ମାୟାଧର ନାୟକଙ୍କ ନିୟମିତ ସ୍ତମ୍ଭ: ଶବ୍ଦ ତୂଣୀର…
ଭାରତରେ ଓଡ଼ିଶା ହେଉଛି ସର୍ବାଧିକ ଆଦିବାସୀ-ଅଧ୍ୟୁଷିତ ପ୍ରଦେଶ । ୬୨ ସଂଖ୍ୟକ ଆଦିବାସୀ ବା ଆଦିମ ଜନଜାତି ଓଡ଼ିଶାରେ ବସବାସ କରୁଛନ୍ତି – ରାଜ୍ୟର ସମୁଦାୟ ଜନସଂଖ୍ୟାର ପ୍ରାୟ ୨୪ ଶତାଂଶ ହେବେ ଏମାନେ । ଦକ୍ଷିଣ-ପଶ୍ଚିମ ଓଡ଼ିଶା ବିଶେଷ କରି କୋରାପୁଟରେ ଓ ସମ୍ବଲପୁର ସନ୍ନିକଟ ଅଞ୍ଚଳରେ ଦେଖିବାକୁ ମିଳୁଥିବା କନ୍ଧମାନଙ୍କ ସଂଖ୍ୟା ଦଶଲକ୍ଷରୁ ଅଧିକ ।
ଉତ୍ତରଓଡ଼ିଶା ବିଶେଷକରି ମୟୂରଭଂଜ ଜିଲ୍ଲାର ବାରିପଦା ଓ ଖିଚିଂ ନିକଟବର୍ତ୍ତୀ ବନଭୂମିରେ ୫ ଲକ୍ଷରୁ ଊର୍ଦ୍ଧ୍ୱ ସାନ୍ତାଳ ଜନଜାତି ବସତି ବିସ୍ତାର କରିଛନ୍ତି । ପଶ୍ଚିମ ଓଡ଼ିଶାର ବଲାଙ୍ଗୀର ଜିଲ୍ଲାର ସଉରା ଆଦିବାସୀଙ୍କ ସଂଖ୍ୟା ପ୍ରାୟ ୩ ଲକ୍ଷ । କୋରାପୁଟର ଗିରିବାସୀ ଆଦିବାସୀଙ୍କ ମଧ୍ୟରେ ବଣ୍ଡା ହେଉଛନ୍ତି ବେଶ୍ ଜଣାଶୁଣା । ଖରାବର୍ଷାଶୀତ ସବୁବେଳେ ସେମାନେ ପ୍ରକୃତି ସହିତ ପ୍ରକୃତିର ସନ୍ତାନ ପରି ବିଶ୍ୱସ୍ତ । ଦେହରେ ବସ୍ତ୍ର ନଥାଏ କି ମନରେ ନଥାଏ ବିନ୍ଦୁଏ ମଳିନତା – ପୂର୍ଣ୍ଣଉଲଗ୍ନ ଏହି ଆଦିବାସୀ ସମାଜ ଆମ ପୋଷାକୀ ସମାଜର କୋଳାହଳଠାରୁ ଅନେକ ଦୂରରେ ଥାଇ ନିଘଂଚ ବନଭୂମିର ଉଚ୍ଚ ଗିରିପର୍ବତ ଅଞ୍ଚଳରେ ବିଚରଣଶୀଳ ।
ଓଡ଼ିଶାର ମାଲକାନଗିରି ଜିଲ୍ଲା ହେଉଛି ବିରଳ ଆଦିବାସୀ ବଣ୍ଡାମାନଙ୍କର ପ୍ରିୟ ମାନଚିତ୍ର । ଦୁଇ ଭିନ୍ନ କିସମର ବଣ୍ଡା ଅଛନ୍ତି – ଭାରତୀୟ ମୁଖ୍ୟ ସାମାଜିକ ସ୍ରୋତରୁ ଚିରବିଚ୍ଛିନ୍ନ ଉପର ବଣ୍ଡା (Upper Bonda) ରହିଆସୁଛନ୍ତି ଘନଅରଣ୍ୟର ଅଭ୍ୟନ୍ତରରେ, ପାହାଡ଼ଚୂଡ଼ା ପାଖାପାଖି ଗୁହାଗୁଡ଼ିକରେ । ଏମାନଙ୍କର ସଂଖ୍ୟା ହେବ ପ୍ରାୟ ୭ ହଜାର । ମାତ୍ର ପ୍ରାୟ ୧୭ ହଜାର ତଳୁଆ ବଣ୍ଡା (Lower Bonda)ଙ୍କୁ ଆମେ ଚିହ୍ନଟ କରିପାରୁ ବିସ୍ତୀର୍ଣ୍ଣ ବନଭୂମିରେ । ଏମାନେ ମୁଣ୍ଡା ସଂପ୍ରଦାୟର ଆଦିବାସୀ ହେଲେ ହେଁ ଏମାନଙ୍କର ଆଚାର, ବିଚାର, ସଂସ୍କାର, ଜୀବନଶୈଳୀରେ ଭରିରହିଛି ଗୋଟିଏପ୍ରକାର ବିଜନତାପ୍ରେମୀ ସ୍ୱତନ୍ତ୍ର ଜୀବନଶୈଳୀ । ମାତ୍ର ଧୀରେଧୀରେ ଏହି ବଣ୍ଡାମାନେ ଏବେ ବଂଶବିଲୁପ୍ତିର ଆଶଙ୍କାରେ ଥିବାର ଅନୁମାନ । କେଉଁଝର, ସମ୍ବଲପୁର ଓ ସୁନ୍ଦରଗଡ଼ରେ ଚାଷୀଆଦିବାସୀମାନଙ୍କୁ ‘କିଷାନ’ ନାଆଁରେ ଚିହ୍ନାଇ ଦିଆଯାଏ ।
ତାଲିକା ଲମ୍ବା । ୬୨ ପ୍ରକାର ଆଦିବାସୀଙ୍କ ଭିତରୁ କନ୍ଧ, ସଉରା, ଗଣ୍ଡ, ସାନ୍ତାଳ, ପରଜା, ଗଦବା, କୋୟ, ଓରାଓଁ, ଭୂଇଜୀ, ବଣ୍ଡା, ଜୁଆଙ୍ଗ, ଭୁଂଜାୟା, ଦିୟାଦି, ଲୋଧା, ଶବର, ଥୁମ୍ବା, ଭୂୟାଁ, ହୋ, କୋହ୍ଲ, ମୁଣ୍ଡାରି – ଆମ ଆଙ୍ଗୁଠିଗଣା ନାଆଁ ଭିତରକୁ ଆସୁଥିଲେ ହେଁ ଆହୁରି କେତେନାକେତେ ଆଦିମ ଜନଜାତି ଅଛନ୍ତି, ଯେଉଁମାନଙ୍କ ସଂପର୍କରେ ଆମ ତଥାକଥିତ ସଭ୍ୟଶିକ୍ଷିତ ସମାଜ କେବଳ ଅଜ୍ଞ ନୁହେଁ – ସଂପୂର୍ଣ୍ଣ ତଥ୍ୟହୀନ । ଆମେ କେବଳ ଜନଗଣନା ସୂତ୍ର ଧରି କେତେକ ଆଦିବାସୀଙ୍କୁ ତଫସିଲଭୁକ୍ତ କରିଦେଇ ଆମ ଦାୟିତ୍ୱ ସରିଗଲା ବୋଲି ଧରିନେଉଛୁ । ମାତ୍ର ଏହା ତ ଦାୟିତ୍ୱ ନୁହେଁ, ଗୋଟାଏ ପ୍ରକାରର ପ୍ରକାଣ୍ଡ ଅପରାଧ – ଏ ଭୂମିର ଆଦିନିବାସୀ ନିରୀହ ନିରଳସ ମଣିଷସମାଜ ପ୍ରତି । ୬୨ କିସମ ଭିତରୁ ଆମେ କେବଳ ୧୩ କିସମଙ୍କୁ ଆଦିମ ଜନଜାତି ଭାବରେ ଗଣନା କରି ତଫସିଲର ତାଲିକାଧୀନ କରିପାରିଛୁ ।
ମୁଁ ଜାଣିଶୁଣି ଏଠାରେ ଭାରତ କଥା କହୁନାହିଁ, ଓଡ଼ିଶାର ଆଦିବାସୀ ପ୍ରସଙ୍ଗ ଉଠାଉଛି ଏଇଥିପାଇଁ ଯେ ଓଡ଼ିଶା ଏ ଦେଶର ଏକନମ୍ବର ଆଦିବାସୀ ରାଜ୍ୟ । ୬୪୫ ଆଦିବାସୀ ଜନଜାତିର ଭାରତବର୍ଷ ବିଭିନ୍ନ ରାଜ୍ୟରେ ଆଦିବାସୀ ସମାଜକୁ ବନସ୍ତଭୂମିରେ ବିଚ୍ଛୁରିତ କରି ରଖିଆସୁଥିଲେହେଁ ୬୨ କିସମର ଆଦିବାସୀ ଓଡ଼ିଶାର