Latest Odisha News

BREAKING NEWS

କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଆଶଙ୍କା; ଓଡ଼ିଶା ହୋଇପାରେ ‘କରୋନା ହଟ୍‌ସ୍ପଟ୍‌’ !

ନୂଆଦିଲ୍ଲୀ: ଗୋଟିଏ ଦିନରେ ରାଜ୍ୟରେ ୩୪ ଜଣ ପଜିଟିଭ୍ ଚିହ୍ନଟ ହେବା ପରେ ଆଗାମୀ ଦିନରେ ଓଡ଼ିଶା କରୋନା ହଟ୍‌ସ୍ପଟ୍ ହେବା ନେଇ ଆଶଙ୍କା ବ୍ୟକ୍ତ କରିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡଃ ହର୍ଷବର୍ଦ୍ଧନ ।

ଦେଶରେ ଏବେ ପଶ୍ଚିମବଙ୍ଗ, ଓଡ଼ିଶା ଏବଂ ଉତ୍ତର ପ୍ରଦେଶରେ ଦ୍ରୁତଗତିରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଛି । ଏହି ୩ଟି ରାଜ୍ୟ ଆଗାମୀ ଦିନରେ କରୋନା ହଟ୍‌ସ୍ପଟ୍ ହେବାର ଆଶଙ୍କା ରହିଥିବା ନେଇ ଡଃ ହର୍ଷବର୍ଦ୍ଧନ ଗୁରୁବାର ଦିନ କହିଛନ୍ତି ।

କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଆଜି ଏହି ତିନୋଟି ରାଜ୍ୟର ସ୍ୱାସ୍ଥ୍ୟମନ୍ତ୍ରୀମାନଙ୍କ ସହିତ ଭିଡ଼ିଓ କନଫରେନ୍ସିଂ ମାଧ୍ୟମରେ ରାଜ୍ୟଗୁଡ଼ିକର କରୋନା ସ୍ଥିତି ସମୀକ୍ଷା କରିଥିଲେ । ପଶ୍ଚିମବଙ୍ଗ, ଓଡ଼ିଶା ଏବଂ ଉତ୍ତର ପ୍ରଦେଶରେ ଉପଯୁକ୍ତ ଟେଷ୍ଟ ସୁବିଧା ନଥିବା ଯୋଗୁଁ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇପାରେ ବୋଲି ଆଶଙ୍କା କରିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ।

ଗୁଜରାଟର ସୁରଟରୁ ଏବଂ ପଶ୍ଚିମବଙ୍ଗରୁ ପ୍ରବାସୀ ଓଡ଼ିଆ ଏବେ ଆସିବାରେ ଲାଗିଛନ୍ତି । ପଶ୍ଚିମବଙ୍ଗ ସରକାରଙ୍କ ଆକଳନ ଅନୁଯାୟୀ ପଶ୍ଚିମବଙ୍ଗରେ ୯୨ ହଜାରରୁ ଅଧିକ ବ୍ୟକ୍ତି ସଂକ୍ରମିତ ହୋଇଥାଇ ପାରନ୍ତି । ଓଡ଼ିଶାକୁ ଲୁଚିଛପି ପଶ୍ଚିମବଙ୍ଗରୁ ଅନେକ ବ୍ୟକ୍ତି ଆସୁଛନ୍ତି । ଏହାକୁ ଦୃଷ୍ଟିରେ ରଖିଲେ ଓଡ଼ିଶାରେ ଆକ୍ରାନ୍ତଙ୍କ ସଂଖ୍ୟା ଅଧିକ ବୃଦ୍ଧି ପାଇପାରେ ।

ଓଡ଼ିଶାରେ ଗୁରୁବାର ଦିନ ୩୪ ଜଣ ନୂଆ ପଜିଟିଭ୍ କେସ୍ ଚିହ୍ନଟ ହେବାପରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୨୧୯ରେ ପହଞ୍ଚିଛି । କରୋନା ଆକ୍ରାନ୍ତରେ ରାଜ୍ୟରେ ୨ଜଣ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ବେଳେ ୬୨ ଜଣ ସୁସ୍ଥ ହୋଇଛନ୍ତି ।

Leave A Reply

Your email address will not be published.