Latest Odisha News

BREAKING NEWS

କୋହଲୀଙ୍କ ଉପରେ ନିର୍ଭର କରୁଛି ଧୋନୀଙ୍କ କ୍ରିକେଟ ଭବିଷ୍ୟତ !

ଭୁବନେଶ୍ୱର: ଭାରତୀୟ କ୍ରିକେଟରେ ଏକ ଜାଜ୍ଜ୍ୱଲମାନ ତାରକା ହେଉଛନ୍ତି ମହେନ୍ଦ୍ର ସିଂହ ଧୋନୀ । ଭାରତୀୟ କ୍ରିକେଟକୁ ଏକ ନୂଆ ଦିଗନ୍ତ ଦେବାରେ ଧୋନୀଙ୍କର ରହିଛି ଅନେକ ପରିଶ୍ରମ ତଥା ଅକୁଣ୍ଠିତ ଉଦ୍ୟମ । ଏହି ମହାନ କ୍ରିକେଟ ତାରକାଙ୍କୁ ଭାରତୀୟ କ୍ରିକେଟପ୍ରେମୀ କେବେବି ଭୁଲି ପାରିବେ ନାହିଁ, କାରଣ ଧୋନୀଙ୍କ ସଫଳ ନେତୃତ୍ୱରେ ଭାରତ ୨ୟଥର ଲାଗି ୨୦୧୧ ମସିହାରେ କ୍ରିକେଟ ବିଶ୍ୱକପ ହାସଲ କରିପାରିଥିଲା । ଖାଲି ସେତିକି ନୁହେଁ ୨୦୦୭ ମସିହାର ଟି-ଟ୍ୱେଣ୍ଟି ବିଶ୍ୱକପ ବିଜୟୀ ଦଳର ଅଧିନାୟକ ଥିଲେ ଏହି ଧୂରୀଣ ଧୂରନ୍ଦର କ୍ରିକେଟର୍ ଧୋନୀ । ନିକଟରେ ଭାରତୀୟ ଦଳ ବିଶ୍ୱକପ ସେମିଫାଇନାଲରୁ ଦୁର୍ଭାଗ୍ୟପୂର୍ଣ୍ଣ ରୂପେ ବାଦ ପଡ଼ିବା ପରେ ଏବେ ଧୋନୀଙ୍କ ଅବସର ନେଇ ଚାଲିଛି ଚର୍ଚ୍ଚା ।

ଭାରତୀୟ ଜାତୀୟ ଦଳର ଜଣେ ଅନୁଭବୀ ଖେଳାଳିଭାବେ ଏବେ ମହେନ୍ଦ୍ର ସିଂହ ଧୋନୀ ଟିମ୍ ଇଣ୍ଡିଆକୁ ବିଭିନ୍ନ ଟୁର୍ଣ୍ଣାମେଣ୍ଟରେ ପ୍ରତିନିଧିତ୍ୱ କରୁଛନ୍ତି । ଅବଶ୍ୟ ଇଂଲଣ୍ଡରେ ସଦ୍ୟ ସମାପ୍ତ ହୋଇଥିବା ବିଶ୍ୱକପ ପୂର୍ବରୁ ଏବଂ ପରେ ଧୋନୀ ନିଜେ କ୍ରିକେଟରୁ ଅବସର ଘୋଷଣା କରିବାକୁ ଚାହୁଁଥିବା କଥାକୁ ନେଇ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶିତ ହୋଇଥିଲା । ଭାରତୀୟ କ୍ରିକେଟ ଦଳର ପୂର୍ବତନ କପ୍ତାନ କପିଳ ଦେବ ଏହାକୁ ନେଇ ମନ୍ତବ୍ୟ ଦେଇଥିଲେ । କପିଳଙ୍କ କହିବାନୁଯାୟୀ ଧୋନୀ ଆଉ କିଛିବର୍ଷ କ୍ରିକେଟ ଖେଳନ୍ତୁ । ତାଙ୍କର ଏବେ ମଧ୍ୟ ଅନେକ ମ୍ୟାଚ ଖେଳିବାର ସାମର୍ଥ୍ୟ ରହିଛି ଏବଂ ଭାରତୀୟ ଦଳ ତାଙ୍କଠାରୁ ଅନେକ କିଛି ଆଶା କରୁଛି ।

ଭାରତୀୟ ସଂଗୀତର କିମ୍ବଦନ୍ତୀ କଣ୍ଠଶିଳ୍ପୀ ଲତା ମଙ୍ଗେସକର ମଧ୍ୟ ଧୋନୀଙ୍କ ଏହି ଅବସର ଘୋଷଣା ସମ୍ପର୍କିତ ଚର୍ଚ୍ଚା ଶୁଣି ଦୁଃଖ ପ୍ରକାଶ କରିଛନ୍ତି । ଲତା ଧୋନୀଙ୍କୁ ପରାମର୍ଶ ଦେଇ କହିଛନ୍ତି, ତମେ ଆଉ କିଛି ଦିନ ଭାରତୀୟ ଦଳ ଲାଗି କ୍ରିକେଟ ଖେଳ, ଦଳ ତମଠାରୁ ଅନେକ କିଛି ଆଶା କରୁଛି ।