ଜନସଂଖ୍ୟାରେ ଏକ ବିଶେଷ ସ୍ଥିତି ବଜାୟ ରଖିଆସିଛନ୍ତି । ଏଠାରେ ଆଦିବାସୀ ଓ ଅଧିବାସୀ ପରସ୍ପରଠାରୁ ଜୀବନଶୈଳୀରେ ଆବହମାନ କାଳରୁ ବ୍ୟବଧାନ ଦର୍ଶାଇଆସୁଥିଲେହେଁ ସଂସ୍କୃତି, କଳା, ନୃତ୍ୟ ଓ ସଂଗୀତଠାରୁ ଆରମ୍ଭ କରି ରାଜନୀତି ପର୍ଯ୍ୟନ୍ତ ଭବିଷ୍ୟତର ଗୋଟିଏ ସହଭାଗିତାକୁ ଆପଣାଇନେବାର ଆଶା ଓ ସମ୍ଭାବନାକୁ ମୁଁ ଅନ୍ତତଃ ଏଡ଼ାଇ ଦେଇପାରୁନାହିଁ ।
ଓଡ଼ିଶାର ସଂସ୍କୃତି କଥା ପ୍ରଥମେ ବିଚାରକୁ ଅଣାଯାଉ । ଓଡ଼ିଆ ଓ ଅନ୍ୟ ଭାରତୀୟ ଜନସମାଜର ପରମ ଆରାଧ୍ୟ ଇଷ୍ଟଦେବତା ଭାବରେ ଯେଉଁ ଜଗନ୍ନାଥ ଦୀର୍ଘକାଳରୁ ଉପାସିତ, ସେ ହେଉଛନ୍ତି ଆଦିବାସୀ ସମାଜର ଆଦିଦେବତା । ଶବରମାନଙ୍କ ପାହାଡ଼ଗୁହା ନୀଳକନ୍ଦରରୁ ଆମେ ତାଙ୍କୁ ନେଇଆସିଲୁ ପ୍ରତାରଣା କରି ଏବଂ ଆମ ଏଠାର ପଥରପୁରୀରେ ଦାରୁଦେବତା ଜଗନ୍ନାଥରେ ପରିଣତ କରିଦେଲୁ । ତାଙ୍କ ସହିତ ଜୈନ, ବୌଦ୍ଧ, ବୈଷ୍ଣବ ଓ ଭୈରବ ଉପାସନାର ନାନା ବିଧିବିଧାନ ଖଞ୍ଜିଦେଲୁ । ଆମ ଅଧିବାସୀୟ ସଂସାରର ପ୍ରସାଧିତ ପ୍ରଲେପ ଛଡ଼ାଇଦେଲେ ଦିଶିବ ଗୋଟିଏ ସରଳ, ସାବଲୀଳ, ସ୍ୱାଭାବିକ, ସ୍ୱାଚ୍ଛନ୍ଦ୍ୟପୂର୍ଣ୍ଣ ଆଦିବାସୀ ଜୀବନଧାରାର ଅସଲ ବ୍ରହ୍ମରୂପ ।
ବିଭିନ୍ନ ବାଦ୍ୟଯନ୍ତ୍ର ବି ଆମେ ଆଦିବାସୀ ସମାଜଠାରୁ ଆମଦାନୀ କରିଆଣିଛୁ – ତାର ବିଶେଷ ଗବେଷଣା ଏଯାବତ୍ ହୋଇପାରିନାହିଁ କହିଲେ ଚଳେ । ଆମର କାନ୍ଦଣାଲହରୀଠାରୁ ଆରମ୍ଭ କରି ଲୋକଗୀତ, ପଲ୍ଲିଗୀତଗୁଡ଼ିକରେ ଆଦିବାସୀ ପ୍ରଭାବ ସବିଶେଷ ଅନୁଧ୍ୟାନର ବିଷୟ । ଏପରିକି ଓଡ଼ିଶାର ଲୋକକଥାଗୁଡ଼ିକର ମୂଳଭିତ୍ତି ଯେ ଆଦିବାସୀ ଲୋକକଥା – ମୋର ଏ ମତକୁ ଭାବୀ ଗବେଷକମାନେ ଟିକିଏ ତଲେଇ କରି ଦେଖନ୍ତୁ ।
