Latest Odisha News

କରୋନା ସଚେତନତା ରଥର ଲୋକାର୍ପଣ

ଭୁବନେଶ୍ୱର : ଓଡ଼ିଆ ଭାଷା ସାହିତ୍ୟ ଏବଂ ସଂସ୍କୃତି ବିଭାଗ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଏବଂ ସୂଚନା ଓ ଲୋକ ସମ୍ପର୍କ ବିଭାଗ ସହଯୋଗରେ ପ୍ରୋଜେକ୍ଟ ହୋପ ଓ ମାଇଁ ହାର୍ଟ ତରଫରୁ କରୋନା ମହାମାରୀ ବିଷୟରେ , ସୂଚନା ଓ ପ୍ରାସାରଣ ଉଦ୍ଦେଶ୍ୟରେ ସଚେତନତା ରଥ ଯୋଜନାର ଶୁଭାରମ୍ଭ ହୋଇଯାଇଛି।

ଏହି କାର୍ଯ୍ୟକ୍ରମ ମାଧ୍ୟମରେ ରାଜ୍ୟରେ ନିର୍ଦ୍ଦିଷ୍ଟ କୋଭିଡ଼ ଚିକିତ୍ସା କେନ୍ଦ୍ରକୁ ଆବଶ୍ୟକୀୟ ଚିକିତ୍ସା ଉପକରଣ ଯୋଗାଇ ଦେବା, ରାଜ୍ୟର ଚାରୋଟି ଜିଲ୍ଲାରେ ( ଖୋର୍ଦ୍ଧା, କଟକ, ପୁରୀ , ଜଗତସିଂହପୁର) କରୋନା ମହାମାରୀ ବିଷୟରେ ସଚେତନତା ରଥ ଚଲେଇବା, ଲୋକଙ୍କୁ ମହାମାରୀ ସମୟରେ ଉପଯୁକ୍ତ ଆଚରଣ ବିଷୟରେ ଅବଗତ କରାଇବା ଏବଂ ସ୍ୱାସ୍ଥ୍ୟକର୍ମୀମାନଙ୍କୁ ମହାମାରୀ ବିଷୟରେ ଲୋକଙ୍କୁ ସଚେତନ କରାଇବା ପାଇଁ ଆବଶ୍ୟକୀୟ ସୂଚନା, ଶିକ୍ଷା ଓ ସାମଗ୍ରୀ ଯୋଗାଇବା ହିଁ ଏହାର ମୁଖ୍ୟ ଉଦ୍ଦେଶ୍ୟ।

ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ ଓଡ଼ିଆ ଭାଷା ସାହିତ୍ୟ ସଂସ୍କୃତି ବିଭାଗ ନିର୍ଦ୍ଦେଶକ ରଞ୍ଜନ କୁମାର ଦାସ, ସୂଚନା ଓ ଲୋକ ସମ୍ପର୍କ ବିଭାଗ ମୁଖ୍ୟ ବିଷ୍ଣୁପଦ ସେଠୀ , ପ୍ରୋଜେକ୍ଟ ହୋପର ପ୍ରକଳ୍ପ ସଂଯୋଜକ ଆଲୋକ ଚନ୍ଦ୍ର ମହାନ୍ତି, ମାଇଁ ହାର୍ଟର ଉପଦେଷ୍ଟା ଡ. ପ୍ରବୋଧ କୁମାର ମିଶ୍ର , ନିର୍ଦ୍ଦେଶକ ଶକ୍ତିଧର ସାହୁ, କୋଷାଧ୍ୟକ୍ଷ ଜୟନ୍ତ ସାମନ୍ତରାୟ , ପ୍ରକଳ୍ପ ଅଧିକାରୀ ତନ୍ମୟ ଶତପଥୀ, ପୂର୍ବତନ ସ୍ୱାସ୍ଥ୍ୟ ବିଭାଗ ନିର୍ଦ୍ଦେଶିକା ଡା. ସେବା ମହାପାତ୍ର ଏବଂ ଅନ୍ୟାନ୍ୟ କର୍ମୀଙ୍କ ଉପସ୍ଥିତିରେ ଭୁବନେଶ୍ୱର ସଂସ୍କୃତି ଭବନଠାରେ ହୋଇଯାଇଛି।

ଏହି ଅବସରରେ କରୋନା ସଚେତନତାକୁ ନେଇ ଆଧାରିତ ୩ଟି ଗୀତ ଉନ୍ମୋଚିତ ହୋଇଥିଲା। ତା ମଧ୍ୟରୁ ଦୁଇଟି ଗୀତ, ରଞ୍ଜନ କୁମାର ଦାସ ଲେଖିଥିବା ବେଳେ ପବିତ୍ର ପଟ୍ଟନାୟକ ନିର୍ଦ୍ଦେଶନା ଦେଇଛନ୍ତି। ତୃତୀୟ ଗୀତଟି ବାସୁଦେବ ମାଲ ବିଶୋଇ ରଚନା କରିବା ସହ ସଙ୍ଗୀତ ନିର୍ଦ୍ଦେଶନା ମଧ୍ୟ ଦେଇଛନ୍ତି ଏବଂ ସତ୍ୟଜିତ ଓ ରଶ୍ମି ତିନୋଟି ଯାକ ଗୀତ ଗାଇଛନ୍ତି।

ଏଠାରେ ସୂଚନାଯୋଗ୍ୟ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସହଯୋଗରେ ଲାଇଫବୟ , ପ୍ରୋଜେକ୍ଟ ହୋପ ଓ ମାଇଁ ହାର୍ଟ ଦ୍ୱାରା ଖୋର୍ଦ୍ଧା ଜିଲ୍ଲାରେ ସାବୁନରେ ହାତ ସଫା ଅଭ୍ୟାସ କରିବା କାର୍ଯ୍ୟକ୍ରମ ୨୦୧୮ ମସିହାରୁ ଆରମ୍ଭ ହୋଇଥିଲା।।

 

Leave A Reply

Your email address will not be published.