ନୂଆପଡା: ରାତି ଦିନ ଚାଲିଛି ବ୍ଲାଷ୍ଟିଂ। ଭୟରେ ଅଛନ୍ତି ଗ୍ରାମବାସୀ। ଘରଦ୍ୱାର ଫାଟି ଆଁ କରୁଥିବା ବେଳେ ବିପଦରେ ଏବେ ଐତିହାସିକ ଋଷିପୀଠ ପର୍ଯ୍ୟଟନସ୍ଥଳୀ। ନୂଆପଡା ଜିଲ୍ଲା ଖଡିଆଳ ବ୍ଲକ ଅଞ୍ଚଳରେ ବେଆଇନ ବ୍ଲାଷ୍ଟିଂ ହେବାରୁ ଲୋକେ ନାହିଁନଥିବା ହଇରାଣ ହେଉଛନ୍ତି । ସମସ୍ତ ନିୟମକୁ ଫୁ କରି ଖୋଲାଖୋଲି ଭାବେ ପଥର ଲୁଟ ଚାଲିଛି । ଦିନ ଦ୍ୱିପ୍ରହରରେ ବୋମା ବିସ୍ଫୋରଣରେ ଥରହର ହେଉଛି ପୁରା ଅଞ୍ଚଳ। ଋଷିପୀଠ ସହ ଡୋଙ୍ଗରିପାଳି ଖଇରାବାଡି ସହ ବିଭିନ୍ନ ଗାଁର ଲୋକେ ବ୍ଲାଷ୍ଟିଂ ପାଇଁ ଚିନ୍ତାରେ ରହିଛନ୍ତି । ପ୍ରଶାସନ ଏ ବାବଦରେ ଜାଣିଥିଲେ ମଧ୍ୟ କିଛି ପଦକ୍ଷେପ ନେଇନଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି । କ୍ରସର ମାଲିକ ଅଧିକ ରୋଜଗାର ଆଶାରେ ପ୍ରତିଦିନ ବେଆଇନ ବ୍ଲାଷ୍ଟିଂ କରୁଛନ୍ତି । ଏଠାରେ ବ୍ଲାଷ୍ଟିଂ ହେବାରୁ ସ୍ଥାନୀୟ ଘରଦ୍ୱାର ଫାଟି ଆଁ କରିଛି । ଡୋଙ୍ଗରପାଲି ଗାଁରେ ଥିବା ସମସ୍ତ ଘର ଫାଟିଯିବାରୁ ଭୟରେ ଲୋକେ ଜୀବନ ବିତାଉଛନ୍ତି ।
ପ୍ରଶାସନର ସବୁ ନିୟମକୁ ପଥର ମାଫିଆମାନେ ମୋଡି ମକଚି ଫୁ କରୁଛନ୍ତି । ଲୋକଙ୍କ ସମସ୍ୟା ବାବଦରେ ପ୍ରଶାସନିକ ଅଧିକାରୀଙ୍କୁ କହିଲେ ମଧ୍ୟ କିଛି ଲାଭ ହୋଇନାହିଁ । ଋଷି ଗାଁ ତୁକୁଲା ଖଇରାଭାଡି ବିଶେଷ କରି ଡୋଙ୍ଗରପାଲିକୁ ଲାଗି ରହିଥିବା ସିନ୍ଧିଭାଡି ପଥର ଖାଦାନରେ ମାତ୍ରାଧିକ ନିୟମ ଉଲଙ୍ଘନ ହେଉଥିବା କୁହାଯାଇଛି । ପାହାଡକୁ ଖୋଳିଖୋଲି ଶେଷ କରାଯାଉଥିଲେ ମଧ୍ୟ ଏତିପ୍ରତି କାହାର ନିଘା ନାହିଁ । ବିନା ଅନୁମତିରେ କେମିତି ବ୍ଲାଷ୍ଟି ହେଉଛି ବୋଲି ଲୋକେ ପ୍ରଶ୍ନ କରିଛନ୍ତି । ନୂଆପଡା ବଲାଙ୍ଗୀର ସୀମାନ୍ତ ଶନ୍ଧିବାଡି ଖଣି ଏବେ ବରବାଦ ହେବାରେ ଲାଗିଛି । ଏହା ସହ ପରବେଶ ମଧ୍ୟ ଖରାପ ହେଉଛି । ଏ ବାବଦରେ ବିଭାଗୀୟ ଅଧିକାରୀଙ୍କ ପ୍ରତିକ୍ରିୟା ନେବାକୁ ଚେଷ୍ଟା କରିଥିଲେ ମଧ୍ୟ ସମ୍ଭବ ହୋଇପାରିନାହିଁ ।
ସୀମାନ୍ତ ସିନ୍ଧିଭାଡି ଡୋଙ୍ଗରପାଲି ବ୍ଲାଷ୍ଟିଂ ବନ୍ଦ କରିବା ସହ ପଥର ମାଫିଆଙ୍କ ଉପରେ କଡା ଆକ୍ସନ ନେବା ପାଇଁ ସରକାରଙ୍କୁ ସ୍ଥାନୀୟ ଲୋକେ ଗୁହାରି କରିଛନ୍ତି ।