Latest Odisha News

କଙ୍କଡ଼ା ରାଜନୀତି

ଚିନ୍ମୟ କୁମାର ହୋତାଙ୍କ ନିୟମିତ ସ୍ତମ୍ଭ ଏଇ କଥାକୁ …… 

ଆମ ଦେଶରେ ରେ ଘଟି ଯାଇଥିବା ଏକ ଅଭାବନୀୟ ଘଟଣା କଙ୍କଡାକୁ ରାଜନୈତିକ ଚର୍ଚ୍ଚା ଭିତରକୁ ଟାଣି ଆଣିଛି। ଦୁଇ ବର୍ଷ ତଳେ ମହାରାଷ୍ଟ୍ରରେ ଲଗାତାର ପ୍ରବଳ ବର୍ଷା ଫଳରେ ରତ୍ନଗିରି ଜିଲ୍ଲାର ତିୱରେ ବନ୍ଧ ଭୁସୁଡି ଗଲା ଓ ଏହାର ଅବବାହିକାରେ ଥିବା ସାତଗୋଟି ଗ୍ରାମ ଭିତରକୁ ପାଣି ମାଡି ଆସିଲା। ଅତି ଦୁଃଖର କଥା ଏହି ଘଟଣାରେ ଚବିଶ ଜଣ ଗ୍ରାମବାସୀଙ୍କ ମୃତ୍ୟୁ ଘଟିଲା। ବନ୍ଧ ଭୁସୁଡିବା ଓ ଏତେ ଲୋକଙ୍କ ପ୍ରାଣ ହାନି ପାଇଁ ଦାୟୀ କିଏ ଜାଣିବାକୁ ଦାବି କଲେ ଜନତା ଓ ବିପକ୍ଷ ଦଳର ନେତା ମାନେ। ଆରମ୍ଭ ହେଲା ସରକାରୀ ସ୍ତରରେ ଖୋଳା ତଡା, ଯାହା ସଚରାଚର ସବୁ ଦୁର୍ଘଟଣା ପରେ ହୋଇଥାଏ। ପ୍ରାଥମିକ ଅନୁସନ୍ଧାନ ପରେ ରାଜ୍ୟର ଜଳସମ୍ପଦ ମନ୍ତ୍ରୀ ଘୋଷଣା କଲେ ବନ୍ଧ ଭାଙ୍ଗିବା ପାଇଁ ଦାୟୀ କଙ୍କଡାମାନେ। ଲୋକେ ଅବାକ ହେଲେ, ବନ୍ଧ ଭଙ୍ଗାରେ ନିରୀହ ଜଳ ଜୀବମାନଙ୍କର ବା କେମିତି ହାତ, କ୍ଷମା କରିବେ, ଗୋଡ ଥାଇପାରେ ? ମନ୍ତ୍ରୀ ଉତ୍ତର ଦେଲେ, ବନ୍ଧରେ କଙ୍କଡାଙ୍କ ସଂଖ୍ୟା ବଢି ଯାଇଥିଲା ଆଶାତୀତ ଭାବରେ ଓ ସେମାନେ ଡ୍ୟାମକୁ ଖୋଳି ଖୋଳି ଦୁର୍ବଳ କରି ପକେଇଥିଲେ। ବର୍ଷା ହେବାରୁ ଡ୍ୟାମ ଭାସିଗଲା।

 

ମନ୍ତ୍ରୀଙ୍କ ସଫେଇରେ ବିକ୍ଷୁବ୍ଧ ଜନତା ଆଶ୍ଵାସନା ପାଇବା ବଦଳରେ ହତଚକିତ ହେଲେ ଓ କିଛି ମାତ୍ରାରେ ଆମୋଦିତ ମଧ୍ୟ। ସେମାନେ ହୁଏତ ଖୋଜୁଥିଲେ ଦାୟିତ୍ଵରେ ଅବହେଳା କରିଥିବା ନିର୍ଦ୍ଧିଷ୍ଟ କେଉଁ ମନ୍ତ୍ରୀ କିମ୍ବା ଉଚ୍ଚାସୀନ ତନ୍ତ୍ରୀ ବା ଯନ୍ତ୍ରୀଙ୍କ ନାଁ, ଯାହାଙ୍କୁ କାଠ ଗଡାରେ ଠିଆ କରାଇ ସେହି ମାଧ୍ୟମରେ ସରକାରଙ୍କୁ ବଦନାମ କରିହୁଅନ୍ତା। କିନ୍ତୁ ମନ୍ତ୍ରୀ ଆଙ୍ଗୁଳି ଦେଖାଇଥିବା କଙ୍କଡା ପଲଙ୍କୁ ବା କେମିତି ଦୋଷୀ ସାବ୍ୟସ୍ତ ଅଥବା ଦଣ୍ଡିତ କରିହେବ? ତଥାପି କ୍ରୁଦ୍ଧ ଜନତା ସ୍ଥାନୀୟ ଥାନାରେ ସଦଳବଳେ ପହଞ୍ଚି ହଟ୍ଟଗୋଳ ଭିତରେ ଦୋଷୀ କଙ୍କଡାଙ୍କ ବିରୁଦ୍ଧରେ ଏଫ. ଆଇ. ଆର. ଲେଖେଇବାକୁ ଓ ନରହତ୍ୟା ମାମଲା ରୁଜୁ କରିବାକୁ ଦାବି କଲେ।

