Latest Odisha News

BREAKING NEWS

୧୯୯୨: ରଙ୍ଗୀନ ବିଶ୍ୱକପ, ରାଉଣ୍ଡ ରବିନ ଲିଗ୍‌, ବର୍ଷା ଅଭିଶାପ, ମିଆଁଦାଦ-ମୋରେ ବିବାଦ

୧୯୯୨ରେ କ୍ରିକେଟର ଆଧୂନିକୀକରଣ ହୋଇଥିଲା । ଅଷ୍ଟ୍ରେଲିଆ ଏବଂ ନ୍ୟୁଜିଲାଣ୍ଡରେ ଆୟୋଜିତ ଏହି ଟୁର୍ଣ୍ଣାମେଂଟରେ ରଙ୍ଗୀନ ପୋଷାକ, ଧଳା ବଲ, କଳା ସାଇଟ ସ୍କ୍ରିନ ଓ ଫ୍ଲଡ ଲାଇଟ ପ୍ରଶଂସକଙ୍କ ମନରେ ରୋମାଂଚ ଭରିଥିଲା । ୪ ବର୍ଷ ବଦଳରେ ୫ ବର୍ଷ ବ୍ୟବଧାନରେ ଏହି ବିଶ୍ୱକପ ଖେଳା ଯାଇଥିଲା । ତେବେ ବର୍ଷା ଏହି ବିଶ୍ୱକପରେ କାହା ପାଇଁ ବରଦାନ ତ ଅନ୍ୟ ପାଇଁ ଅଭିଶାପ ସାଜିଥିଲା । ଦକ୍ଷିଣ ଆଫ୍ରିକାର ବିଶ୍ୱକପକୁ ପ୍ରତ୍ୟାବର୍ତନ ଏବଂ ଜାଭେଦ ମିଆଁଦାଦଦ ଓ କିରନ ମୋରେଙ୍କ ବିବାଦ ବେଶ ଚର୍ଚ୍ଚାର କାରଣ ସାଜିଥିଲା । ପାକିସ୍ତାନ ପ୍ରଥମ ଥର ପାଇଁ ଟାଇଟଲ ହାସଲ କରିଥିଲା ।

ମହମ୍ମଦ ଆଝାରୁଦ୍ଦିନଙ୍କ ନେତୃତ୍ୱରେ ଭାରତର ପ୍ରଦର୍ଶନ ଅବଶ୍ୟ ସେତେଟା ଭଲ ନ ଥିଲା । ରାଉଣ୍ଡ ରବିନ ଲିଗ ଫର୍ମାଟରେ ଖେଳାଯାଇଥିବା ମୁକାବିଲାରେ ଭାରତ ମାତ୍ର ୨ଟି ମ୍ୟାଚରେ ବିଜୟୀ ହୋଇ ସେମି ଫାଇନାଲ ଦୌଡରୁ ବିଦାୟ ନେଇଥିଲା । ସଚିନ ତେନ୍ଦୁଲକରଙ୍କ ଏହା ପ୍ରଥମ ବିଶ୍ୱକପ ଥିଲା ।

ଇଂଲଣ୍ଡ ବିପକ୍ଷରେ ପ୍ରଥମ ମୁକାବିଲାରେ ଭାରତ ହାରିବା ଦଳର ମନୋବଳ ଭାଙ୍ଗି ଦେଇଥିଲା । ସଂଘର୍ଷପୂର୍ଣ୍ଣ ମୁକାବିଲାରେ ଇଂଲଣ୍ଡ ୯ ରନରେ ବିଜୟୀ ହୋଇଥିଲା । ବର୍ଷା ଯୋଗୁ ଶ୍ରୀଲଙ୍କା ବିପକ୍ଷ ମ୍ୟାଚ ଫଳାଫଳ ବିହୀନ ହୋଇଥିଲା । ଗୁରୁତ୍ୱପୂର୍ଣ୍ଣ ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚରେ ଭାରତ ୧ ରନରେ ହାରି ଯାଇଥିଲା । ଅଷ୍ଟ୍ରେଲିଆ ପ୍ରଥମେ ବ୍ୟାଟିଂ କରି ଡିନ ଜୋନ୍ସଙ୍କ ୯୧ ରନ ସହାୟତାରେ ୨୩୭ ରନ କରିଥିଲା । ବର୍ଷା ଯୋଗୁ ଭାରତ ନିକଟରେ ୪୭ ଓଭରରେ ୨୩୬ ରନର ଟାର୍ଗେଟ ରଖା ଯାଇଥିଲା । ମହମ୍ମଦ ଆଝାରୁଦ୍ଦିନ ୯୩ ରନ କରିଥିଲେ ମଧ୍ୟ ଭାରତ ହାରି ଯାଇଥିଲା । ପାରମ୍ପାରିକ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନ ବିପକ୍ଷରେ ଭାରତ ୪୩ ରନରେ ବିଜୟୀ ହୋଇଥିଲା । ଭାରତ ପ୍ରଥମେ ବ୍ୟାଟିଂ କରି ୪୯ ଓଭରରେ ୭ ୱିକେଟ ହରାଇ ୨୧୬ ରନ କରିଥିଲା । ସଚିନ ତେନ୍ଦୁଲକର ୫୪ ରନ କରିଥିଲେ ।

