Latest Odisha News

BREAKING NEWS

ସୁନ୍ଦରଗଡ଼ରେ ପ୍ରଥମ ଦିନରେ ୬୨୩ ସ୍ୱାସ୍ଥ୍ୟ କର୍ମୀ ଓ ସଫେଇ କର୍ମଚାରୀ ନେଲେ ଟିକା

ସୁନ୍ଦରଗଡ଼: ସାରା ଦେଶରେ ପ୍ରଥମ ପର୍ଯ୍ୟାୟ କୋଭିଡ୍ ଟିକାକରଣ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭିଡିଓ କନଫରେନ୍ସିଂ ଜରିଆରେ ଶୁଭାରମ୍ଭ କରିଥିବା ଏହି କାର୍ଯ୍ୟକ୍ରମରେ ସୁନ୍ଦରଗଡ଼ ଜିଲ୍ଲା ମଧ୍ୟ ସାମିଲ ହୋଇଛି।

ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ରାଉରକେଲା ସରକାରୀ ଚିକିତ୍ସାଳୟ ସହିତ ୮ଟି କେନ୍ଦ୍ରରେ ସ୍ୱାସ୍ଥ୍ୟ କର୍ମୀ ଓ ସଫେଇ କର୍ମଚାରୀଙ୍କୁ ଟିକା ଦିଆଯାଇଛି। ପ୍ରଥମ ଦିନରେ ଜିଲ୍ଲାରେ ମୋଟ ୬୨୩ ଜଣଙ୍କୁ ଟିକା ଦିଆଯାଇଛି।

ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ଏମସିଏଚ ଓ ରାଜଗାଙ୍ଗପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ୧୦୦ ଜଣଙ୍କୁ ଟିକା ଦିଆଯାଇଛି। ସେହିପରି ରାଉରକେଲା ସରକାରୀ ଚିକିତ୍ସାଳୟରେ ୮୩, କୋଏଲନଗର ସହରାଞ୍ଚଳ ସ୍ଵାସ୍ଥ୍ୟ କେନ୍ଦ୍ରରେ ୭୦, ବଣାଇଁ ଉପଖଣ୍ଡ ଚିକିତ୍ସାଳୟରେ ୭୦, ମଙ୍ଗସପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ୫୦ ଜଣଙ୍କୁ ଟିକା ଦିଆଯାଇଛି।

ଶନିବାର ସକାଳ ସାଢ଼େ ୧୦ଟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ପରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟବ୍ୟାପୀ ଟିକାକରଣ ବ୍ୟବସ୍ଥା ସମ୍ପର୍କରେ ପଚାରି ବୁଝିଥିଲେ। ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଟିକା ନେଇଥିବା ଆସିଷ୍ଟାଣ୍ଟ ମ୍ୟାଟ୍ରନ ଅଜିତ କୁମାରୀ ଖେସ୍ ମୁଖ୍ୟମନ୍ତ୍ରୀଙ୍କ ଆଗରେ ନିଜର ଅନୁଭୂତି ବର୍ଣ୍ଣନା କରିଥିଲେ। ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣ ଜିଲ୍ଲାରେ ଟିକାକରଣ କାର‌୍ୟ୍ୟକ୍ରମ ଲାଗି ହୋଇଥିବା ବ୍ୟବସ୍ଥା ସମ୍ପର୍କରେ ସୂଚନା ଦେଇଥିଲେ।