ଏହି ସାଙ୍କେତିକ ପ୍ରତିବାଦ ପ୍ରଦର୍ଶିତ କଲା ପରେ ଜନତା ଶାନ୍ତ ପଡିବା ଆଶା କରା ଯାଉଥିଲା। କିନ୍ତୁ ଜନତା ପ୍ରତିବାଦର ଆହୁରି ଅଭିନବ ଉପାୟମାନ ଜାହିର କରିବାକୁ ଚାହୁଁଥିଲା। ପ୍ରତିବାଦରେ ଯଦି କିଛି ନୂଆ କଥା ନ ରହିଲା, ତାହା ବା କି ପ୍ରତିବାଦ? ପୂର୍ବ ସମୟର ଅନଶନ, ଶାନ୍ତି ଶୋଭାଯାତ୍ରା ବା ଘେରାଉ ଇତ୍ୟାଦିକୁ ଆଜିର ପ୍ରତିବାଦକାରୀ ମାନେ ଫଳପ୍ରଦ ବୋଲି ଭାବୁନାହାନ୍ତି। ତେଣୁ ପରେ ଆବିଷ୍କୃତ ହୋଇଛି ରାସ୍ତା ରୋକ, ଚକ ଅଖ ଜାମ, ଭରତ ବନ୍ଦ ଇତ୍ୟାଦି। ଏ ସବୁ ମଧ୍ୟ ପୁରୁଣା ହେବାରୁ ବିକ୍ଷୋଭକାରୀମାନେ ଆପଣେଇ ନେଇଛନ୍ତି ଫିଙ୍ଗା ଫୋପଡା ମାଧ୍ୟମରେ ପ୍ରତିବାଦର ସ୍ଵର ଉଠେଇବାକୁ। ଟେକା ପଥରରୁ ଆରମ୍ଭ ହୋଇ ଏ ପ୍ରଥା ପଚା ଅଣ୍ଡା, ବିଲାତି ବାଇଗଣ ଇତ୍ୟାଦି ଦେଇ ଜୋତା, କାଦୁଅ ଓ କାଳି ଫିଙ୍ଗାରେ ପହଞ୍ଚିଲାଣି। ଗତ କିଛି ବର୍ଷ ହେଲା କେତେ ଯେ ନାମଜାଦା ବ୍ୟକ୍ତି ଏହି ଫୋପଡା ପ୍ରତିବାଦର ଶିକାର ହୋଇଛନ୍ତି ତା’ର ଇୟତ୍ତା ନାହିଁ। ଏବେ ଅଣ୍ଡାମାଡ ଓଡ଼ିଶାରେ ଖୁବ ନାଁ କମାଇଛି।

ବନ୍ଧ ଦୁର୍ଘଟଣା ବିରୁଦ୍ଧରେ ସ୍ଵର ଉଠାଉଥିବା ବିକ୍ଷୋଭକାରୀ ମାନେ ଫିଙ୍ଗା ଫୋପଡାର ନୂଆ ଅସ୍ତ୍ର ଖୋଜୁଥିଲେ ଓ ତାଙ୍କର ମନେ ପଡିଗଲା ମନ୍ତ୍ରୀ ମହୋଦୟ ଇଙ୍ଗିତ କରିଥିବା କଙ୍କଡା ମାନଙ୍କ କଥା। ସଙ୍ଗେ ସଙ୍ଗେ ବହୁ ସଂଖ୍ୟାରେ କଙ୍କଡା ସବୁ ଧରା ହୋଇ ଆସିଲେ ଓ କ୍ଷୁବ୍ଧ ଜନତା ମନ୍ତ୍ରୀ ନିବାସ ପାଖକୁ ଯାଇ ରାସ୍ତା ଉପରୁ ମନ୍ତ୍ରୀଙ୍କ ବଗିଚା ଓ ବରଣ୍ଡା ଉପରକୁ ତୁହାକୁ ତୁହା କଙ୍କଡା ବର୍ଷା କରିଥିଲେ। ମନ୍ତ୍ରୀ ଝରକା ଦେଇ ବାହାରକୁ ଦେଖିଲା ବେଳକୁ ଘରର ଚତୁର୍ଦ୍ଦିଗ ସାଲୁ ବାଲୁ ହେଉଥିବା ଜଳ ଜୀବ ମାନଙ୍କ ଦ୍ଵାରା ଭରି ଯାଇଥିଲା। ଅବଶ୍ୟ ମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ପରିଚାରକ ମାନେ ଝାଡୁ ମାରି ପରିସରକୁ ସଫା କରି ଦେଇଥିଲେ ଓ କଙ୍କଡା ମାନଙ୍କୁ ସୁରକ୍ଷିତ ସ୍ଥାନକୁ ପଠାଇ ଦେଇଥିଲେ। ଏହିପରି ଭାବରେ ସର୍ଜ୍ଜନାତ୍ମକ ପ୍ରତିବାଦଟିର ସାମୟିକ ପରିସମାପ୍ତି ଘଟିଥିଲା।

