Latest Odisha News

BREAKING NEWS

ବିପନ୍ନ ଅବସ୍ଥାରେ ବୁଲା ଜୀବଜନ୍ତୁଙ୍କ ଜୀବନ; ଲକ୍‌ଡାଉନରେ ଏହି ଯୁବକମାନେ ପାଲଟିଛନ୍ତି ଦେବଦୂତ !

ଭୁବନେଶ୍ୱର: କେବଳ ଓଡ଼ିଶା କାହିଁକି ସମଗ୍ର ଭାରତରେ ଲକ୍‌ଡାଉନର କଠୋର କଟକଣା ଓ ସଂଗରୋଧ ପରି କଡ଼ାକଡ଼ି ନିୟମ ପାଳନ ଯୋଗୁଁ ରାସ୍ତାକଡ଼ରେ ବୁଲୁଥିବା ଜୀବଜନ୍ତୁଙ୍କ ଜୀବନ ଏବେ ଅସହାୟ ହୋଇପଡ଼ିଛି । ଦୋକାନ ବଜାର ହେଉ କିମ୍ବା ହୋଟେଲ୍ କିମ୍ବା ରେଷ୍ଟୁରାଣ୍ଟ୍ ବନ୍ଦ ରହିବା ଯୋଗୁଁ ରାସ୍ତାରେ ବୁଲି ଖାଉଥିବା କୁକୁର, ଷଣ୍ଢ, ଗାଈମାନେ ଭୋଜନ ଅଭାବରୁ ବିପନ୍ନ ଅବସ୍ଥାରେ ରହିଛନ୍ତି । ତେବେ ଏହି ଅସହାୟ ଜୀବଜନ୍ତୁଙ୍କ ଲାଗି ରାଜଧାନୀରେ କିଛି ଯୁବକ ପାଲଟିଛନ୍ତି ଦେବଦୂତ । ଏହି ଯୁବକମାନେ ବୁଲା କୁକୁର, ଗାଈ କି ବୁଲା ଷଣ୍ଢମାନଙ୍କୁ ରାତି ଦିନ ଦେଇ ଚାଲିଛନ୍ତି ଭୋଜନ । ଅନେକ ଅସହାୟ ନିରୀହ ଜୀବନ ଗୁଡ଼ିକ ବଞ୍ଚିଯାଉଛି ଲକ୍ ଡାଉନରେ । ସରକାର ମଧ୍ୟ ଏହି ବୁଲା ଜୀବଜନ୍ତୁଙ୍କ ଲାଗି ଅନେକ ସାହାଯ୍ୟ ଘୋଷଣା ମଧ୍ୟ କରିସାରିଛନ୍ତି ।

ଭୁବନେଶ୍ୱର ବାସିନ୍ଦା ତଥା ପେଶାରେ ଆଇନଜୀବୀ ଥିବା ଦେବାଶିଷ ମହାପାତ୍ର ଓଡ଼ିଶା ସମ୍ବାଦକୁ କହିଛନ୍ତି ଯେ, “ରାସ୍ତାକଡ଼ରେ ଏହି ଭୋକିଲା ଜୀବଜନ୍ତୁ ମାନଙ୍କୁ ଆମେ ଖାଦ୍ୟ ଲାଗି ମରିବାକୁ ଦେବୁନାହିଁ ।”

ଦେବାଶିଷ ରସୁଲଗଡ଼ରେ ରହନ୍ତି । ସେ ରାଜଧାନୀ ଫ୍ରେଣ୍ଡସ ଫାଉଣ୍ଡେସନ ନାମକ ଏକ ସଂସ୍ଥା ପ୍ରତିଷ୍ଠା କରିଛନ୍ତି ଯେଉଁଥିରେ କି ପ୍ରାୟ ୩୦ ଜଣ ସଦସ୍ୟ ଅଛନ୍ତି ।

“ଲକ୍‌ଡ଼ାଉନ୍ ଘୋଷଣା ହେବା ପରଠାରୁ ହିଁ ଆମେ ରାଜଧାନୀର ରାସ୍ତାକଡ଼ରେ ଥିବା ସମସ୍ତ ଭୋକିଲା ଗାଈ, ଷଣ୍ଢ, କୁକୁର, ବିଲେଇ, କାଉ ଏବଂ ମାଙ୍କଡ଼ ମାନଙ୍କୁ ଖାଇବାକୁ ଦେବା ଆରମ୍ଭ କଲୁ । ଆମେ ଦେଖିଲୁ ଯେ, ଗରିବ ଓ ଅସହାୟ ବ୍ୟକ୍ତିମାନଙ୍କ ଲାଗି ଅନେକ ସ୍ୱେଚ୍ଛାସେବୀ ବାହାରି ଖାଦ୍ୟ ପରିବେଷଣ କରୁଥିଲେ ମଧ୍ୟ ଏହି ବୁଲା ଜୀବଜନ୍ତୁଙ୍କ ପ୍ରତି କେହି ବାହାରୁନାହାନ୍ତି । ଆମେ ପ୍ରତିଜ୍ଞା କଲୁ କି ଏହି ଭୋକିଲା ଜୀବଜନ୍ତୁଙ୍କୁ ଆମେ ଖାଇବାକୁ ଦେବୁ ।” ଏହା କହିଛନ୍ତି ଦେବାଶିଷ ।

