Latest Odisha News

BREAKING NEWS

ଆଜି ସମ୍ବିଧାନ ଦିବସ: ବିଶ୍ୱର ବୃହତ୍ ଲିଖିତ ଦସ୍ତାବିଜ୍ ଭାରତୀୟ ସମ୍ୱିଧାନ

ନୂଆଦିଲ୍ଲୀ: ସବୁ ଭାରତୀୟଙ୍କ ପାଇଁ ନଭେମ୍ୱର ୨୬ ତାରିଖ ଖୁବ ଗୁରୁତ୍ୱପୂର୍ଣ୍ଣ । ୧୯୪୯ ମସିହା ଆଜିର ଦିନରେ ଦେଶର ସମ୍ୱିଧାନକୁ ବିଧିବଦ୍ଧ ଭାବେ ଗ୍ରହଣ କରାଯାଇଥିଲା। ତେଣୁ ଏହାକୁ ସମ୍ୱିଧାନ ଦିବସ ଭାବେ ଦେଶରେ ପାଳନ କରାଯାଉଛି । ପରେ ୨୬ ଜାନୁଆରୀ ୧୯୫୦ମସିହାରେ ସମ୍ୱିଧାନକୁ ଦେଶରେ ପ୍ରଣୟନ କରାଯାଇଥିଲା ।

ସମ୍ୱିଧାନ ପ୍ରତ୍ୟେକ ଭାରତୀୟଙ୍କୁ ମୌଳିକ ଅଧିକାର ପ୍ରଦାନ କରେ । ଜଣେ ସ୍ୱାଧୀନ ନାଗରିକର ପରିଚୟ ଦିଏ । ଏହା ସହିତ ଦେଶ ପ୍ରତି ଥିବା ମୌଳିକ କର୍ତ୍ତବ୍ୟ ନେଇ ମଧ୍ୟ ଭାରତୀୟଙ୍କୁ ସଚେତନ କରାଏ ସମ୍ୱିଧାନ । ଆଜିର ଦିନକୁ ରାଷ୍ଟ୍ରୀୟ ଆଇନ ଦିବସ ଭାବେ ମଧ୍ୟ ପାଳନ କରାଯାଏ ।

ସମ୍ୱିଧାନ ଦିବସ କାହିଁକି ପାଳନ ହୁଏ?

୨୦୧୫ରେ ସମ୍ୱିଧାନ ପ୍ରଣେତା ବି.ଆର୍ ଆମ୍ବେଦକରଙ୍କ ୧୨୫ତମ ଜୟନ୍ତୀ ବର୍ଷ ଅବସରରେ ସାମାଜିକ ନ୍ୟାୟ ଓ ଅଧିକାର ମନ୍ତ୍ରାଳୟ ପକ୍ଷରୁ ୨୬ ନଭେମ୍ୱରକୁ ସମ୍ୱିଧାନ ଦିବସ ଭାବେ ପାଳନ କରାଯାଇଆସୁଛି । ଦେଶର ପ୍ରତି ନାଗରିକଙ୍କ ମନରେ ସାମ୍ୱିଧାନିକ ମୂଲ୍ୟବୋଧ ଜାଗ୍ରତ କରିବା ପାଇଁ ଏହି ଦିବସ ପାଳନ କରାଯାଏ । ଭାରତୀୟ ସମ୍ୱିଧାନ ବିଶ୍ୱର ସବୁଠାରୁ ବଡ଼ ସମ୍ୱିଧାନ । ଦେଶର ଶାସନବ୍ୟବସ୍ଥା ଓ ନ୍ୟାୟ ବ୍ୟବସ୍ଥା ସମ୍ୱିଧାନ ଦ୍ୱାରା ପରିଚାଳିତ ।

ସମ୍ୱିଧାନର ରୂପରେଖ

୧୬ଇଞ୍ଚ ଚଉଡା, ୨୨ ଇଞ୍ଚ ଲମ୍ୱା ଓ ୨୫୧ ପୃଷ୍ଠାରେ ଲିଖିତ ଥିଲା ସମ୍ୱିଧାନର ପାଣ୍ଡୁଲିପି ।  ପୂରା ସମ୍ୱିଧାନ ପ୍ରସ୍ତୁତ କରିବାରେ ୨ ବର୍ଷ, ୧୧ ମାସ ୧୮ ଦିନ ସମୟ ଲାଗିଥିଲା । ସମ୍ୱିଧାନର ପ୍ରକୃତ କପିକୁ ପ୍ରେମ ବିହାରୀ ନାରାଯଣ ରାୟଜାଦା ନିଜ ହାତରେ ଲେଖିଥିଲେ । ଯାହାକୁ ୨୪ ଜାନୁଆରୀ ୧୯୫୦ରେ ସମ୍ୱିଧାନ ସଭାରେ ୨୮୪ ଜଣ ସଦସ୍ୟ ସ୍ୱାକ୍ଷର କରିଥିଲେ । ସୁନ୍ଦର ଇଟାଲିକ୍ ଅକ୍ଷରରେ ପାଣ୍ଡୁଲିପିକୁ ଲେଖିଥିଲେ । ବିଭିନ୍ନ ସମୟରେ ସଂଶୋଧନ ହୋଇ ସମ୍ୱିଧାନ ୨୫ ଭାଗ, ୪୪୮ ଅନୁଚ୍ଛେଦ ଓ ୧୨ଟି ସୂଚୀରେ ବିଭକ୍ତ । ଆଜି ବି ଏହାକୁ ସଂସଦରେ ହିଲିଅମପୂର୍ଣ୍ଣ ଡ଼ବାରେ ସୁରକ୍ଷିତ ରଖାଯାଇଛି ।

Leave A Reply

Your email address will not be published.