‘‘ପ୍ରଥମ ପର୍ଯ୍ୟାୟ କୋଭିଡ୍ ଟିକାକରଣ ପାଇଁ ସୁନ୍ଦରଗଡ଼ ଜିଲ୍ଲାରେ ୮ଟି କେନ୍ଦ୍ର କରାଯାଇଛି। ଆଗଧାଡ଼ିର କରୋନା ଯୋଦ୍ଧା ଭାବେ ପରିଚିତ ସ୍ୱାସ୍ଥ୍ୟ କର୍ମୀ ଓ ସଫେଇ କର୍ମଚାରୀମାନଙ୍କୁ ଏହି ଟିକା ଦିଆଯାଉଛି। ଟିକାକରଣ ପାଇଁ ପ୍ରଶାସନ ପକ୍ଷରୁ ସବୁ ପ୍ରକାର ବ୍ୟବସ୍ଥା କରାଯାଇଛି। ପ୍ରଥମ ପର‌୍ୟ୍ୟାୟରେ ଜିଲ୍ଲା ପାଇଁ ଯେତିକି ଟିକା ଆବଶ୍ୟକ ତାହା ମହଜୁଦ ଅଛି’’, କହିଛନ୍ତି ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣ।

ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଡାକ୍ତର ଦିଲ୍ଲୀପ କୁମାର ମିଶ୍ର, ଆସିଷ୍ଟାଣ୍ଟ ମ୍ୟାଟ୍ରନ ଅଜିତ କୁମାରୀ ଖେସ୍ ଏବଂ ସଫେଇ କର୍ମଚାରୀ ଦୀପକ କୁମାର ନାଗ ପ୍ରଥମେ ଟିକା ନେଇଥିଲେ।

ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଠାରେ ସୁନ୍ଦରଗଡ଼ ବିଧାୟକ କୁସୁମ ଟେଟେ, ତଲସରା ବିଧାୟକ ଭବାନୀ ଶଙ୍କର ଭୋଇ, ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣ, ସିଡିଏମଓ ଡାକ୍ତର ସରୋଜ କୁମାର ମିଶ୍ର, ଜିଲ୍ଲା ପରିଷଦ ଅଧ୍ୟକ୍ଷା ଏମ୍ମା ଏକ୍କା ପ୍ରମୁଖ ଯୋଗ ଦେଇ ଟିକା ନେଉଥିବା ସ୍ୱାସ୍ଥ୍ୟ କର୍ମୀ ଏବଂ ସଫେଇ କର୍ମଚାରୀଙ୍କୁ ଉତ୍ସାହିତ କରିଥିଲେ।

“ଯେତେବେଳେ କରୋନା ମହାମାରୀ ତା’ର କାୟା ବିସ୍ତାର କରୁଥିଲା ସେ ସମୟରେ ରୋଗୀଙ୍କୁ ଚିକିତ୍ସା ସେବା ଯୋଗାଇବାରେ ଡର ଲାଗୁଥିଲା। ହେଲେ ଆଜି ଟିକା ଆସିଛି। ମୁଁ ଟିକା ନେବା ପରେ ମୋର ଆତ୍ମବିଶ୍ୱାସ ବଢ଼ିଛି। ମୁଁ ଅନ୍ୟମାନଙ୍କୁ ମଧ୍ୟ କହିବି ଯେ ସେମାନେ ଟିକାର ଦୁଇଟି ଡୋଜ୍ ନିଅନ୍ତୁ”, ଏହା କହିଛନ୍ତି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ କୋଭିଡ୍ ଟିକା ନେଇଥିବା ଡାକ୍ତର ଦିଲ୍ଲୀପ କୁମାର ମିଶ୍ର।

ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ମେଡିକାଲ ଅଫିସର ତଥା ସୁପରିଣ୍ଟେଣ୍ଡେଣ୍ଟ ଡାକ୍ତର ପୂର୍ଣ୍ଣଚନ୍ଦ୍ର ନାଏକ, ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର କାହ୍ନୁ ଚରଣ ନାୟକ, ସହରାଞ୍ଚଳ ସ୍ଵାସ୍ଥ୍ୟ ମିଶନର ଅତିରିକ୍ତ ନିର୍ଦ୍ଦେଶିକା ଡାକ୍ତର ପୁଷ୍ପମିତ୍ରା ମିଶ୍ର, ସିଟି ପ୍ରୋଗ୍ରାମ ମ୍ୟାନେଜର ଶକ୍ତି ପ୍ରସାଦ ମହାପାତ୍ର, ଅତିରିକ୍ତ ଜିଲ୍ଲା ସହରାଞ୍ଚଳ ଜନ ସ୍ଵାସ୍ଥ୍ୟ ଅଧିକାରୀ ଡାକ୍ତର ପି କେ ନାଏକ, ଡିପିଏମ୍ ଦୀପକ କୁମାର ମହାନ୍ତି ପ୍ରମୁଖ ଯୋଗ ଦେଇଥିଲେ।

