କେନ୍ଦୁଝର: ବାଲି ମାଫିଆଙ୍କ ଉପରେ ବଡ଼ କାର୍ଯ୍ୟାନୁଷ୍ଠାନ। ଆନନ୍ଦପୁର ଅଞ୍ଚଳରେ ବୈତରଣୀ ନଦୀରୁ ବେଆଇନ ଭାବେ ବାଲି ଚାଲାଣର ବାରମ୍ବାର ଅଭିଯୋଗ ପରେ ଆକ୍ସନ ମୋଡ଼ରେ କେନ୍ଦୁଝର ପୋଲିସ। କେନ୍ଦୁଝରରେ ପୋଲିସର ଏକ ସ୍ୱତନ୍ତ୍ର ସ୍କ୍ବାଡ୍ ଜିଲ୍ଲାର ବିଭିନ୍ନ ସ୍ଥାନରେ ଏକକାଳୀନ ଚଢାଉ କରିଛି। ପୋଲିସର ସ୍ପେଶାଲ ସ୍କ୍ବାଡର ୧୨ ଟିମ୍ ଏକାସାଥିରେ ୧୨ ସ୍ଥାନରେ ଚଢ଼ାଉ କରିଛି। ଆନନ୍ଦପୁର ଉପଖଣ୍ଡର ବିଭିନ୍ନ ସ୍ଥାନରେ ବାଲି ମାଫିଆଙ୍କ ଘରେ କେନ୍ଦୁଝର ପୋଲିସର ସ୍ୱତନ୍ତ୍ର ସ୍କ୍ବାଡ୍ ଚଢ଼ାଉ କରିଛି। ଚଢାଉରେ ୨୦ ଲକ୍ଷରୁ ଅଧିକ ଟଙ୍କା ଜବତ ହୋଇଛି।
ସେହିପରି ୩୦ରୁ ଅଧିକ ଗାଡି ଜବତ ସହ ୮ ଜଣ ଗିରଫ ହୋଇଛନ୍ତି। ଆଜି ସକାଳୁ ଅତିରିକ୍ତ ଏସପିଙ୍କ ନେତୃତ୍ୱରେ କେନ୍ଦୁଝର ପୋଲିସର ସ୍ୱତନ୍ତ୍ର ଟିମ ବାଲି ଚାଲାଣରେ ବେଆଇନ ଭାବେ ବ୍ୟବହୃତ ଟ୍ରାଞ୍ଜିଟ ପାସ ସମେତ ଏକାଉଣ୍ଟରେ ନେଣଦେଣକୁ ନେଇ ଅଭିଯୋଗ ଥିବା ବ୍ୟକ୍ତିଙ୍କ ଉପରେ ଚଢ଼ାଉ ଚାଲିଛି । ପୋଲିସର ସ୍ୱତନ୍ତ୍ର ଟିମ ୧୨ଟି ସ୍ଥାନରେ ଭାଗ ହୋଇ ଚଢ଼ାଉ କରିଛି ।
ସୂଚନା ଅନୁସାରେ ଘଟଗାଁର ବାଲି ବ୍ୟବସାୟୀ ଜିତେନ୍ଦ୍ର ସାଙ୍କ ଘରେ ସ୍ପେଶାଲ ସ୍କ୍ବାଡ୍ ଚଢ଼ାଉ କରିଛି। ବେଆଇନ ବାଲି କାରବାର ଓ ସେଥିସହ ଜଡିତ ଆର୍ଥିକ କାରବାରକୁ ନେଇ ପୋଲିସ ପକ୍ଷରୁ ଏହି ବିଶେଷ ଅଭିଯାନ ଚାଲିଥିବା ସୂଚନା ମିଳିଛି। ଚଢ଼ାଉ ସମୟରେ ବିଭିନ୍ନ କାଗଜପତ୍ର ଓ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଯାଞ୍ଚ କରାଯାଉଛି ।