ ଚୋରି ବିରୋଧରେ ଦସ୍ତଖତ ଅଭିଯାନ’ର ଦେଶର କୋଟିକୋଟି ଲୋକ ଭାଗ ନେଇଥିବାରୁ ସେଦିନ ବିଭିନ୍ନ ରାଜ୍ୟରୁ ଆସି ଉକ୍ତ ମୈଦାନରେ ଲକ୍ଷେ ଲୋକ ଠୁଳ ହେବେ ବୋଲି ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି । ଉକ୍ତ କାର୍ଯ୍ୟକ୍ରମରେ କେବଳ ଓଡ଼ିଶାରୁ ୫ ହଜାର ଲୋକ ଭାଗ ନେବକୁ ଦିଲ୍ଲୀ ଯିବେ ବୋଲି ପିସିସି ସଭାପତି ଶ୍ରୀ ଦାସ କହିଛନ୍ତି। ‘ଭୋଟ ଚୋରି ବିରୋଧରେ ଦସ୍ତଖତ ଅଭିଯାନ’ରେ ଧାର୍ଯ୍ୟ ଲକ୍ଷ୍ୟକୁ ପୂରଣ କରିଥିବାରୁ ସଭାପତି ଓ ପ୍ରଭାରୀ ଅନୁଗୁଳ, ଗଜପତି, ଭଦ୍ରକ ଓ କଳାହାଣ୍ଡି ଜିଲ୍ଲାର ସଭାପତିମାନଙ୍କୁ ପ୍ରଶଂସା କରିଥିଲେ।

ଆଜିର ପ୍ରଥମ ବୈଠକରେ ପିସିସି କର୍ମକର୍ତ୍ତା, ଡିସିସି ସଭାପତି ଓ ଛାମୁଆଁ ସଂଗଠନର ମୁଖ୍ୟମାନେ ଭାଗ ନେଇଥିବା ବେଳେ ଦ୍ବିତୀୟ ବୈଠକରେ ଦଳର ବିଧାୟକବୃନ୍ଦ, ଗତ ନିର୍ବାଚନରେ ଲଢ଼ିଥିବା ଦଳର ପ୍ରାର୍ଥୀମାନେ ଯୋଗ ଦେଇ ନେତୃବୃନ୍ଦଙ୍କ ସହ ଭାବ ବିନିମୟ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡ଼ାମ, ଦୁଇ ପୂର୍ବତନ ପିସିସି ସଭାପତି ନିରଂଜନ ପଟ୍ଟନାୟକ ଓ ଜୟଦେବ ଜେନା, ତିନି ଉପସଭାପତି ଡ.ଲଲାଟେନ୍ଦୁ ମହାପାତ୍ର , ସସ୍ମିତା ବେହେରା ଓ ଦେବାଶିଷ ପଟ୍ଟନାୟକ, ପ୍ରମୁଖ ଆଲୋଚନାରେ ଭାଗ ନେଇଥିଲେ ।

Comments are closed.