Latest Odisha News

BREAKING NEWS

ରାଜଧାନୀରେ ରାଜ୍ୟର ଅଧା କୋଭିଡ୍ ସଂକ୍ରମଣ, ବଢ଼ିଲା କଟକଣା

ଭୁବନେଶ୍ୱର: ରାଜ୍ୟରେ କୋଭିଡ୍ ସଂକ୍ରମଣ ମାମଲା ବୃଦ୍ଧି ପାଉଥିବା ବେଳେ ଶୀର୍ଷରେ ରହିଛି ଖୋର୍ଦ୍ଧା ଜିଲ୍ଲା । ତଥ୍ୟ ଅନୁସାରେ ଗତ ୨୪ ଘଣ୍ଟାରେ ରାଜ୍ୟରେ ୫୭୨ ଜଣ କୋଭିଡ୍ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨୧୯ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସେଥିରୁ ୨୦୩ ଜଣ ରାଜଧାନୀ ଭୁବନେଶ୍ୱରର ବୋଲି ବିଏମସି ସୂଚନା ଦେଇଛି । ଅର୍ଥାତ୍ ପ୍ରତିଦିନ ରାଜ୍ୟରେ ଚିହ୍ନଟ ସଂକ୍ରମିତଙ୍କର ହାରାହାରି ୫୦ ପ୍ରତିଶତ ମାମଲା କେବଳ ରାଜଧାନୀରୁ ଆସୁଛି ।

ରାଜଧାନୀରେ ବଢ଼ୁଥିବା କୋଭିଡ୍ ସଂକ୍ରମଣକୁ ଦେଖି ବିଏମସି କୋଭିଡ୍ କଟକଣାକୁ କଡ଼ାକଡ଼ି କରିଛି । ରାସ୍ତାକଡ଼ ଠେଲା ସମେତ ଦୋକାନରେ ଭିଡ଼ ଏଡ଼ାଇବାକୁ କୁହାଯାଇଛି । ମଲ୍ ଗୁଡ଼ିକରେ ୬ ଫୁଟ୍ ସାମାଜିକ ଦୂରତା ରକ୍ଷା ସହ ମୁହଁରେ ମାସ୍କ ପରିଧାନକୁ ଗୁରୁତ୍ୱ ଦିଆଯାଇଛି । କଟକଣା ଉଲ୍ଲଂଘନ କଲେ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦେଇଛି ବିଏମସି ।

ଗତ ୨୪ ଘଣ୍ଟାରେ ରାଜଧାନୀରେ ୨୦୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସମସ୍ତ ମାମଲା ସ୍ଥାନୀୟ ସଂକ୍ରମଣ । ପଟିଆ ଅଞ୍ଚଳରୁ ସର୍ବାଧିକ ୪୫ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ପାତ୍ରପଡ଼ାରୁ ୨୧, ଓଲ୍ଡ ଟାଉନରୁ ୧୯, ନୟାପଲ୍ଲୀରୁ ୧୯ ଜଣ ସଂକ୍ରମିତ ଅଛନ୍ତି । ଏବେ ଭୁବନେଶ୍ୱରରେ ୮୫୦ଟି ସକ୍ରିୟ ସଂକ୍ରମଣ ମାମଲା ରହିଛି ।

Leave A Reply

Your email address will not be published.