Latest Odisha News

BREAKING NEWS

GDP growth: ୭.୮% GDP ବୃଦ୍ଧିକୁ ନେଇ ଖୁସି ପ୍ରକାଶ କଲେ ପ୍ରଧାନମନ୍ତ୍ରୀ, ‘ମିଛର ପ୍ରତିଧ୍ୱନି’ ନେଇ ବିରୋଧୀଙ୍କୁ ଟାର୍ଗେଟ

ନୂଆଦିଲ୍ଲୀ: ଭାରତୀୟ ଅର୍ଥନୀତି ପାଇଁ ଆସିଛି ଏକ ବଡ଼ ଖବର। ୨୦୨୬-୨୭ ଆର୍ଥିକ ବର୍ଷର ଏପ୍ରିଲରୁ ଜୁନ୍‌ ତ୍ରୈମାସିକରେ ଦେଶର GDP ବୃଦ୍ଧି ହାର ୭.୮ ପ୍ରତିଶତ ରହିଛି। ଏହି ଆର୍ଥିକ ଅଭିବୃଦ୍ଧିକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଏଥିସହ ଅର୍ଥନୀତିକୁ ନେଇ ନକାରାତ୍ମକ ପ୍ରଚାର କରୁଥିବା ଲୋକଙ୍କୁ ମଧ୍ୟ ପରୋକ୍ଷରେ ଟାର୍ଗେଟ କରିଛନ୍ତି।

ମୋଦୀ ଏକ ଇନ୍‌ଷ୍ଟାଗ୍ରାମ୍ ପୋଷ୍ଟରେ କହିଛନ୍ତି ଯେ, ୭.୮ ପ୍ରତିଶତ ଅଭିବୃଦ୍ଧି ହାର ଦେଶବାସୀଙ୍କ ମନରେ ଆନନ୍ଦ ଭରିଦେଇଛି। ଦେଶର ଲୋକଙ୍କ ସଂକଳ୍ପ, ପରିଶ୍ରମ ଓ ସାମୂହିକ ଶକ୍ତିର ଏହା ପ୍ରତିଫଳନ ବୋଲି ସେ କହିଛନ୍ତି।

ମୋଦୀ କହିଛନ୍ତି ଯେ ବର୍ତ୍ତମାନ ସମଗ୍ର ବିଶ୍ୱ ଅନେକ ଚ୍ୟାଲେଞ୍ଜ ଦେଇ ଗତି କରୁଛି। ବିଭିନ୍ନ ସ୍ଥାନରେ ଯୁଦ୍ଧ ଓ ସଂଘର୍ଷ ଜାରି ରହିଛି। ଏହାର ପ୍ରଭାବରେ ବିଶ୍ୱ ଅର୍ଥନୀତି ଓ ସପ୍ଲାଏ ଚେନ୍‌ ବାଧାପ୍ରାପ୍ତ ହୋଇଛି। କୋଭିଡ୍-୧୯ ମହାମାରୀ ଆରମ୍ଭ ହୋଇଥିବା ୨୦୨୦ ମସିହାଠାରୁ ବିଶ୍ୱରେ ସ୍ଥିରତା ଦେଖାଦେଇନାହିଁ। ଏଭଳି ଅସ୍ଥିର ପରିସ୍ଥିତି ମଧ୍ୟରେ ଭାରତ ଦ୍ରୁତଗତିରେ ଆଗକୁ ବଢ଼ୁଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

ଦେଶର ଅର୍ଥନୀତିକୁ ନେଇ ଯେଉଁମାନେ ପ୍ରଶ୍ନ ଉଠାଉଛନ୍ତି, ସେମାନଙ୍କୁ ମଧ୍ୟ ମୋଦୀ ପରୋକ୍ଷରେ ନିଶାନା କରିଛନ୍ତି। ଦେଶ ମଧ୍ୟରେ କିଛି ଲୋକ ନିରାଶା, ନକାରାତ୍ମକତା ଓ ‘ମିଛର ପ୍ରତିଧ୍ୱନି’ ମଧ୍ୟରେ ଫସି ରହିଥିବା ସେ କହିଛନ୍ତି। ଏହାକୁ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଉପରେ ମୋଦୀଙ୍କ ପରୋକ୍ଷ ଆକ୍ରମଣ ବୋଲି ଦେଖାଯାଉଛି।

ମୋଦୀ କହିଛନ୍ତି, ଏସବୁ ବାଧା ଓ ନକାରାତ୍ମକ ପ୍ରଚାରକୁ ଅତିକ୍ରମ କରି ଭାରତ ୭.୮ ପ୍ରତିଶତ GDP ଅଭିବୃଦ୍ଧି ହାସଲ କରିଛି। ଏହି ଗତିକୁ ଆଗକୁ ମଧ୍ୟ ବଜାୟ ରଖିବା ଏବଂ ଦେଶର ଅର୍ଥନୈତିକ ଭିତ୍ତିକୁ ଆହୁରି ମଜବୁତ କରିବା ଆବଶ୍ୟକ ବୋଲି ସେ ଜୋର ଦେଇଛନ୍ତି। ଦେଶର ଅର୍ଥନୈତିକ ବିକାଶକୁ ଆଗକୁ ନେବା ପାଇଁ ଆତ୍ମନିର୍ଭରତା ଉପରେ ମଧ୍ୟ ପ୍ରଧାନମନ୍ତ୍ରୀ ଗୁରୁତ୍ୱ ଦେଇଛନ୍ତି। ବିଶ୍ୱସ୍ତରୀୟ ସଙ୍କଟ ଓ ସପ୍ଲାଏ ଚେନ୍‌ରେ ବାଧା ମଧ୍ୟରେ ଦେଶୀୟ କ୍ଷମତାକୁ ମଜବୁତ କରିବା ଅତ୍ୟନ୍ତ ଜରୁରୀ ବୋଲି ସେ କହିଛନ୍ତି।

ଦ୍ରୁତ ଅଭିବୃଦ୍ଧିର ଏହି ଗତିକୁ ବଜାୟ ରଖିବା ସହ ଭାରତକୁ ଆହୁରି ସଶକ୍ତ କରିବା ପାଇଁ ‘ଆତ୍ମନିର୍ଭର ଭାରତ’ ହେବା ଆବଶ୍ୟକ ବୋଲି ମୋଦୀ କହିଛନ୍ତି।

Leave A Reply

Your email address will not be published.