Latest Odisha News

BREAKING NEWS

ଗଛ ସହ କଥା ହେବା ସହ ସଙ୍ଗୀତ ଶୁଣାନ୍ତି ବିଶ୍ଵନାଥ

କାମାକ୍ଷାନଗର : ହାରମୋନିୟମ ବଜାନ୍ତି, ଗୀତ ବି ଗାଆନ୍ତି । ଏହା କୌଣସି ମଣିଷ ପାଇଁ ନୁହେଁ ବରଂ ଗଛ ପାଇଁ । ଆପଣଙ୍କର ବିଶ୍ୱାସ ନହେଉଥିଲେ ମଧ୍ୟ ଏହା ସତ। ଗଛ ସହ କଥା ହେଉଛନ୍ତି ସେମାନଙ୍କୁ ଗୀତ ବି ଶୁଣାଉଛନ୍ତି । ସମ୍ପୂର୍ଣ୍ଣ ଘର ପାଲଟିଛି ପୁଷ୍ପପାରିଜାତର ରଙ୍ଗମହଲ । କୌଣସି ସହରୀ ସଭ୍ୟତାରେ ନୁହେଁ ବରଂ ସମ୍ପୂର୍ଣ୍ଣ ଗାଉଁଲୀ ପରିବେଶରେ ଏ ଦୃଶ୍ୟ । ଯାହା ଆପଣଙ୍କୁ  ବିମୋହିତ କରିବ ।

ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ କାଦୁଆ ପଞ୍ଚାୟତ ଅନ୍ତର୍ଗତ ଭଗୀରଥିପୁର ଶାସନ ଗାଁରେ ବାସ କରୁଛନ୍ତି ଅବସରପ୍ରାପ୍ତ ଶିକ୍ଷକ ଦମ୍ପତ୍ତି ବିଶ୍ବନାଥ ମହାପାତ୍ର ଏବଂ ଲତାମଣି ଦାସ । ଛୋଟ ବେଳୁ ପାଠ ପଢିବା ସହିତ ପ୍ରକୃତି ପ୍ରେମରେ ବନ୍ଧା । ନିଜ ଚାକିରି କାଳରେ ଅନେକ ଛାତ୍ରଛାତ୍ରୀଙ୍କୁ ମଣିଷ କରି ଗଢି ତୋଳିଥିଲେ। ଏବେ ଅବସର ପରେ ଗଛମାନଙ୍କର ସେବା କରୁଛନ୍ତି, ନିଜ ପିଲା ପରି ସେମାନଙ୍କୁ ପାଳୁଛନ୍ତି। ଖାଲି ସେବାରେ ସୀମିତ ନାହାନ୍ତି ବିଶ୍ୱନାଥ ବରଂ ଗଛମାନଙ୍କ ସହ କଥାବାର୍ତ୍ତା କରୁଛନ୍ତି ସେମାନଙ୍କୁ ଗୀତ ଗାଇ ଶୁଣାଉଛନ୍ତି।

ବିଶ୍ଵନାଥ କେବଳ ପ୍ରକୃତି ପ୍ରେମରେ ବନ୍ଧା ନୁହନ୍ତି ବରଂ ମ୍ୟୁଜିକ ପ୍ରତି ତାଙ୍କର ରହିଛି ବଡ଼ ଦୁର୍ବଳତା । ଯାହାକୁ ନେଇ ଘରେ ମ୍ୟୁଜିକର ଏକ ଷ୍ଟୁଡିଓ ମଧ୍ୟ କରିଛନ୍ତି । ସଙ୍ଗୀତର ସ୍ୱରରେ ନିଜ ଖୁସି ହେବା ସହିତ ଅନ୍ୟ ମାନଙ୍କୁ ମଧ୍ୟ ଖୁସି କରୁଛନ୍ତି । ସକାଳର ସୁନେଲି ଆଭାସରେ ଗଛ ଓ ଫୁଲର ସୌନ୍ଦର୍ଯ୍ୟ ବେଶ ମନଲୋଭା । ସକାଳର ଚା’ ଖିଆ ଓ ପେପର ପଢା ପରେ ଗଛ ଲତା ହିଁ ତାଙ୍କର ଜୀବନ । ହାତରେ ଡାକ୍ତରଙ୍କ ପରି ଷ୍ଟେଥୋ ଧରି ସେବା କଲା ପରି ସେ ବାହାରି ପଡନ୍ତି ବୃକ୍ଷ ଗୁଡ଼ିକର ସେବା କରିବା ପାଇଁ । ସେମାନଙ୍କୁ ଜଳ ଓ ବିଭିନ୍ନ ଜୈବିକ ସାର ଦେବା ସହ ତାର ଯତ୍ନ ନେଇଥାନ୍ତି । ପରେ ନିଜ ଲାଇବ୍ରେରିରେ ବସି ବହି ସହିତ କିଛି ବିତେଇବା ସହିତ ସଙ୍ଗୀତର ସ୍ୱରରେ ମଜି ଯାଆନ୍ତି । ସେ ଏକାଧାରରେ ଜଣେ ସାହିତ୍ୟିକ, ଗାଳ୍ପିକ ,ଔପନ୍ୟାସିକ , ସଙ୍ଗୀତଜ୍ଞ , ପରିବେଶବିତ ଭାବେ ବେଶ ଜଣାଶୁଣା । ଯାହାକୁ ନେଇ ଅଞ୍ଚଳରେ ବେଶ ପ୍ରସଂଶା ର ପାତ୍ର ହୋଇପାରିଛନ୍ତି ।

ଆପଣ ଅନେକ ମଣିଷ ଦେଖିଥିବେ ଯେଉଁମାନେ ଗଛର ଯତ୍ନ ନିଅନ୍ତି  । ହେଲେ ଗଛ ସହ କଥା ହେବା ଏବଂ ସେମାନଙ୍କୁ ଗୀତ ଗାଇ ଶୁଣାଇବା ପରି ବ୍ୟକ୍ତି ବିଶ୍ୱମ୍ବର ବୋଧହୁଏ ପ୍ରଥମ । କାମାକ୍ଷାନଗରରୁ ହରେକ୍ରିଷ୍ଣ ରାଉତ ଓଡିଶା ସମ୍ବାଦ ନ୍ୟୁଜ ।

Leave A Reply

Your email address will not be published.