ଆଦିବାସୀ ସମାଜ ନିକଟରେ ଆମ ଅଧିବାସୀସମାଜ ଏହି ଦୃଷ୍ଟିରୁ ମାନୁ ବା ନ ମାନୁ ବହୁଳାଂଶରେ ଋଣୀ । ଆମର ତଥାକଥିତ ଧର୍ମ, ସଂସ୍କୃତି, କଳା, ସାହିତ୍ୟ ସେମାନଙ୍କ ମୂଳସ୍ପଂଦନରୁ ଆମଦାନି କରିଛି କେତେ ସ୍ୱର, କେତେ ଉଚ୍ଚାରଣ – ଯଦିବା କୃତଜ୍ଞତା ନିବେଦନ କ୍ଷେତ୍ରରେ ଆମେ ନିତାନ୍ତ କୃପଣ ।
ଆମ ସମାଜ-ବିକାଶର ଭିତ୍ତିପତ୍ରରେ ଆଦିବାସୀ ଅବଦାନକୁ ଆମେ ଯେପରି ସ୍ୱୀକୃତି ଦେବା କଥା ଦେଇନାହୁଁ, ଜୀବନର ଅନେକକ୍ଷେତ୍ରରେ ଆମେ ବରଂ ସେମାନଙ୍କ ଋଣସ୍ୱୀକାର ପ୍ରାପ୍ତିବେଳକୁ ଅତିମାତ୍ରାରେ କୁଣ୍ଠିତ । ଏପରିକି ଆମର ଅନେକ କୃଷିଜାତ ଓ ଔଷଧୀୟ ବୃକ୍ଷଲତାଗୁଳ୍ମର ଚେର ଆମେ ସାଉଁଟିଆଣିଛୁ ସେମାନଙ୍କ ପାଖରୁ, ମାତ୍ର ଏବେ ବି ସେମାନଙ୍କୁ ଛାଡ଼ିଦେଇଛୁ ଭୋକଉପାସରେ ଶଢ଼ିବାକୁ ଆଉ ରୋଗବ୍ୟାଧିରେ ଦରମରା ଜୀବନଟାଏ କାଟିବାକୁ । ଏ ରାଜ୍ୟର ମୂଳବାସିନ୍ଦା ସେମାନେ, ଅଥଚ ଆମେ ଏଠି ରାଜଧାନୀଟାଏ ଗଢ଼ିଦେଇ ସେମାନଙ୍କ ଗାଆଁଗଡ଼ଜାତକୁ ଦେଖାଉଛୁ ଆମ ନାଟକବାଜି ।
ଆମେ ଉଇଖିଆ ପୁରୁଣା ବ୍ରିଟିଶ ଆଇନ୍କୁ ଜାବୁଡ଼ି ଧରିଛୁ । ଆମ କୋର୍ଟକଚେରିରୁ ସେମାନଙ୍କୁ ଶୁଣାଉଛୁ ନୋଟିସ୍ବୋର୍ଡ୍ର ନାଲିସ୍ନାମା ଆଉ ପରୁଆନାର ଫର୍ଦ – ଅଥଚ ସେମାନଙ୍କ ପ୍ରାକୃତିକ ନ୍ୟାୟନୀତିର ରାୟକୁ ଆମ ସଂବିଧାନର ସ୍ୱରମର୍ମରରେ ସ୍ଥାନିତ କରି ପାରିନାହୁଁ ।
ଯେଉଁ ମହାସତ୍ୟଟି ନିରକ୍ଷର ଆଦିବାସୀଠୁ ତଥାକଥିତ ଆମ ସଭ୍ୟଶିକ୍ଷିତ ସମାଜ ଆଗେ ଶିଖିବା କଥା, ତାହା ଶିଖିପାରିନାହିଁ । ତାହା ହେଲା ଆଦିବାସୀର ସାମାଜିକତା ହେଉଛି ଏକ ମହାପ୍ରବାହଧର୍ମୀ ସାମୂହିକତା । ସେଠି ସମାଜ କହିଲେ ସମୂହ । ଏପରିକି ପଶୁପକ୍ଷୀ, ବୃକ୍ଷଲତା ସହିତ ମଣିଷ ସେଠି ଜୀବନର ସବୁକ୍ଷେତ୍ରରେ ସହଭାଗୀ, ସହାବସ୍ଥାନୀ । ଆଜିଯାଏଁ ବି ସେମାନଙ୍କର ସମାଜ ହେଉଛି ସମୂହର । ସେଠି ‘ବ୍ୟକ୍ତି’ ଜନ୍ମନେଇପାରିନାହିଁ ଏଯାଏଁ – ଅଥଚ ଅଭିବ୍ୟକ୍ତି ତ କିଛି କମ୍ ନୁହେଁ!