‘‘ଟିକା ନେଇଥିବା ସ୍ଵାସ୍ଥ୍ୟ କର୍ମୀ ଏବଂ ସଫେଇ କର୍ମଚାରୀଙ୍କ ମନରେ ଉତ୍ସାହ ରହିଛି। ସେମାନେ ଜିଲ୍ଲାର ୮ଟି ଯାକ କେନ୍ଦ୍ରରେ ଆଗ୍ରହର ସହ ଟିକା ନେଇଛନ୍ତି। ପ୍ରଥମ ପର୍ଯ୍ୟାୟ ଟିକା ଦାନ ପ୍ରକ୍ରିୟା ଯେମିତି ଠିକ୍ ଭାବେ ପରିଚାଳନା କରାଯିବ ସେଥିପାଇଁ ବ୍ୟବସ୍ଥା କରାଯାଇଛି’’, କହିଛନ୍ତି ସିଡିଏମଓ ଡାକ୍ତର ସରୋଜ କୁମାର ମିଶ୍ର।

ସେହିପରି ରାଉରକେଲା ସରକାରୀ ଚିକିତ୍ସାଳୟଠାରେ ଆୟୋଜିତ କାର୍ଯ୍ୟକ୍ରମରେ ବିଧାୟକ ତଥା ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ସାରଦା ପ୍ରସାଦ ନାୟକ, ରାଉରକେଲା ମହାନଗର ନିଗମ କମିଶନର ଦିବ୍ୟଜ୍ୟୋତି ପରିଡ଼ା, ଆରଜିଏଚର ନିର୍ଦ୍ଦେଶକ ଡାକ୍ତର ସନ୍ତୋଷ ସ୍ୱାଇଁ, ସୁପରିଣ୍ଟେଣ୍ଡେଣ୍ଟ ଡାକ୍ତର ଜଗଦୀଶ ବାରିକ, ଡେପୁଟି ସୁପରିଣ୍ଟେଣ୍ଡେଣ୍ଟ ଡାକ୍ତର ପଣ୍ଡିତ ସାହୁ, ହସ୍ପିଟାଲ ମ୍ୟାନେଜର ମୋହିତ ଶ୍ରୀବାସ୍ତବ ପ୍ରମୁଖ ଉପସ୍ଥିତ ଥିଲେ। ଆରଜିଏଚରେ ଡାକ୍ତର କବି ଶତପଥୀ ଏବଂ ଜଣେ କର୍ମଚାରୀ ଟିକା ନେବା ପରେ ଅନ୍ୟମାନେ ଟିକା ନେଇଥିଲେ।

ପ୍ରତି କେନ୍ଦ୍ରରେ ଟିକାକରଣ ଲାଗି ଡାକ୍ତର ଓ ସ୍ୱାସ୍ଥ୍ୟ କର୍ମୀଙ୍କୁ ନେଇ ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇଛି। ପ୍ରତ୍ୟେକ ବ୍ୟକ୍ତିଙ୍କୁ ଟିକା ନେବା ପରେ ନିରୀକ୍ଷଣ କେନ୍ଦ୍ରରେ କିଛି ସମୟ ପାଇଁ ରଖାଯାଉଥିବା ସୂଚନା ମିଳିଛି।

ସେହିପରି କାହାଠାରେ କୌଣସି ପ୍ରକାର ପାର୍ଶ୍ୱ ପ୍ରତିକ୍ରିୟା ଦେଖାଦେଲେ ତା’ର ତୁରନ୍ତ ପ୍ରତିକାର ପାଇଁ ବ୍ୟବସ୍ଥା କରାଯାଇଛି।

Leave A Reply

Your email address will not be published.