Latest Odisha News

ତାଇୱାନର ସତର୍କତାକୁ କାହିଁକି ଅଣଦେଖା କଲ; ‘ଡବ୍ଲ୍ୟୁଏଚଓ’ ଉପରେ ପୁଣି ବର୍ଷିଲେ ଟ୍ରମ୍ପ୍ !

ନ୍ୟୁୟର୍କ: ଅନ୍ତର୍ଜାତୀୟ କୂଟନୀତିରେ ଏବେ ଚୀନ୍ ଏକଘରିକିଆ ହେବାରେ ଲାଗିଛି । ଚୀନର ୟୁହାନ ସହରରେ ପ୍ରଥମେ କରୋନା ଭୂତାଣୁ ସଂକ୍ରମିତ ହେବା ପରେ ଏହା କ୍ରମେ ସମଗ୍ର ବିଶ୍ୱକୁ ବ୍ୟାପି ଯାଇଥିଲା । ଏସମ୍ପର୍କରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚଓ) ଅବଗତ ଥିଲେ ମଧ୍ୟ ବିଶ୍ୱ ସମୁଦାୟକୁ ତୁରନ୍ତ ଜଣାଇବାରେ ଅବହେଳା କରିଥିଲା । ଯୁକ୍ତରାଷ୍ଟ୍ର ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ କିଛିଦିନ ପୂର୍ବରୁ ଉଭୟ ଚୀନ୍ ଓ ଡବ୍ଲ୍ୟୁଏଚଓକୁ ଏନେଇ କଡ଼ା ସମାଲୋଚନା କରିଥିଲେ । ଏବେ ତାଇୱାନ ମଧ୍ୟ ଡବ୍ଲ୍ୟୁଏଚଓ ଉପରକୁ ଅଙ୍ଗୁଳି ଉଠାଇଛି । କରୋନା ଭୂତାଣୁ ଭୀଷଣ ଭାବେ ସଂକ୍ରମିତ ହେବାର ଯଥେଷ୍ଟ ପୂର୍ବରୁ ତାଇୱାନ୍ ଡବ୍ଲ୍ୟୁଏଚଓକୁ ଏହା ସଂକ୍ରମିତ ହେବା ନେଇ ଚେତାବନୀ ଦେଇଥିଲା । ମାତ୍ର ଏବିଷୟରେ ଜାଣି ମଧ୍ୟ ଡବ୍ଲ୍ୟୁଏଚଓ ବିଶ୍ୱ ସମୁଦାୟକୁ ଭୂଲ୍ ତଥ୍ୟ ପ୍ରଦାନ କରିଛି ବୋଲି ଟ୍ରମ୍ପ୍ ସମାଲୋଚନା କରିଛନ୍ତି ।

ଡବ୍ଲ୍ୟୁଏଚଓକୁ କରୋନା ଭୂତାଣୁ ନେଇ ଦୋଷାରୋପ କରିବା ଏହା ଟ୍ରମ୍ପ୍‌ଙ୍କ ଦ୍ୱିତୀୟବାର ଲାଗି ପ୍ରଚେଷ୍ଟା । ଏହାପୂର୍ବରୁ ଡବ୍ଲ୍ୟୁଏଚଓ ପାଣ୍ଠିକୁ ଦେଉଥିବା ସହଯୋଗ ରାଶି ସମ୍ପୂର୍ଣ୍ଣ ବନ୍ଦ ମଧ୍ୟ କରିଦେଇଛି । ଚୀନକୁ ଅନାବଶ୍ୟକ ରୂପେ ସମର୍ଥନ କରୁଥିବା ଯୋଗୁଁ କରୋନା ଭୂତାଣୁ ବିଶ୍ୱବ୍ୟାପୀ ସଂକ୍ରମିତ ହୋଇଥିବାର ଦୋଷାରୋପ ମଧ୍ୟ କରିଛନ୍ତି ଟ୍ରମ୍ପ୍ ।

ସବୁଠାରୁ ବଡ଼ କଥା ହେଲା, ଏବେ ଏହି କରୋନା ଭୂତାଣୁ ସଂକ୍ରମଣକୁ ନେଇ କେବଳ ଆମେରିକା ନୁହେଁ ବିଭିନ୍ନ ରାଷ୍ଟ୍ର ସମୁଦାୟ ଚୀନ ଉପରେ ଦୋଷାରୋପ କରିବାରେ ଲାଗିଛନ୍ତି । ତାଇୱାନ, ସ୍ପେନ, ଇଟାଲୀ ଏବଂ ଆମେରିକା ଚୀନ ବିରୋଧୀ ଟିପ୍ପଣୀ ଦେବାରେ ଲାଗିଛନ୍ତି । କରୋନା ଭୂତାଣୁ ଯୋଗୁଁ ଯେ ଆମେରିକା କେବଳ ଅଧିକ କ୍ଷତିଗ୍ରସ୍ତ ହୋଇଛି ତାହାନୁହେଁ ବରଂ ଇଟାଲୀ, ସ୍ପେନ, ଜର୍ମାନୀ, ଫ୍ରାନ୍ସ ଓ ଇଂଲଣ୍ଡ ପରି ଅଧିକାଂଶ ମୁଷ୍ଟିମେୟ ୟୁରୋପୀୟ ରାଷ୍ଟ୍ର ସମଦଶା ଭୋଗୁଛନ୍ତି । ଏହା ଏବେ ବିଶ୍ୱ ଅର୍ଥନୀତି ଉପରେ କୁପ୍ରଭାବ ପକାଇବାରେ ଲାଗିଛି । ମାନ୍ଦା ଅବସ୍ଥା ସମ୍ପୂର୍ଣ୍ଣ ଆସିନଥିବା ବେଳେ ଏବେ ଅର୍ଥନୀତି ପ୍ରଭାବିତ ହେବାରେ ଲାଗିଛି ।

କରୋନା ଭୂତାଣୁକୁ ଆମେରିକା କହୁଛି ଚୀନ୍ ଭାଇରସ୍ । ଚୀନ ହିଁ ଏହି ପରିସ୍ଥିତି ଲାଗି ସମ୍ପୂର୍ଣ୍ଣ ଭାବେ ଦାୟୀ ଏବଂ ଡବ୍ଲ୍ୟୁଏଚଓ ମାଧ୍ୟମରେ ଚୀନ ଏହାର ସଂକ୍ରମଣକୁ ପ୍ରତିରୋଧ କରିପାରିଲା ନାହିଁ । ଯାହାଫଳରେ ଏହା ବିଶ୍ୱବ୍ୟାପୀ ଖୁବ୍ ଶିଘ୍ର ବ୍ୟାପି ଯାଇଛି ବୋଲି ଟ୍ରମ୍ପ୍ ଦୋଷାରୋପ କରିଛନ୍ତି ।

Leave A Reply

Your email address will not be published.