ସେମାନଙ୍କର ଲିପିର ବିକାଶ ହୋଇପାରିଲାନାହିଁ ବୋଲି କଣ ମୁହଁରେ ଫୁଟୁଥିବା ମରମଭାଷାକୁ ଆମେ ମୂଲ୍ୟ ଦେବାନାହିଁ?
ବ୍ୟକ୍ତି … ଆମ ସମାଜ-ଜୀବନକୁ ରୁଗ୍ଣ ମାନସିକତାଧର୍ମୀ ମାଲିକାନାବାଦରେ କବଳିତ କରିସାରିଲାଣି । ଆମେ ଏହି ଉତ୍କଟ ଆତ୍ମିକ ସଂକଟରୁ ଉଦ୍ଧାର ପାଇବାକୁ ହେଲେ ଆମକୁ ଆଦିବାସୀ ସମାଜର ସମୂହ ସତ୍ତାଧର୍ମିତାଠାରୁ ବୀଜମନ୍ତ୍ର ଆହରଣ କରିବାକୁ ପଡ଼ିବ – ନହେଲେ ଅଚିରେ ଦିନେ ଆମ ସମାଜ ମହାକାଳର ମିଉଜିୟମରେ ଧୂସର କଂକାଳ ହୋଇ ଉତ୍ତରଦାୟାଦମାନଙ୍କ ପରୀକ୍ଷାର ସାମଗ୍ରୀ ପାଲଟିବାକୁ ବାଧ୍ୟ ।
ଅନେକବର୍ଷ ତଳେ ଆଦିବାସୀ ସାହିତ୍ୟ ଯେ ଅସଲ ଆଧୁନିକ ସାହିତ୍ୟ – ଏ କ୍ରାନ୍ତିକାରୀ ମତ ମୁଁ ଦେଇଥିଲି ଲିଖିତ ଭାବରେ । କାରଣ ଆମର ତଥାକଥିତ ଆଧୁନିକତା ହେଉଛି ଔପନିବେଶକତାବାଦର ଉଚ୍ଛିଷ୍ଟ ମାତ୍ର । ଅଥଚ ସେମାନଙ୍କ ମୌଖିକ ଭାଷାର ମନୋଜ୍ଞ ଅଭିବ୍ୟକ୍ତିଗୁଡ଼ିକୁ ଦେଖନ୍ତୁ ତ – କେତେ ମୌଳିକ ଓ ସ୍ୱତଃସ୍ଫୂର୍ତ ଭାବରେ ଆମଠୁ କେତେ ଅଧିକ ଶକ୍ତିଶାଳୀ ସେମାନେ!
ଅନୁରୋଧ କରୁଛି, ଏ ଦିଗରେ ପୁନଃଚିନ୍ତନର ପର୍ବ ଆରମ୍ଭ କରନ୍ତୁ ବନ୍ଧୁମାନେ ।
(ଯାଜପୁର ରୋଡ, ଯାଜପୁର, ମୋ : ୯୮୬୧୦୩୪୧୬୩)
Comments are closed.