ମଣିଷ ଚର୍ମରେ ୯ ଘଣ୍ଟା ଯାଏଁ ସକ୍ରିୟ ରହେ କୋଭିଡ ଭୂତାଣୁ !
ଟୋକିଓ: କରୋନା ମହାମାରୀର ମୁକାବିଲା ପାଇଁ ବାରମ୍ବାର ହାତ ଧୋଇବାର ଗୁରୁତ୍ଵକୁ ଦୋହରାଇଥିବା ସହ ଜାପାନର ଏକ ଗବେଷକ ଟିମ ପ୍ରକାଶ କରିଛନ୍ତି ଯେ, କରୋନାଭାଇରସ୍ ମାନବ ଚର୍ମରେ ୯ ଘଣ୍ଟା ସକ୍ରିୟ ରହିଥାଏ । ଏହାର ତୁଳନାରେ, ଫ୍ଲୁ ସୃଷ୍ଟି କରୁଥିବା ରୋଗ ପ୍ରାୟ ୧.୮ ଘଣ୍ଟା ପର୍ଯ୍ୟନ୍ତ ମାନବ ଚର୍ମରେ ଜୀବିତ ରହିଥାଏ ବୋଲି କ୍ଲିନିକାଲ ସଂକ୍ରମଣ ରୋଗ ପତ୍ରିକାରେ ପ୍ରକାଶିତ ଅଧ୍ୟୟନରେ କୁହାଯାଇଛି।
ଏହାଦ୍ୱାରା ଗୋଷ୍ଠୀ ସଂକ୍ରମଣର ଆଶଙ୍କା ମଧ୍ୟ ଅନେକ ପରିମାଣରେ ରହୁଛି।
ଏହି ଗବେଷକ ଟିମ ବ୍ୟକ୍ତିଙ୍କ ମୃତ୍ୟୁର ପ୍ରାୟ ଗୋଟିଏ ଦିନ ପରେ ଶବ ବ୍ୟବଚ୍ଛେଦ ନମୁନାରୁ ସଂଗୃହିତ ଚର୍ମ ପରୀକ୍ଷା କରିଥିଲେ । ଉଭୟ କରୋନାଭାଇରସ୍ ଏବଂ ଫ୍ଲୁ ଜୀବାଣୁ ୧୫ ସେକେଣ୍ଡ ମଧ୍ୟରେ ଇଥାନଲ ପ୍ରୟୋଗ କରି ନିଷ୍କ୍ରିୟ ହୋଇଥାନ୍ତି, ଯାହା ହ୍ୟାଣ୍ଡ ସାନିଟାଇଜରରେ ବ୍ୟବହୃତ ହୁଏ । ଚର୍ମରେ SARS-CoV-2 ର ଅଧିକ ସମୟ ରାହିବା ଅର୍ଥ ଗୋଷ୍ଠୀ ସଂକ୍ରମଣର ଆଶଙ୍କାକୁ ବୃଦ୍ଧି କରାଇବା। ତଥାପି, ହାତକୁ ବାରମ୍ବାର ଧୋଇବା ଦ୍ୱାରା ଏହି ବିପଦକୁ ହ୍ରାସ କରାଯାଉପାରେ ବୋଲି ଏହି ଅଧ୍ୟୟନରେ କୁହାଯାଇଛି।
ଏହି ଅଧ୍ୟୟନ ଦ୍ୱାରା ଜଣାପଡିଛି ଯେ, ଜୀବାଣୁ ସଂକ୍ରମଣକୁ ସୀମିତ ରଖିବା ପାଇଁ ନିୟମିତ ଭାବେ ଓ ଭଲଭାବେ ହାତ ଧୋଇବା ନିହାତି ଆବଶ୍ୟକ। ଯାହା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଗାଇଡ଼ଲାଇନରେ ଉଲ୍ଲେଖ କରାଯାଇଛି।