ସବୁଠାରୁ ବଡ଼କଥା ହେଲା, ରବିବାର ଦିନ ଭାରତୀୟ କ୍ରିକେଟ ଚୟନ କମିଟି ଦଳର ୱେଷ୍ଟଇଣ୍ଡିଜ୍ ଗସ୍ତ ଲାଗି ଖେଳାଳି ମନୋନୟନ କରିବେ । ଏହି ଚୂଡ଼ାନ୍ତ ଦଳରେ ଧୋନୀଙ୍କୁ ଚୟନ କରାଯିବ କି ନାହିଁ ତାହା ରବିବାର ଦିନ ହିଁ ଜଣାପଡ଼ିଯିବ । ତେବେ ଶୁକ୍ରବାର ଦିନ ମୁମ୍ବାଇଠାରେ ବିସିସିଆଇ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ବର୍ତ୍ତମାନର କପ୍ତାନ ବିରାଟ କୋହଲୀ ୱେଷ୍ଟଇଣ୍ଡିଜ ଗସ୍ତରେ ଖେଳାଯିବାକୁ ଥିବା ସବୁ ଫର୍ମାଟରେ ଅଧିନାୟକ ରହିବେ ବୋଲି ଘୋଷଣା ହୋଇଛି । ଖାଲି ସେତିକିନୁହଁ ମିଳିଥିବା ସୂଚନାନୁଯାୟୀ, ବିରାଟ ୱେଷ୍ଟଇଣ୍ଡିଜ ଗସ୍ତ ପରବର୍ତ୍ତୀ ଶୃଙ୍ଖଳାଗୁଡ଼ିକରେ ମଧ୍ୟ କପ୍ତାନ ରହିବେ । ଏବେ କେବଳ ଦଳର ଖେଳାଳି ଚୟନ କରିବେ ଏହି ଚୟନ କମିଟି । ଏହି ଦଳରେ ୱିକେଟରକ୍ଷକ ଭାବେ ଧୋନୀ ଅନ୍ତର୍ଭୁକ୍ତ ହେବେ କି ନାହିଁ ତାହା ରବିବାର ଦିନ ଜଣାପଡ଼ିବ । ଧୋନୀଙ୍କ କ୍ରିକେଟ ଭବିଷ୍ୟତ ଏହି ଚୟନ ପ୍ରକ୍ରିୟାରେ ରହିଛି । ଦଳର ଅଧିନାୟକ ବିରାଟ କୋହଲୀ ଏହି ଖେଳାଳି ଚୟନ ସମୟରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅବତୀର୍ଣ୍ଣ ହେବେ । ଦଳ ଚୟନରେ ବିସିସିଆଇ ସବୁବେଳେ ଅଧିନାୟକଙ୍କୁ ବେଶ୍ ଗୁରୁତ୍ୱ ଦେଇଥାଏ । କେଉଁପରି ଖେଳାଳି ଦଳରେ ରହିଲେ ମ୍ୟାଚରେ ସନ୍ତୁଳନ ରକ୍ଷା ହୋଇପାରିବ ତାହା ଭଲଭାବେ କହିପାରିବେ କପ୍ତାନ । ତେଣୁ ରବିବାର ଦିନ ଚୟନ କମିଟିରେ ବିରାଟ କୋହଲୀ ଧୋନୀଙ୍କ ଆବଶ୍ୟକତାକୁ କେଉଁପରି ଭାବେ ଉପସ୍ଥାପନ କରୁଛନ୍ତି ତାହା ଦେଖିବାକୁ ବାକି ରହିଲା ।

ମହେନ୍ଦ୍ର ସିଂହ ଧୋନୀଙ୍କ ବ୍ୟତୀତ ଦଳରେ ଆଉ ଦୁଇଜଣ ଅତିରିକ୍ତ ୱିକେଟ ରକ୍ଷକ ମଧ୍ୟ ମହଜୁଦ ରହିଛନ୍ତି । ଉଦୀୟମାନ ବ୍ୟାଟ୍ସମ୍ୟାନ ରିଷଭ ପନ୍ଥ ଦଳ ଲାଗି ଉପଯୋଗୀ ସାବ୍ୟସ୍ତ ହୋଇଥିବା ବେଳେ ଦଳରେ ଜଣେ ଦକ୍ଷ ତଥା ନିର୍ଭରଯୋଗ୍ୟ ଖେଳାଳି ଭାବେ ଦିନେଶ କାର୍ତ୍ତିକ ରହିଛନ୍ତି । ମନୋନୟନ କମିଟିର ଏହି ଖେଳାଳି ଚୟନରେ ଧୋନୀଙ୍କୁ ପ୍ରାଧାନ୍ୟ ଦିଆଯାଉଛି କି ନାହିଁ ତାହା ଉପରେ ମଧ୍ୟ ନିର୍ଭର କରୁଛି ଧୋନୀଙ୍କ କ୍ରିକେଟ ଭବିଷ୍ୟତ ।

Leave A Reply

Your email address will not be published.