Latest Odisha News

ଭୁବନେଶ୍ୱରରେ ନୂତନ ରାଜଧାନୀ ପ୍ରତିଷ୍ଠା ଦିଗରେ ହରେକୃଷ୍ଣ ମହତାବଙ୍କ ଅବଦାନ

ରାଜଧାନୀ ଭୁବନେଶ୍ୱରର ପ୍ରତିଷ୍ଠା ଦିବସ ଉପଲକ୍ଷେ ନୃସିଂହ ଚରଣ ସାହୁ (ଜହୁରୀ ଭାଇ)ଙ୍କ  ଆଲେଖ୍ୟ 

ବୃହତ୍ତର ଓଡ଼ିଶା ପ୍ରଦେଶକୁ ନୂଆ କରି ଗଢ଼ିବା ଦିଗରେ ହରେକୃଷ୍ଣ ମହତାବଙ୍କର ଅବଦାନ ଅବିସ୍ମରଣୀୟ। ସେ ଯେଉଁ ଆଠବର୍ଷ ( ୧୯୪୬-୫୦, ୫୬-୬୦) କ୍ଷମତାରେ ରହିଲେ , ଓଡ଼ିଶାକୁ ସମୃଦ୍ଧ, ସୁନ୍ଦର ଓ ଆଧୁନିକ କରି ଗଢ଼ିବା ପାଇଁ ବହୁ ପରିକଳ୍ପନା କରି ତାକୁ ବାସ୍ତବ ରୂପ ଦେବାରେ ବହୁ ପରିମାଣରେ ସମର୍ଥ ହୋଇଥିଲେ। ଓଡ଼ିଶାର ସମୃଦ୍ଧି ପାଇଁ ଏଭଳି ଶକ୍ତିଶାଳୀ ନେତୃତ୍ୱ ଆଉ କିଛି ବର୍ଷ ପାଇଁ ଆବଶ୍ୟକ ଥିଲା। କିନ୍ତୁ ତାହା ହୋଇ ପାରିଲା ନାହିଁ। ତଥାପି ଓଡ଼ିଶାର ପ୍ରଗତି ପାଇଁ ତାଙ୍କର ମହନୀୟ ଅବଦାନ ତାଙ୍କୁ ଅବିସ୍ମରଣୀୟ କରି ରଖିବ।

ଗଡ଼ଜାତ ମିଶ୍ରଣ : ମହତାବ ବାବୁ ମୁଖ୍ୟମନ୍ତ୍ରୀ ଦାୟିତ୍ୱ ନେବା ପରେ ଓଡ଼ିଶା ସହ ୨୬ ଟି ଗଡ଼ଜାତ ମିଶ୍ରଣ ପାଇଁ ଅକ୍ଲାନ୍ତ ଉଦ୍ୟମ କରିଥିଲେ। ଯେଉଁ କାର୍ଯ୍ୟ ନିମନ୍ତେ ଗାନ୍ଧିକୀ ଏବଂ ନେହେରୁ ମଧ୍ୟ ସହଜରେ ଆଗ୍ରହୀ ହେଉ ନଥିଲେ। ତତ୍କାଳୀନ ସ୍ବରାଷ୍ଟ୍ରମନ୍ତ୍ରୀ ସର୍ଦ୍ଦାର ପଟେଲଙ୍କୁ ପ୍ରଭାବିତ କରି ସେ ସେହି କାର୍ଯ୍ୟ ପ୍ରଥମେ ଓଡ଼ିଶା ପ୍ରଦେଶ ସହ ନୀଳଗିରି ରାଜ୍ୟ ମିଶ୍ରଣରୁ ଆରମ୍ଭ କରିଦେଇଥିଲେ। ଏହା ପରେ ଭାରତବର୍ଷ ସହ ପାଖାପାଖି ୬୦୦ ଗଡ଼ଜାତ ରାଜ୍ୟ ମିଶି ଐକବଦ୍ଧ ବିରାଟ ଦେଶର ସୃଷ୍ଟି ହେଲା। ଏହା ୧୯୪୭ ମସିହା ନଭେମ୍ବର ୧୪ ତାରିଖ ତଥା ୧୯୪୮ ଜାନୁଆରୀ ପହିଲାର ଘଟଣା।

