Latest Odisha News

କୋଭିଡ-୧୯; ଭାରତର ଶ୍ରେଷ୍ଠ କ୍ରୀଡାବିତଙ୍କ ସହ ମତ ବିନିମୟ କଲେ ପ୍ରଧାନମନ୍ତ୍ରୀ !

ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭିଡିଓ କନଫେରେନ୍ସିଂ ଜରିଆରେ ଭାରତର ଶ୍ରେଷ୍ଠ କ୍ରୀଡାବିତଙ୍କ ସହ କରୋନା ମହାମାରୀ ବିପଦକୁ ନେଇ ଆଲୋଚନା କରିଛନ୍ତି । ଏହି ଆଲୋଚନା ଚକ୍ରରେ କେନ୍ଦ୍ର ଯୁବ ବ୍ୟାପାର ଓ କ୍ରୀଡା ମନ୍ତ୍ରୀ କିରନ୍ ରିଜ୍ଜୁଙ୍କ ସମେତ ୪୦ରୁ ଅଧିକ କ୍ରୀଡାବିତ୍ ସାମିଲ ହୋଇଥିଲେ ।

ଏହି ଅବସରରେ ପ୍ରଧାନମନ୍ତ୍ରୀ କ୍ରୀଡାବିତଙ୍କୁ କହିଥିଲେ ସମଗ୍ର ମାନବ ସମାଜ ପାଇଁ କୋଭିଡ୍‌-୧୯ ଘାତକ ସାବ୍ୟସ୍ତ ହୋଇଛି । କ୍ରିକେଟଠାରୁ ଆରମ୍ଭ କରି ଫୁଟବଲ ଓ ଏପରିକି ୱିମ୍ବଲଡନ ଭଳି ବିଶ୍ୱସ୍ତରୀୟ ପ୍ରତିଯୋଗୀତା ବାତିଲ ହୋଇସାରିଛି । ବର୍ତ୍ତମାନ ଦେଶବାସୀଙ୍କ ମନୋବଳ ସୁଦୃଢ କରିବା ସହ ସାମାଜିକ ଦୂରତ୍ୱ ଓ ଲକ୍‌-ଡାଉନ୍ ସମୟରେ ନିର୍ଦ୍ଦେଶାବଳୀଗୁଡିକୁ ପାଳନ କରିବା ନେଇ ଲୋକଙ୍କୁ ସଚେତନ କରାଇବାରେ କ୍ରୀଡାବିତମାନେ ଗୁରୁଦାୟୀତ୍ୱ ତୁଲାଇବାକୁ ପରାମର୍ଶ ଦେଇଥିଲେ ।

କ୍ରୀଡାବିତମାନେ ଲୋକମାନଙ୍କୁ ୫ଟି ବିଷୟ ଉପରେ ସଚେତନ କରାଇବା ପାଇଁ ସେ କହିଥିଲେ । ସେଗୁଡିକ ହେଉଛି ମହାମାରୀ ମୁକାବିଲା ପାଇଁ ସଂକଳ୍ପ, ସଙ୍ଗରୋଧ ଅବଲମ୍ବନ, ସକରାତ୍ମକ ଚିନ୍ତାଧାରା, ସ୍ୱାସ୍ଥ୍ୟକର୍ମୀଙ୍କୁ ସମ୍ମାନ ଓ ପୋଲିସ ପ୍ରଶାସନକୁ ସହଯୋଗ । ଏହା ଛଡା ବ୍ୟକ୍ତିଗତ ସ୍ତରରେ ରିଲିଫ ପାଣ୍ଠିକୁ ସହାୟତା କରିବା ପାଇଁ ସେ ଆହ୍ୱାନ କରିଥିଲେ ।

ଆଲୋଚନାରେ ପୂର୍ବତନ କ୍ରିକେଟର ସଚ୍ଚିନ୍ ତେନ୍ଦୁଲକର, ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି, ମହିଳା ହକି ଖେଳାଳୀ ରାଣି ରାମପାଲ, ବ୍ୟାଡମିଣ୍ଟନ୍ ଖେଳାଳୀ ପି.ଭି ସାନ୍ଧୁ, କବାଡି ଖେଳାଳି ତଥା ହିମାଚଳ ପ୍ରଦେଶ ଡିଏସ୍‌ପି ଅଜୟ ଠାକୁର, ହିମା ଦାସ, ଦିବ୍ୟାଙ୍ଗ ଖେଳାଳି ଶରତ କୁମାର, ଟେନିସ୍ ଖେଳାଳୀ ଅଙ୍କିତା ରାଇନା, ଯୁବରାଜ ସିଂ ଓ ବିରାଟ କୋହଲିଙ୍କ ସମେତ ମନ୍ତ୍ରାଳୟର ଅନେକ ବରିଷ୍ଠ ଅଧିକାରୀ ସାମିଲ ହୋଇଥିଲେ ।

Comments are closed.