“ଲକ୍‌ଡ଼ାଉନ ପୂର୍ବରୁ ମୁଁ ରସୁଲଗଡ଼ରେ ଏକ ହୋଟେଲଟିଏ ଆରମ୍ଭ କରିଥିଲି । ଏବେ ଏହି ଜୀବଜନ୍ତୁଙ୍କ ଲାଗି ଖାଦ୍ୟ ରନ୍ଧାଯାଇ ପରଷା ଯାଉଛି,” ବୋଲି ଦେବାଶିଷ କହନ୍ତି ।

ଏହି ଜୀବଜନ୍ତୁଙ୍କ ଲାଗି ଏହି ଯୁବଗୋଷ୍ଠୀ ଉପମା, ଖିଚିଡ଼ି, ଡାଲମା, ପୋହା, ଭାତ ରାନ୍ଧି ଖାଇବାକୁ ଦେଇଥାଆନ୍ତି । ଭୁବନେଶ୍ୱରର ରସୁଲଗଡ଼, ଆଚାର୍ଯ୍ୟବିହାର, ସହିଦ ନଗର ଏବଂ ନୟାପଲ୍ଲୀ ଅଞ୍ଚଳରେ ଥିବା ରାସ୍ତାକଡ଼ର ଜୀବଜନ୍ତୁଙ୍କୁ ଦୈନିକ ଲକଡ଼ାଉନରେ ଖାଇବାକୁ ଭୋଜନ ଦିଆଯାଉଛି ।

ଆମେ ଆମ ପାରୁ ପର୍ଯ୍ୟନ୍ତ ଏହି ଭୋକିଲା ଜୀବଜନ୍ତୁଙ୍କୁ ଖାଇବାକୁ ଦେଉଛୁ । ଯେଉଁ ସହୃଦୟ ବ୍ୟକ୍ତିମାନେ ଏହି ଜୀବଜନ୍ତୁଙ୍କୁ କିଛି ଖାଇବାକୁ ଭୋଜନ ଦେବାକୁ ଚାହିଁବେ ତେବେ ଆମ ମୋବାଇଲ୍ ନମ୍ବରରେ ୯୧୧୪୩୪୦୫୫୨ ରେ ଆମକୁ ଯୋଗାଯୋଗ କରିପାରିବେ ବୋଲି ଦେବାଶୀଷ ଓଡ଼ିଶା ସମ୍ବାଦକୁ କହିଛନ୍ତି ।

ଓଡ଼ିଶା ସରକାର ମଧ୍ୟ ଏହି ଭୋକିଲା ଜୀବଜନ୍ତୁମାନଙ୍କୁ ଖାଦ୍ୟାଭାବରୁ ମରିବାକୁ ଦେବେନାହିଁ ବୋଲି ଘୋଷଣା କରିଛନ୍ତି । ସରକାରଙ୍କ ପକ୍ଷରୁ ୫୪ ଲକ୍ଷ ଟଙ୍କା ଏହି ଜୀବଜନ୍ତୁଙ୍କ ଲାଗି ଖର୍ଚ୍ଚ ହେବ ବୋଲି ମଧ୍ୟ ଘୋଷଣା କରାଯାଇଛି । ଏହି ଲକ୍‌ଡ଼ାଉନରେ ମଧ୍ୟ ସରକାର ନିରୀହ ଜୀବମାନଙ୍କ ପ୍ରତି ବିଭିନ୍ନ ପଦକ୍ଷେପ ଗ୍ରହଣ କରିଛନ୍ତି ।

ରାଜଧାନୀର ଆନିମଲ୍ ୱେଲଫେୟାର୍ ଟ୍ରଷ୍ଟ ଏକାମ୍ର (ଏଡବ୍ଲ୍ୟୁଟିଇ) ମଧ୍ୟ ଏହି ବେସାହାରା ଜୀବମାନଙ୍କ ଲାଗି ଅଣ୍ଟା ଭିଡ଼ିଛି । ପ୍ରିୟ ରଞ୍ଜନ ପଣ୍ଡା ନାମକ ଏଡବ୍ଲ୍ୟୁଟିଇ ଜଣେ ସଦସ୍ୟ କହିଛନ୍ତି ଯେ, ଆମେ ପଟିଆ, ଇନଫୋସିଟି, ଶିଖରଚଣ୍ଡି ଆଦି ଅଞ୍ଚଳରେ ରାସ୍ତାକଡ଼ର ଜୀବଜନ୍ତୁମାନଙ୍କୁ ଖାଦ୍ୟ ଖାଇବାକୁ ଦେଉଛୁ । ଏହି ଲକ୍‌ଡ଼ାଉନ ସମୟରେ ଆମର ଅନେକ ସଦସ୍ୟମାନେ ମଧ୍ୟ ପାତ୍ରପଡ଼ା, ଖଣ୍ଡଗିରି ଏବଂ ଡୁମଡୁମା ଅଞ୍ଚଳରେ ବୁଲା କୁକୁର, ଗାଈ, ଷଣ୍ଢ, ମାଙ୍କଡ଼ ଓ ବିରାଡ଼ିମାନଙ୍କ୍‌ୁ ଖୋଜି ଖୋଜି ଭୋଜନ ଦେବାରେ ଲାଗିଛନ୍ତି ।

Leave A Reply

Your email address will not be published.