୧୯୩୬ ମସିହା ଅପ୍ରେଲ ପହିଲା ଦିନ କ୍ଷୁଦ୍ର ଆୟତନ ସହ ଓଡ଼ିଶା ଏଜ ସ୍ୱତନ୍ତ୍ର ରାଜ୍ୟର ମାନ୍ୟତା ଲାଭକଲା । ଏକଥା ଆଗରୁ ଜଣାପଡ଼ି ଯାଇଥିଲା। ତେଣୁ ୧୯୩୫ ନଭେମ୍ବର ମାସରେ ଓଡ଼ିଶା ଡିଭିଜନର କମିଶନ ନୂତନ ରାଜଧାନୀ ନିମନ୍ତେ ସ୍ଥାନ ଅନୁସନ୍ଧାନ କଲେ। ସେତେବେଳେ କିଛି ପ୍ରଭାବଶାଳୀ ଲୋକେ କଟକର ତୁଳସୀପୁର ଅଞ୍ଚଳକୁ ଏଥିପାଇଁ ପ୍ରସ୍ତାବ କରିଥିଲେ। ମାତ୍ର କଟକ ସହର ଅତ୍ୟନ୍ତ ଜନାକୀର୍ଣ୍ଣ ଓ ଉଭୟ ପାର୍ଶ୍ୱରେ ନଦୀ ଥିବାରୁ ଏଠାରେ ସରକାରୀ ଅଫିସ, ହାଇକୋର୍ଟ ଓ ବିଶ୍ୱ ବିଦ୍ୟାଳୟ ପ୍ରଭୃତି ସ୍ଥାପନ କରିବା କଷ୍ଟକର ବୋଲି ଜଣା ପଡ଼ିଲା। କଟକ, ଖୋର୍ଦ୍ଧା ଓ ରଙ୍ଗେଇଲୁଣ୍ଡା ମଧ୍ୟରେ ରାଜଧାନୀ ପ୍ରତିଷ୍ଠା ନେଇ ବାଦ ବିସମ୍ବାଦ ଚାଲିଥିବା ବେଳେ ଇତିହାସ ସଚେତନ ରାଷ୍ଟ୍ର ନିର୍ମାତା ମହତାବଙ୍କ ଦୃଷ୍ଟି ପଡ଼ିଲା ଭୁବନେଶ୍ୱରର ସୁବିସ୍ତୀର୍ଣ୍ଣ ଅରଣ୍ୟାଚ୍ଛାଦିତ ଅଞ୍ଚଳ ଉପରେ। ସେ ସ୍ଥିର କରି ନେଇଥିଲେ ଯେ ମନ୍ଦିର ମାଳିନୀ ପୁରୁଣା ଭୁବନେଶ୍ୱରକୁ ଛାଡ଼ି , ଧଉଳି ପାହାଡ଼ଠାରୁ ଖଣ୍ଡଗିରି , ଉଦୟଗିରି ପର୍ଯ୍ୟନ୍ତ ଏକାମ୍ର କାନନକୁ ନୂତନ ରାଜଧାନୀରେ ପରିଣତ କରାଯାଇ ପାରିବ।

