Latest Odisha News

BREAKING NEWS

[ଦେଖନ୍ତୁ ଭିଡିଓ] ଆସିଲା କି ଚତୁର୍ଥ ଲହର ? ରାଜ୍ୟରେ ୩ ଅଙ୍କ ଛୁଇଁଲା ଦୈନିକ କରୋନା ସଂକ୍ରମଣ

ଭୁବନେଶ୍ୱର: ୨୩ ତାରିଖରେ ୭୩, ୨୪ ତାରିଖରେ ୬୧, ୨୫ ତାରିଖରେ ୬୨, ୨୬ ତାରିଖରେ ୬୮, ୨୭ ତାରିଖରେ ୬୯ ଆଉ ୨୮ ତାରିଖରେ ୧୧୩ । ରାଜ୍ୟରେ ପ୍ରତିଦିନ ବଢ଼ି ଚାଲିଛି କୋଭିଡ୍ ସଂକ୍ରମଣ ମାମଲା । କିଛି ମାସ ଧରି ଦୈନିକ ସଂକ୍ରମଣ ୨ ଅଙ୍କ ରହୁଥିବା ବେଳେ ଗତ ୨୪ ଘଣ୍ଟାରେ ୧୧୩ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କରୋନାର ବଢ଼ୁଥିବା ମାମଲା କଣ ଚତୁର୍ଥ ପ୍ରବାହର ସଂକେତ ? ତାକୁ ନେଇ ଆରମ୍ଭ ହେଲାଣି ଚର୍ଚ୍ଚା ।

ଗତ ୨୪ ଘଣ୍ଟାରେ ୧୧୩ଟି କୋଭିଡ୍ ସଂକ୍ରମଣ ମାମଲା ମଧ୍ୟରୁ ୬୭ ଜଣ ସଂକ୍ରମିତ କ୍ୱାରେଣ୍ଟାଇନରୁ ଚିହ୍ନଟ ହୋଇଥିବା ବେଳେ ୪୬ଟି ମାମଲା ସ୍ଥାନୀୟ ସଂକ୍ରମଣ । ଶୂନରୁ ୧୮ ବର୍ଷ ମଧ୍ୟରେ ୧୫ ଜଣ ଗତ ୨୪ ଘଣ୍ଟାରେ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ଏବେବି ରାଜ୍ୟରେ କୋଭିଡ୍ ସଂକ୍ରମଣରେ ଶୀର୍ଷରେ ରହିଛି ଖୋର୍ଦ୍ଧା ଜିଲ୍ଲା । ଖୋର୍ଦ୍ଧାରୁ ସର୍ବାଧିକ ୬୫ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ କଟକରୁ ୨୧ଟି ମାମଲା ଆସିଛି ।

ସବୁଠାରୁ ବଡ଼ କଥା ହେଉଛି ଷ୍ଟେଟପୁଲ୍ ସହ ମାତ୍ର ୬ ଜିଲ୍ଲାରୁ ୧୧୩ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ କେବଳ ଖୋର୍ଦ୍ଧା ଜିଲ୍ଲାରୁ ରହିଛି ୫୦ ପ୍ରତିଶତରୁ ଅଧିକ ମାମଲା । ବଢ଼ୁଥିବା ସଂକ୍ରମଣ ଚିନ୍ତା ବଢ଼ାଇଥିବା ବେଳେ ଗତ ୨୪ ଘଣ୍ଟାରେ ଆଉ ୫୨ ଜଣ କୋଭିଡ୍ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏଥିସହ ରାଜ୍ୟରେ ଏବେ ୫୧୭ଟି ସକ୍ରିୟ କୋଭିଡ୍ ସଂକ୍ରମିତ ରହିଛନ୍ତି ।

ରାଜ୍ୟରେ ଏବେ ଟେଷ୍ଟ ପଜିଟିଭିଟି ରେଟ୍ ୧ ପ୍ରତିଶତ ରହିଛି । ଏବେବି ରାଜ୍ୟରେ ୭ ଜିଲ୍ଲା କୋଭିଡ୍ ମୁକ୍ତ ରହିଛି । ଢେଙ୍କାନାଳ, ଗଜପତି, ଗଞ୍ଜାମ, କନ୍ଧମାଳ, ମାଲକାନଗିରି, ନବରଙ୍ଗପୁର ଓ ସୁବର୍ଣ୍ଣପୁର ଜିଲ୍ଲାରେ ଜଣେ ବି ସକ୍ରିୟ ସଂକ୍ରମିତ ନାହାନ୍ତି । ବର୍ଷା ଋତୁ ଆରମ୍ଭ ହୋଇଥିବା ବେଳେ ବିଭିନ୍ନ ଜିଲ୍ଲାରେ ଡେଙ୍ଗୁ ମାଡ଼ିଲାଣି । ଏପଟେ କରୋନା ସଂକ୍ରମଣ ବଢ଼ୁଥିବାରୁ ଚିନ୍ତା ବଢ଼ିବାରେ ଲାଗିଛି ।

Leave A Reply

Your email address will not be published.