କିନ୍ତୁ ଏଠାରେ ପ୍ରଶ୍ନ ଉଠେ ଯଦି ପ୍ରତିବାଦ କରିବାର ଶକ୍ତି କେବଳ ମଣିଷ ପାଖରେ ନ ଥାଇ ନିରୀହ କଙ୍କଡା ପାଖରେ ବି ଥାନ୍ତା ସେ ସେଦିନ ମନ୍ତ୍ରୀଙ୍କ ଆଗରେ କଣ ଫେରାଦ କରିଥାନ୍ତା? ସେ ହୁଏତ କହି ଥାନ୍ତା, ସରକାର ଆମକୁ ବନ୍ଧ ଭାଙ୍ଗିବା ପାଇଁ ଦାୟୀ କଲା, ଜନତା ଆମ ନାମରେ ନରହତ୍ୟା ମାମଲା ରୁଜୁ କଲେ, ଏବେ ପ୍ରତିବାଦକାରୀ ମାନେ ଆମକୁ ଅସ୍ତ୍ର ରୂପରେ ବ୍ୟବହାର କରି କଂକ୍ରିଟ ଚଟାଣ ଉପରକୁ ଫିଙ୍ଗି ଆମର ଅଣ୍ଟା ପିଠି ଭାଙ୍ଗିଦେଲେ। ଆପଣ ତ ଜଳସମ୍ପଦ ମନ୍ତ୍ରୀ, ସେ ହିସାବରେ ଆମ ଜଳଜୀବ ମାନଙ୍କର ଆପଣ ଭାଗ୍ୟ ବିଧାତା, ତେବେ କହିଲେ ଆମ ସାଙ୍ଗରେ ପ୍ରକୃତରେ ଅନ୍ୟାୟ ହେଇଛି କି ନହିଁ? ବନ୍ଧ ଭାଙ୍ଗି ଅନେକ ମଣିଷ ଭାସି ଯାଇଛନ୍ତି ସତ, ହେଲେ ଆମର ଯେ କେତେ ଜ୍ଞାତି କୁଟୁମ୍ବ ସେହି ପାଣିରେ ଭାସିଗଲେ ତାର ହିସାବ ରଖିଛି କିଏ?

ଆମ ନିରୀହ ପ୍ରାଣୀ ଗୁଡାକୁ ମଣିଷ ତାର ବିବାଦ ଓ ରାଜନୀତି ଭିତରକୁ ଟାଣି ଆଣି କାହିଁକି ଏତେ ହଟହଟା କରୁଛି? ପ୍ରଥମେ ତ ନିଜ ଜାତି ଭାଇମାନଙ୍କ ଉନ୍ନତିରେ ବାଧା ସୃଷ୍ଟି କରିବା ପ୍ରବୃତ୍ତିକୁ ମଣିଷ ‘ଗୋଡଟଣା କଙ୍କଡା ମାନସିକତା’ ବୋଲି ନାମ ଦେଇ ଆମକୁ ବଦନାମ କରିସାରିଛି। ପରେ ଗୋଟିଏ ଦୂରାରୋଗ୍ୟ କର୍କଟ ବା କ୍ୟାନସର ରୋଗର ପ୍ରତୀକ ହିସାବରେ କଙ୍କଡାକୁ ବ୍ୟବହାର କରି ଆମକୁ ଏକ ଭୟପ୍ରଦ ବସ୍ତୁରେ ପରିଣତ କରି ସାରିଛି ମଣିଷ। ଆମର ଏ ସବୁଥିରେ ଲେଶ ମାତ୍ର ଭୂମିକା ନାହିଁ। ତେଣୁ ପ୍ରତିବାଦ କରିବାର ଅଧିକାର ଯଦି କାହାର ଅଛି ତାହା ଆମର, ମଣିଷର ନୁହେଁ।

(ମୋବାଇଲ: ୯୪୩୭୦୮୯୬୫୫)

Comments are closed.