୧୯୪୮ ମସିହା ଅପ୍ରେଲ ୧୩ ତାରିଖ ମହା ବିଷୁବ ସଂକ୍ରାନ୍ତି ପାଇଁ ମହତାବ ବାବୁ ପ୍ରଧାନ ମନ୍ତ୍ରୀ ପଣ୍ଡିତ ଜବାହାରଲାଲ ନେହରୁଙ୍କୁ ନିମନ୍ତ୍ରଣ କରି ଆଣିଲେ। ୧୨ତାରିଖରେ ହୀରାକୁଦଠାରେ ମହାନଦୀ ନଦୀବନ୍ଧ ଯୋଜନାର ଶୁଭ ଦେଇ ନେହେରୁ ଭୁବନେଶ୍ୱର ଆସିଲେ। ବିଶାଳ ଜନ ସମାବେଶ, ଜନତାଙ୍କ ବିପୁଳ ଉତ୍ସାହ ଉଦ୍ଦୀପନା ମଧ୍ୟରେ ନୂତନ ରାଜଧାନୀ ପାଇଁ ଶୁଭ ଦିଆଗଲା। ନୂତନ ରାଜଧାନୀର ଭିତ୍ତି ସ୍ଥାପନ ପରେ କୋଠା ବାଡ଼ି ତିଆରି ଆରମ୍ଭ ହେଲା। ବିଖ୍ୟାତ ଜର୍ମାନ ସ୍ଥପତି ଏରା କୋଲନିଂସ ବର୍ଜର ନୂଆ ରାଜଧାନୀର ନକ୍ସା ଓ ଯୋଜନା ପ୍ରସ୍ତୁତ କରିଥିଲେ। ଗୋଟିଏ ଗୋଟିଏ ଘର ତିଆରି ସରିବା ପରେ ମହତାବ ବାବୁ ଗୋଟିଏ ଗୋଟିଏ ଅଫିସ କଟକରୁ ଭୁବନେଶ୍ୱର ଉଠେଇ ଆଣୁଥାନ୍ତି । ୧୯୪୭ ଜୁନ ୮ ତାରିଖରେ ବିଧିବଦ୍ଧ ଭାବରେ ନୂତନ ରାଜଧାନୀର ନୂତନ ବିଧାନ ସଭାର ଐତିହାସିକ ଅଧିବେଶନ ବସାଇବା ପାଇଁ କାର୍ଯ୍ୟ ଆରମ୍ଭ ହେଲା।

୧୯୪୯ ମସିହା ଅକ୍ଟୋବର ୧୦ ତାରିଖରେ ନୂତନ ରାଜଧାନୀ ବୃହତ୍ତର ଓଡ଼ିଶାର ପୁନର୍ଗଠିତ ବିଧାନସଭାର ଐତିହାସିକ ଅଧିବେଶନ ବସିଲା। ଭାବବିହ୍ଵଳ ହୋଇ ସେଦିନ ମହତାବ ବାବୁ କହିଲେ ” ଭୁବନେଶ୍ୱରକୁ ଓଡ଼ିଶାର ରାଜଧାନୀ କରିବା ପ୍ରସ୍ତାବ ଗୃହୀତ ହେବାର ଠିକ ତିନି ବର୍ଷ ପରେ ଆମ୍ଭେମାନେ ଓଡ଼ିଶାର ନୂଆ ରାଜଧାନୀ ଭୁବନେଶ୍ବରରେ ଏକତ୍ରିତ ହୋଇଛୁ। ଗଡ଼ଜାତ ମିଶ୍ରଣ ପରେ ଆଜି ଏହି ଉତ୍ସବ ଦିନରେ ଦୁଇଟି ଐତିହାସିକ ଘଟଣା ( ଗଡ଼ଜାତ ମିଶ୍ରଣ ଓ ନୂତନ ରାଜଧାନୀ ସ୍ଥାପନ)ର ଅପୂର୍ବ ସମନ୍ୱୟ ଘଟିଛି। ସେଥିପାଇଁ ମୁଁ ଯଥାର୍ଥରେ ଖୁସି ଓ ଆନନ୍ଦିତ । ଆପଣମାନେ ଏବଂ ଓଡ଼ିଶାର ଜନସାଧାରଣ ମଧ୍ୟ ସେହିପରି ଏକ ନୂତନ ଶିହରଣ ଅନୁଭବ କରୁଥିବେ ବୋଲି ମୋର ବିଶ୍ୱାସ ।”

ମହତାବଙ୍କର ଏତେ ଚେଷ୍ଟା ଓ ଯଶ ସତ୍ତ୍ୱେ ସେ ଯେତେବେଳେ ଓଡ଼ିଶାରୁ କେନ୍ଦ୍ର ମନ୍ତ୍ରୀ ଓ ପରେ ପରେ ରାଜ୍ୟପାଳ ହୋଇ ବମ୍ବେ ଚାଲିଗଲେ , ସେତେବେଳେ ଓଡ଼ିଶାର କେତେକ ନେତା ଭୁବନେଶ୍ୱରରେ ନୂତନ ରାଜଧାନୀ କରାଇ ନଦେବାକୁ ଚକ୍ରାନ୍ତ ଚଲାଇଲେ। ଓଡ଼ିଶାର ବିଧାନସଭାରେ ଭୁବନେଶ୍ୱରକୁ ରାଜଧାନୀ କରାଯିବା ଉଚିତ ନୁହେଁ ବୋଲି ବଳିଷ୍ଠ ଯୁକ୍ତିମାନ ଉତ୍ଥାପନ କରାଗଲା।

