Latest Odisha News

BREAKING NEWS

ବିଧାୟକ ହତ୍ୟାକାଣ୍ଡର ମୁଖ୍ୟ ସାକ୍ଷୀଙ୍କୁ ବିଚ ରାସ୍ତାରେ ଗୁଳିକରି ହତ୍ୟା

ପ୍ରୟାଗରାଜ: ବିଏସପି ବିଧାୟକ ରାଜୁ ପାଲ ହତ୍ୟାକାଣ୍ଡର ମୁଖ୍ୟ ସାକ୍ଷୀଙ୍କୁ ବିଚ ରାସ୍ତାରେ ଗୁଳିକରି ହତ୍ୟା କରାଯାଇଛି । ଗୁଳିମାଡରେ ତାଙ୍କର ସୁରକ୍ଷାକର୍ମୀଙ୍କୁ ମଧ୍ୟ ଗୁଳିକରି ହତ୍ୟା କରାଯାଇଛି । ଶୁକ୍ରବାର ସନ୍ଧ୍ୟାରେ ତାଙ୍କୁ ତାଙ୍କ ବାସଭବନ ସମ୍ମୁଖରେ ଗାଡିରୁ ଓହ୍ଲାଉଥିବାବେଳେ ତାଙ୍କୁ ହତ୍ୟା କରାଯାଇଛି । ଘଟଣା ଘଟିଛି ଉତ୍ତରପ୍ରଦେଶର ପ୍ରୟାଗରାଜରେ  ।

୨୦୦୫ ମସିହାରେ ବିଏସପି ବିଧାୟକ ରାଜୁ ପାଲଙ୍କୁ ହତ୍ୟା କରାଯାଇଥିଲା । ସେ ଆଲାହାବାଦ ବିଧାନସଭାରୁ ଜିତିବାର କିଛି ମାସ ପରେ ତାଙ୍କୁ ହତ୍ୟା କରାଯାଇଥିଲା । ସେ ଏହି ଆସନରୁ ପୂର୍ବତନ ସାଂସଦ ଅତିକ ଅହମ୍ମଦଙ୍କ ସାନ ଭାଇଁ ଖାଲିଦ ଆଜିମଙ୍କୁ ହରାଇ ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ପୋଲିସର କହିବା ଅନୁଯାୟୀ ରାଜୁ ପାଲଙ୍କ ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତ ଅତିକ ଅହମ୍ମଦ, ତାଙ୍କ ଭାଇ ଏବଂ ପୂର୍ବତନ ବିଧାୟକ ଅସରଫଙ୍କୁ ଗିରଫ କରାଯାଇଥିଲା ଏବଂ ସେମାନେ ଜେଲରେ ଅଛନ୍ତି ।

ଏହି ଘଟଣାର ମୁଖ୍ୟ ସାକ୍ଷୀ ଥିଲେ ଉମେଶ ପାଲ । ତାଙ୍କୁ ଶୁକ୍ରବାର ସନ୍ଧ୍ୟାରେ ନିଜ ଘର ସାମ୍ନାରେ  କେତେଜଣ ଅଜଣା ଆତାତାୟୀ ବୋମା ପକାଇବା ପରେ ଗୁଳିକରି ହତ୍ୟା କରିଛନ୍ତି । ହତ୍ୟାକାଣ୍ଡର ଦୃଶ୍ୟ ସିସିଟିଭିରେ କଏଦ ହୋଇଛି । ସିସିଟିଭି ଫୁଟେଜରେ ଦେଖିବାକୁ ମିଳିଛି, ଉମେଶ ତାଙ୍କ ଘର ସାମ୍ନାରେ ଏସୟୁଭିରୁ ଓହ୍ଲାଉଛନ୍ତି । ତାଙ୍କ ସହ ୨ ଜଣ ବଡିଗାର୍ଡ ମଧ୍ୟ ଓହ୍ଲାଉଛନ୍ତି ।  ହଠାତ ଜଣେ  ବ୍ୟକ୍ତି ପଛପଟୁ ଆସୁଛନ୍ତି ଏବଂ ତାଙ୍କୁ ଗୁଳି କରୁଛନ୍ତି ।

ସିସିଟିଭି ଫୁଟେଜକୁ ଯାଞ୍ଚ କରିବା ପରେ ପୋଲିସ କହିଛି, ଆତତାୟୀମାନେ କାର ଏବଂ ବାଇକରେ ଆସିଛନ୍ତି । ସେମାନେ ଉମେଶ ପାଲଙ୍କ ଗାଡିକୁ ଲଗାତାର ବୋମା ମାଡ କରି ଚାଲିଛନ୍ତି । ଏକ ଭିଡିଓ କ୍ଲିପରେ ଦେଖିବାକୁ ମିଳିଛି, ଜଣେ ଆତତାୟୀ ନିଜ ବ୍ୟାଗରୁ ବୋମା କାଢି ଉମେଶ ପାଲଙ୍କୁ ଲକ୍ଷ୍ୟ କରି ଫିଙ୍ଗୁଛି ।

ପୋଲିସର କହିବା ଅନୁଯାୟୀ, ଅନ୍ୟ ସନ୍ଦିଗ୍ଧମାନେ ମଧ୍ୟ ଏହି ସମୟରେ ବୋମା ଫିଙ୍ଗୁଥିବା ସିସିଟିଭି ଫୁଟେଜରେ ଦେଖିବାକୁ ମିଳିଛି । ବୋମାମାଡ ଯୋଗୁ ଚାରିଆଡ ଧୂଆଁମୟ ହୋଇଯାଉଛି । ଗୁଳିମାଡ ପରେ ଉମେଶଙ୍କୁ ଗୁରୁତର ଅବସ୍ଥାରେ ସ୍ୱରୂପ ରାଣୀ ନେହରୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ।

ଏହି ଘଟଣା ପରେ ପ୍ରୟାଗରାଜ ପୋଲିସ ଅତିକଙ୍କ ଭାଇ, ତାଙ୍କ ପତ୍ନୀ ଏବଂ ପୁଅ ସମେତ ୧୪ ଜଣଙ୍କ ନାଁରେ ଏଫଆଇଆର ରୁଜୁ କରିବା ସହ ସେମାନଙ୍କୁ ଗିରଫ କରିଛି । ସେମାନଙ୍କୁ ଜେରା ଚାଲିଛି ।

Leave A Reply

Your email address will not be published.