Latest Odisha News

BREAKING NEWS

ପ୍ରଧାନମନ୍ତ୍ରୀଙ୍କ ଶିକ୍ଷାଗତ ଯୋଗ୍ୟତା ଉପରେ ପୁଣି ତଥ୍ୟ ମାଗିଲେ କେଜ୍ରିୱାଲ

ନୂଆଦିଲ୍ଲୀ : ସାମ୍ବାଦିକ ସମ୍ମିଳନୀ କରି ପ୍ରଧାନମନ୍ତ୍ରୀ ମୋଦୀଙ୍କ ଡିଗ୍ରୀ ଓ ଶିକ୍ଷାଗତ ଯୋଗ୍ୟତା ବିଷୟରେ ପୁଣି ତଥ୍ୟ ମାଗିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ଏଠାରେ କହି ରଖିବାକୁ ଚାହିଁବୁ, ପ୍ରଧାନମନ୍ତ୍ରୀଙ୍କ ଶିକ୍ଷାଗତ ଡିଗ୍ରୀ ସମ୍ପର୍କରେ କେଜ୍ରିୱାଲଙ୍କ ଆବେଦନକୁ ଗୁଜରାଟ ହାଇକୋର୍ଟ ଖାରଜ କରିବାସହ ତାଙ୍କ ଉପରେ ୨୫,୦୦୦ ଟଙ୍କା ଜୋରିମାନା ମଧ୍ୟ ଲଗାଇଥିଲେ । ହାଇକୋର୍ଟ ରାୟର ଦିନକ ପରେ ଶନିବାର ପୁନର୍ବାର କେଜ୍ରିୱାଲ, ପ୍ରଧାନମନ୍ତ୍ରୀଙ୍କ ଡିଗ୍ରୀ ଓ ଶିକ୍ଷାଗତ ଯୋଗ୍ୟତା ଉପରେ ପ୍ରଶ୍ନ ଉଠାଇଛନ୍ତି । କେଜ୍ରିୱାଲ କହିଛନ୍ତି; ପ୍ରଧାନମନ୍ତ୍ରୀଙ୍କ ଡିଗ୍ରୀ ନେଇ ଗୁଜୁରାଟ ହାଇକୋର୍ଟଙ୍କ ରାୟରେ ପୂରା ଦେଶ ସ୍ତବ୍ଧ ।

ସାମ୍ବାଦିକ ସମ୍ମିଳନୀରେ କେଜ୍ରିୱାଲ କହିଛନ୍ତି, ଅର୍ଦ୍ଧ ଶିକ୍ଷିତ କିମ୍ବା ଅଶିକ୍ଷିତ ହେବା ଅପରାଧ କିମ୍ବା ପାପ ନୁହେଁ । କିନ୍ତୁ ଯେଉଁ ପ୍ରଧାନମନ୍ତ୍ରୀ ନାଳରୁ ନିର୍ଗତ ଗ୍ୟାସରେ ଚା’ ପ୍ରସ୍ତୁତ କରାଯାଇପାରିବ ବୋଲି କହୁଛନ୍ତି ତାଙ୍କ ଶିକ୍ଷା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହେବା ସ୍ଵାଭାବିକ। ଜଣେ ଶିକ୍ଷିତ ବ୍ୟକ୍ତି ଏପରି କଥା କେବେ କହିବେନି । ଲାଗୁଛି ବିଜ୍ଞାନ ବିଷୟରେ ତାଙ୍କ ଜ୍ଞାନ ବହୁତ କମ୍ । କେବଳ ଏତିକିରେ ଅଟକି ନାହାଁନ୍ତି କେଜ୍ରିୱାଲ, କହିଛନ୍ତି ଲୋକଙ୍କ ମନରେ ଦ୍ୱିତୀୟ ପ୍ରଶ୍ନ ହେଉଛି ଡିଗ୍ରୀ ନକଲି ମଧ୍ୟ ହୋଇପାରେ | ଯଦି ପ୍ରଧାନମନ୍ତ୍ରୀ ଦିଲ୍ଲୀ କିମ୍ବା ଗୁଜରାଟ ବିଶ୍ୱବିଦ୍ୟାଳୟରୁ ଡିଗ୍ରୀ ହାସଲ କରିଛନ୍ତି, ତେବେ ଏହାକୁ ସେଲିବ୍ରେଟ୍ କରାଯିବା ଉଚିତ୍ ବୋଲି କେଜ୍ରିୱାଲ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ।

ମୁଁ ଏହି ସୂଚନା କାହିଁକି ମାଗିଥିଲି କହି କେଜ୍ରିୱାଲ ଯୁକ୍ତି ବାଢ଼ିଛନ୍ତି ଯେ, ସ୍ବାଧୀନତାର ୭୫ ବର୍ଷ ପରେ ଦେଶ ଯେତିକି ପ୍ରଗତି କରିବା କଥା ତାହା କରିନାହିଁ। କାରଣ ଏକବିଂଶ ଶତାବ୍ଦୀର ଯୁବପିଢୀ ଦେଶରେ ଦ୍ରୁତ ଅଗ୍ରଗତି ଚାହୁଁଛନ୍ତି | ଏଭଳି ସ୍ଥିତିରେ ଦେଶର ପ୍ରଧାନମନ୍ତ୍ରୀ ଶିକ୍ଷିତ ହେବା ନିହାତି ଆବଶ୍ୟକ ବୋଲି ସେ କହିଛନ୍ତି ।

ଉଲ୍ଲେଖଯୋଗ୍ୟ, ଶୁକ୍ରବାର ଗୁଜରାଟ ହାଇକୋର୍ଟ ତାଙ୍କ ରାୟରେ କହିଥିଲେ, ଲୋକମାନେ ପ୍ରଧାନମନ୍ତ୍ରୀଙ୍କ ଶିକ୍ଷାଗତ ଯୋଗ୍ୟତା ବିଷୟରେ ଜାଣିବା ଆବଶ୍ୟକ ନାହିଁ। ଏଥିସହ ପ୍ରଧାନମନ୍ତ୍ରୀ ମୋଦିଙ୍କ ଡିଗ୍ରୀ ସମ୍ପର୍କିତ ସୂଚନା ଦେବାକୁ କେନ୍ଦ୍ରୀୟ ସୂଚନା କମିଶନ‌ ଆଜିକୁ ୭ ବର୍ଷ ତଳେ ଗୁଜରାଟ ବିଶ୍ଵବିଦ୍ୟାଳୟକୁ ଦେଇଥିବା ନିର୍ଦ୍ଦେଶକୁ ମଧ୍ୟ ଗୁଜରାଟ ହାଇକୋର୍ଟ ରଦ୍ଦ କରିଦେଇଛନ୍ତି ।

Leave A Reply

Your email address will not be published.