କେବଳ ସେତିକି ନୁହେଁ ପ୍ରଥମ ପଞ୍ଚବାର୍ଷିକ ଯୋଜନାରେ ରାଜଧାନୀ ନିର୍ମାଣ ସ୍ଥାନ ପାଇଲା ନାହିଁ , ତଦ୍ଦ୍ୱାରା ଅର୍ଥ ଅଭାବରୁ ନିର୍ମାଣ କାର୍ଯ୍ୟ ଆଗେଇ ପାରିଲା ନାହିଁ। ଏପରିକି ତତ୍କାଳୀନ ରାଜ୍ୟପାଳ ଆସଫ ଅଲ୍ଲୀ ମହୋଦୟ ଭୁବନେଶ୍ୱର ପରି ଗୋଟିଏ ହିନ୍ଦୁ ଧର୍ମପୀଠରେ ରାଜଧାନୀ ନହେଉ ବୋଲି ଅଡ଼ି ବସିଲେ ।

ବମ୍ବେରେ ମହତାବ ବାବୁ ଏସବୁ ଜାଣି ମର୍ମାହତ ହେଲେ । ଓଡ଼ିଶା ସରକାରଙ୍କୁ ସତର୍କବାଣୀ ଶୁଣାଇବାକୁ ମଧ୍ୟ ପାଶ୍ଚୁତପଦ ହେଲେ ନାହିଁ। ଫଳରେ କଟକରେ ସିନା ରାଜଧାନୀ ନିର୍ମାଣ ଆଗେଇଲା ନାହିଁ ; ଭୁବନେଶ୍ୱରରେ ମଧ୍ୟ କିଛି ହେଲା ନାହିଁ । ସେ ଅନୁଭବ କଲେ ଯେ ସେ ବାହାରେ ରହିଲେ ଆଧୁନିକ ଓଡ଼ିଶା ଗଠନ ପାଇଁ ପ୍ରାଣମୂର୍ଚ୍ଛା ଉଦ୍ୟମ କରି ସେ ଯେଉଁ ବଳିଷ୍ଠ ପଦକ୍ଷେପ ନେଇ ଆରମ୍ଭ କରିଥିଲେ ତାହା ବନ୍ଦ ହୋଇଯିବ। ତେଣୁ ୧୯୫୬ ମସିହାରେ ଓଡ଼ିଶାକୁ ଫେରି ଦ୍ଵିତୀୟବାର ମୁଖ୍ୟମନ୍ତ୍ରୀ ହେବା ପରେ ଜୋର ସୋରରେ ରାଜଧାନୀ ନିର୍ମାଣ କାର୍ଯ୍ୟ ଆଗେଇ ନେଲେ। ଚାହୁଁ ଚାହୁଁ ବିଧାନସଭା , ସଚିବାଳୟ , ରାଜଭବନ, ରବୀନ୍ଦ୍ର ମଣ୍ଡପ , ଭଞକଳା ମଣ୍ଡପ , ଉତ୍କଳ ବିଶ୍ୱ ବିଦ୍ୟାଳୟର ସ୍ଥାୟୀ ସୌଧ ଆଦି ଗଢ଼ି ଉଠିଲା। ରାଜା ଯଯାତି କେଶରୀଙ୍କ ପରି ଭୁବନେଶ୍ୱରରେ ନୂତନ ରାଜଧାନୀ ପ୍ରତିଷ୍ଠା କରିବା ଦିଗରେ ସ୍ୱର୍ଗତଃ ହରେକୃଷ୍ଣ ମହତାବଙ୍କ ନାମ ଓଡ଼ିଶା ଇତିହାସରେ ଲିପିବଦ୍ଧ ହୋଇ ରହିଲା।

 

ସମ୍ପାଦକ, ଆମେ ଓଡ଼ିଆ

Comments are closed.