ଜବାବରେ ପାକିସ୍ତାନ ୪୮.୧ ଓଭରରେ ୧୭୩ ରନ କରି ଅଲଆଉଟ ହୋଇ ଯାଇଥିଲା । ଅମୀର ସୋହେଲେ ୬୨ ରନ କରିଥିଲେ । ବର୍ଷା ବାଧାପ୍ରାପ୍ତ ପରବର୍ତୀ ମ୍ୟାଚରେ ଭାରତ ୫୫ ରନରେ ଜିମ୍ବାୱେକୁ ହରାଇଥିଲା । ସଚିନ ୮୧ ରନ କରିଥିଲେ । ୱେଷ୍ଟଇଣ୍ଡିଜ ବିପକ୍ଷ ମ୍ୟାଚରେ ବର୍ଷା ଭାରତ ପାଇଁ କାଳ ସାଜିଥିଲା । ଭାରତ ପ୍ରଥମେ ବ୍ୟାଟିଂ କରି ୧୯୭ ରନ କରିବାକୁ ସକ୍ଷମ ହୋଇଥିଲଶ । ବର୍ଷା ଯୋଗୁ ୱେଷ୍ଟଇଣ୍ଡିଜକୁ ୪୬ ଓଭରରେ ୧୯୫ ରନର ଟାର୍ଗେଟ ଦିଆ ଯାଇଥିଲା । ୪୦.୨ ଓଭରରେ ଦଳ ବିଜୟ ଲକ୍ଷ୍ୟ ହାସଲ କରି ନେଇଥିଲା । ନ୍ୟୁଜିଲାଣ୍ଡ ଓ ଦକ୍ଷିଣ ଆଫ୍ରିକାଠାରୁ ହାରି ଭାରତ ତାର ଅଭିଯାନ ଶେଷ କରିଥିଲା ।ବର୍ଷା, ଇଞ୍ଜାମାମ ଉଲ ହକ ଓ ଭାଗ୍ୟ ପାକିସ୍ତାନକୁ ସେମିଫାଇନାଲରେ ପ୍ରବେଶ କରାଇଥିଲା । ସେମିରେ ପାକିସ୍ତାନ ୪ ୱିକେଟରେ ନ୍ୟୁଜିଲାଣ୍ଡକୁ ପରାସ୍ତ କରିଥିଲା । ଅପରପକ୍ଷରେ ଇଂଲଣ୍ଡ ଓ ଦକ୍ଷିଣ ଆଫ୍ରିକା ମ୍ୟାଚ ଅନେକ ପ୍ରଶ୍ନ ସୃଷ୍ଟି କରିଥିଲା । ବର୍ଷା ଯୋଗୁ ମ୍ୟାଚ ବାଧାପ୍ରାପ୍ତ ହେବା ପରେ ଇଂଲଣ୍ଡ ୪୫ ଓଭର ବିଶିଷ୍ଟ ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି ଗ୍ରେମ ହିକଙ୍କ ୮୩ ରନ ସହାୟତାରେ ୨୮୨ ରନ କରିଥିଲା । ଦକ୍ଷିଣ ଆଫ୍ରିକା ୪୩ ଓଭରରେ ୬ ୱିକେଟ ବିନିମୟରେ ୨୩୨ ରନ କରି ପରାଜିତ ହୋଇଥିଲା । ବାରମ୍ବାର ରିଭାଇଜଡ ଟାର୍ଗେଟ ଦକ୍ଷିଣ ଆଫ୍ରିକା ପାଇଁ ଅଭିଶାପ ପାଲଟିଥିଲା । ପ୍ରଥମେ ୧୩ ବଲରେ ୨୨, ତା ପରେ ୭ ବଲରେ ୨୨ ଏବଂ ଶେଷରେ ୧ ବଲରେ ୨୧ ରନର ଟାର୍ଗେଟ ଦକ୍ଷିଣ ଆଫ୍ରିକାକୁ ଦିଆଯାଇଥିଲା ।

ଫାଇନାଲ ମ୍ୟାଚ ଇଂଲଣ୍ଡ ଓ ପାକିସ୍ତାନ ମଧ୍ୟରେ ଖେଳା ଯାଇଥିଲା । ପାକିସ୍ତାନ ଇମ୍ରାନ ଖାଁଙ୍କ ୭୨ ରନ ବଳରେ ୨୪୯ ରନ କରିଥିଲା । ୨୫୦ ରନର ଟାର୍ଗେଟକୁ ପିଛା କରି ଇଂଲଣ୍ଡ ୪୯.୨ ଓଭରରେ ୨୨୭ ରନ କରି ଅଲଆଉଟ ହୋଇ ଯାଇଥିଲା । ପାକିସ୍ତାନକୁ ବିଶ୍ୱକପ ଜିତାଇ ଇମ୍ରାନ ଖାଁ ସାଜିଥିଲେ ଦେଶର ହୀରୋ ।

Leave A Reply

Your email address will not be published.