Latest Odisha News

BREAKING NEWS

କାଳୀପଡା ଘାଟି ଲୁଟ୍ ମାମଲା: ଧରାପଡିଲେ ଅଭିଯୁକ୍ତ ଉଦ୍ଧାର ହେଲା ଟଙ୍କା

ରାୟଗଡା: ବହୁଚର୍ଚ୍ଚିତ କାଳୀପଡା ଘାଟି ଲୁଟ୍ ମାମଲାର ପର୍ଦ୍ଦଫାସ୍ କଲା ରାୟଗଡା ପୋଲିସ । ଲୁଟ୍ ହୋଇଥିବା ଟଙ୍କା ଜବତ ହେବା ସହ ଗିରଫ ହୋଇଛନ୍ତି ଏକାଧିକ ଅଭିଯୁକ୍ତ । ଲଙ୍କାଗୁଣ୍ଡ ଫିଙ୍ଗି ଲକ୍ଷାଧିକ ଟଙ୍କା ଲୁଟ୍ ମାମଲାରେ ପୋଲିସର ତଦନ୍ତରେ ସାମ୍ନାକୁ ଆସିଛି ଚାଂଚଲ୍ୟକର ତଥ୍ୟ ।

ପୋଲିସ ରିପୋର୍ଟ ଅନୁଯାୟୀ ଗତକାଲି ଟ୍ରକ ଚାଳକ ରାମାସ୍ୱାମୀ ଗରଡ ଓ ହେଲ୍ପର ସୁଶାନ୍ତ କଳ୍ପ ଟ୍ରକ ଧରି କୋରାପୁଟରୁ ରାୟଗଡା ଅଭିମୁଖେ ବାହାରିଥିଲେ । ଅଣ୍ଡା ଡେଲିଭରୀ ବାବଦକୁ ଗାୟତ୍ରୀ ଭଣ୍ଡାରରୁ ନଗଦ ୧ ଲକ୍ଷ ୬୦ ହଜାର ଟଙ୍କା ଧରି ସଂଧ୍ୟା ପ୍ରାୟ ୬ଟା ୩୦ ମିନିଟ୍ ସମୟରେ ଫେରୁଥିଲେ । ରାୟଗଡା ଜିଲ୍ଲା କାଳୀପଡା ଘାଟି ନିକଟରେ ହଠାତ୍ ୪ ଅଜଣା ବ୍ୟକ୍ତି ବାଇକରେ ଆସି ତାଙ୍କୁ ଅଟକାଇବା ସହ ଆଖିରେ ଲଙ୍କାଗୁଣ୍ଡ ମାଡ କରିଥିଲେ ।

ଲଙ୍କାଗୁଣ୍ଡ ଜ୍ୱାଳାରେ ଉଭୟ ରାମାସ୍ୱାମୀ ଓ ସୁଶାନ୍ତ ଛଟପଟ ହେଉଥିବାବେଳେ ନଗଦ ଟଙ୍କା ଧରି ଚମ୍ପଟ୍ ମାରିଥିଲେ ୪ ଲୁଟେରା । ଏହି ଘଟଣାକୁ ନେଇ ରାମାସ୍ୱାମୀ ଟିକିରି ଥାନାରେ ଅଭିଯୋଗ କରିବା ପରେ ପୋଲିସ ଟିମ୍ ଆକ୍ସନ ମୋଡକୁ ଆସିଥିଲା । ଆରମ୍ଭ ହୋଇଥିଲା ତନାଘନା । ମାତ୍ର ୨୪ ଘଣ୍ଟାରେ ଲୁଟ୍ ମାମଲାର ପର୍ଦ୍ଦାଫାସ୍ କରିବାରେ ସଫଳ ହୋଇଥିଲା ତଦନ୍ତକାରୀ ଟିମ୍ ।

ଜାଣି ଚକିତ ହେବେ ଖୋଦ ରାମାସ୍ୱାମୀ ଓ ସୁଶାନ୍ତ ରଚିଥିଲେ ଲୁଟ୍‌ର ଷଡଯନ୍ତ୍ର । ତଦନ୍ତରୁ ଜଣାପଡିଛି ଘଟଣାଦିନ ଅନ୍ୟ କୌଣସି ଅଜଣା ବ୍ୟକ୍ତିଙ୍କ ଦ୍ୱାରା ଦୁହେଁ ଲୁଟର ଶିକାର ହୋଇନଥିଲେ । ବରଂ ଦୁହେଁ ଚଳଚ୍ଚିତ୍ର ଢଙ୍ଗରେ ପ୍ରସ୍ତୁତ କରିଥିଲେ ଲୁଟ ଘଟଣାର କାଳ୍ପନିକ କାହାଣୀ । ପୋଲିସର କଡା ଜେରାରେ ସତ ଓଗାଳିଥିଲେ ଦୁଇ ଅଭିଯୁକ୍ତ । ସେମାନଙ୍କଠାରୁ ନଗଦ ୧ ଲକ୍ଷ ୪୬ ହଜାର ୯୬୦ ଟଙ୍କା ଜବତ ହେବା ସହ ଜାରି ରହିଛି ଅଧିକ ତଦନ୍ତ । ମାତ୍ର ୨୪ ଘଣ୍ଟାରେ ଲୁଟ୍ ମାମଲାର ପର୍ଦ୍ଦାଫାସ ଘଟଣାକୁ ନେଇ ରାୟଗଡା ପୋଲିସର ଦକ୍ଷତାକୁ ସାଧାରଣରେ ପ୍ରଶଂସା କରାଯାଇଛି ।

Leave A Reply

Your email address will not be published.