Latest Odisha News

କରୋନା ଭାଇରସ୍ ଆତଙ୍କ; ପାରାଦୀପରେ ୭ଟି ଜାହାଜ ଉପରେ କଟକଣା

ପାରାଦୀପ: ଚୀନରେ ଦିନକୁ ଦିନ କାୟା ବିସ୍ତାର କରୁଥିବା ମାରାତ୍ମକ କରୋନା ଭାଇରସ୍ ଯୋଗୁଁ ସାରା ଦେଶବାସୀ ଏକପ୍ରକାର ଆତଙ୍କିତ ହୋଇଯାଇଛନ୍ତି । ଏଭଳି ପରିସ୍ଥିତିରେ ପାରାଦୀପ ବନ୍ଦର କର୍ତ୍ତୃପକ୍ଷ ମଧ୍ୟ ସତର୍କତା ମୂଳକ ପଦକ୍ଷେପ ଗ୍ରହଣ କରିବା ସହ ପ୍ରାୟ ୭ଟି ଜାହାଜକୁ ବନ୍ଦରରେ ପ୍ରବେଶ ଲାଗି ମନା କରିଛନ୍ତି ।

ପ୍ରାପ୍ତ ସୂଚନାନୁଯାୟୀ ଜାହାଜରେ ଆସୁଥିବା ସମସ୍ତ ପଣ୍ୟଦ୍ରବ୍ୟ ବୋଝେଇ ତଥା ଓହ୍ଲାଇବା ପାଇଁ ଅନୁମତି ଦେଇଥିବା ବେଳେ ଜାହାଜର କୌଣସି କର୍ମଚାରୀଙ୍କୁ ଜାହାଜରୁ ତଳକୁ ଓହ୍ଲାଇବାକୁ ଅନୁମତି ଦେଇ ନାହାଁନ୍ତି ବନ୍ଦର କର୍ତ୍ତୃପକ୍ଷ ।

ଉକ୍ତ ୭ଟି ଜାହାଜ ମଧ୍ୟରେ ରହିଛି ଚୀନ, ହଂଗକଂଗ ଓ ସିଙ୍ଗାପୁରର ଜାହାଜ । ତେବେ ବିଦେଶୀ ଜାହାଜ କର୍ମଚାରୀମାନେ କରୋନା ଭାଇରସ ଦ୍ୱାରା ଆକ୍ରାନ୍ତ ହୋଇଥାଇପାରନ୍ତି ଦର୍ଶାଇ ବନ୍ଦର କର୍ତ୍ତୃପକ୍ଷ ଏଭଳି ନିଷ୍ପତ୍ତି ଗ୍ରହଣ କରିଥିବା ନେଇ ସୂଚନା ମିଳିଛି । ଅନ୍ୟ ସମସ୍ତ ବିଦେଶୀ ଜାହାଜର କର୍ମଚାରୀମାନଙ୍କୁ ଓହ୍ଲାଇବାର ଅନୁମତି ମିଳିଥିଲେ ମଧ୍ୟ ୪ନଂ ବନ୍ଦରର ଗେଟରେ ଲାଗିଥିବା ସ୍କାନର ଦ୍ୱାରା ସେମାନଙ୍କୁ ଭଲଭାବେ ଯାଞ୍ଚ କରାଯାଉଥିବା ନେଇ ବନ୍ଦର କର୍ତ୍ତୃପକ୍ଷଙ୍କ ନିକଟରୁ ସୂଚନା ମିଳିଛି ।

ଆହୁରି ମଧ୍ୟ କୌଣସି ସମ୍ଭାବ୍ୟ ପରିସ୍ଥିତିର ମୁକାବିଲା କରିବା ଲାଗି ପୋର୍ଟ ହସ୍ପିଟାଲରେ ସ୍ୱତନ୍ତ୍ର ଆଇସୋଲେଟେଡ୍ ୱାର୍ଡର ମଧ୍ୟ ବ୍ୟବସ୍ଥା କରାଯାଇଥିବା ନେଇ ସୂଚନା ମିଳିଛି ।

Comments are closed.