Latest Odisha News

BREAKING NEWS

କୋଭିଡ୍‌-୧୯ ସଟ୍‌ଡାଉନ୍‌: କଟକରେ ପୋଲିସ ଉପରକୁ ଟେକାମାଡ଼

କଟକ: କଟକରେ ଏବେ ସଟ୍‌ଡାଉନ୍ ସଫଳ ହେବା ଲାଗି ପୋଲିସ ପ୍ରଶାସନ ପକ୍ଷରୁ କଡ଼ାକଡ଼ି ପଦକ୍ଷେପ ଗ୍ରହଣ କରାଯାଇଛି । କେଶରପୁର ଅଞ୍ଚଳରେ କିଛି ଯୁବକ ସଂଘବଦ୍ଧ ଭାବେ ପୋଲିସ ଉପରକୁ ଟେକାମାଡ଼ କରିବା ଫଳରେ ପୋଲିସକୁ ଲାଠି ଚାର୍ଜ କରିବାକୁ ପଡ଼ିଛି ।

ମିଳିଥିବା ଖବର ଅନୁଯାୟୀ, ମଙ୍ଗଳାବାଗ ଥାନା ପକ୍ଷରୁ ସହରରେ ପାଟ୍ରୋଲିଂ ଚାଲିଥିବା ବେଳେ କିଛି ଯୁବକ ଏକ ଧର୍ମୀୟ ପୀଠସ୍ଥଳୀରେ ଏକତ୍ରିତ ହୋଇଥିବା ଦେଖିବାକୁ ପାଇଲେ । ସଟ୍‌ଡାଉନ୍ କଟକଣା ନମାନି ଏହି ଯୁବକମାନେ ସଂଘବଦ୍ଧ ହୋଇଥିବା ଯୋଗୁଁ ପୋଲିସ ସେମାନଙ୍କୁ ଘଉଡ଼ାଇବାକୁ ଚେଷ୍ଟା କରିଥିଲା ।

ପୋଲିସ ସେମାନଙ୍କୁ ସେଠାରୁ ଚାଲିଯିବାକୁ କହିବା ପରେ ଯୁବକମାନେ ପୋଲିସ ଉପରକୁ ପ୍ରବଳ ଟେକା ପଥର ମାଡ଼ କରିବାକୁ ଆରମ୍ଭ କରିଥିଲେ । ଏହି ଘଟଣାରେ ମଙ୍ଗଳାବାଗ ଥାନା ଭାରପ୍ରାପ୍ତ ଅଧିକାରୀଙ୍କ ସମେତ କିଛି ପୋଲିସ କର୍ମଚାରୀ ଆହତ ହୋଇଥିବା ସୂଚନା ମିଳିଛି ।

ଏହି ଘଟଣା ସମ୍ପର୍କରେ ଖବର ପାଇ କଟକ ଡିସିପି ଅଖିଳେଶ୍ୱର ସିଂହ ପୋଲିସ ପ୍ଲାଟୁନ ସହ ସେଠାକୁ ଯାଇ ଟେକାମାଡ଼ କରୁଥିବା ଯୁବକମାନଙ୍କ ଉପରେ ଲାଠିଚାର୍ଜ କରିଥିଲେ । ପୋଲିସ ଏହି ଘଟଣାରେ ସଂପୃକ୍ତ କିଛି ଯୁବକଙ୍କୁ ଥାନାରେ ଅଟକ ରଖିଛି ।

ଏସମ୍ପର୍କରେ କଟକ ଡିସିପି କହିଛନ୍ତି ଯେ, “ପୋଲିସ ଉପରେ ଆକ୍ରମଣ କରିଥିବା କିଛି ଯୁବକଙ୍କୁ ଧରାଯାଇଥିବା ବେଳେ ଅନ୍ୟ ସମସ୍ତ ସଂପୃକ୍ତ ଯୁବକମାନଙ୍କୁ ପୋଲିସ ଧରିବାକୁ ଚେଷ୍ଟା କରୁଛି, ସେମାନଙ୍କ ବିରୋଧରେ ମାମଲା ରୁଜୁ ହୋଇଛି ।”

Leave A Reply

Your email address will not be published.