Latest Odisha News

BREAKING NEWS

ବର୍ଷା ଉଜାଡିଦେଲା ବର୍ଷକ ଆହାର

କାମାକ୍ଷାନଗର: ବର୍ଷକର ଫସଲକୁ କେଇ ଘଣ୍ଟାରେ ଉଜାଡି ଦେଇଛି ଲଗାଣ ବର୍ଷା । ଚାଷୀଟିଏ ପରିବାର ଚଳାଇବା ପାଇଁ ନିଜେ ପରିଶ୍ରମ କରି ହାଡ଼ ଭାଙ୍ଗି ଏବଂ ରକ୍ତ ନିଗାଡ଼ି ଫସଲ କରିଥିଲା । କିନ୍ତୁ ଲଗାଣ ବର୍ଷା ସବୁ କିଛିକୁ ଉଜାଡି ଦେଇଛି । ଏବେ ଚାଷକୁ ନେଇ ଚାଷୀ ସମ୍ପୂର୍ଣ୍ଣ ହତାଶ ହୋଇ ପଡ଼ିଛି । ରେଡ଼ ଆଲର୍ଟରେ ଥିବା ଢେଙ୍କାନାଳ ଜିଲ୍ଲାରେ ପରିସ୍ଥିତି ଭୟଙ୍କର ହୋଇଥିଲା । କାମାକ୍ଷାନଗର ଉପଖଣ୍ଡରେ ଥିବା ବିଭିନ୍ନ ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି ହୋଇଥିବା ଦେଖିବାକୁ ମିଳିଛି । ଧନ ଜୀବନ ସହିତ ଚାଷୀଙ୍କର ବର୍ଷକର ଫସଲ ସମ୍ପୂର୍ଣ୍ଣ ନଷ୍ଟ ହୋଇ ଯାଇଛି ।

କାମାକ୍ଷାନଗର ବ୍ଲକ ବାଲିଗୋରଡ ପଞ୍ଚାୟତ ଅନ୍ତର୍ଗତ ଖଟଖୁରା ଗାଁଟି ଚାଷ ପାଇଁ ବେଶ ପ୍ରସିଦ୍ଧ  । ଗାଁର ପ୍ରାୟ ୯୦ ଭାଗରୁ ଅଧିକ ଲୋକ ଚାଷ ଉପରେ ନିର୍ଭର କରି ଚଳନ୍ତି । ଚାରା ବିକ୍ରୟ କରିବା ସହ ପନିପରିବା ଚାଷ ଲୋକଙ୍କ ପ୍ରଧାନ ବେଉସା । ଗାଁରେ ଥିବା ୪ଶହଟି ପରିବାର ଚାଷକୁ ନେଇ ନିଜର ଜୀବିକା ନିର୍ବାହ କରିଥାନ୍ତି । କିନ୍ତୁ ଲଗାଣ ବର୍ଷା ସେମାନଙ୍କ ମେରୁଦଣ୍ଡ ଭାଙ୍ଗି ଦେଇଛି । ଉଜାଡ଼ି ଦେଇଛି ସମ୍ପୂର୍ଣ୍ଣ ବର୍ଷକର ଫସଲ । ପରିବାର ଓ ପିଲା ଛୁଆଙ୍କୁ ନେଇ ଚିନ୍ତାରେ ଚାଷୀ । କେମିତି ଚଳିବ ପରିବାର ,କଣ ଖାଇବେ ପିଲା ଛୁଆ । ଏ ସବୁ କିଛିକୁ ନେଇ ସରକାରଙ୍କୁ ଆକୁଳ ନିବେଦନ କରିଛି ଚାଷୀ ।

ଚାଷ ଜମିରେ ଜଳମଗ୍ନ ଯୋଗୁଁ ସମସ୍ତ ଫସଲ ଗୁଡିକ ପଚି ଶଢି ନଷ୍ଟ ହୋଇ ଯାଇଛି । ବାଇଗଣ ,ଧୁଡୁଙ୍ଗ ,ଭେଣ୍ଡି ,କଲରା ,ଲଙ୍କା ,ଟମାଟୋ ,ସଲରା ,ଜହ୍ନି ,କୋବି ଆଦି ଫସଲ ଗୁଡିକ ନଷ୍ଟ ହୋଇ ଯାଇଛି । ଏଥି ସହିତ ପନିପରିବା ଚାରା ଗୁଡିକ ଜଳମଗ୍ନ ହୋଇ ପଚି ଯାଇଛି । ଆଶା ରହିଥିଲା କରୋନା ମହାମାରୀ ସମୟରେ ଦୁଇ ପଇସା ରୋଜଗାର କରି ପରିବାର ପ୍ରତିପୋଷଣ କରିବା ପାଇଁ । କିନ୍ତୁ ବର୍ଷା ସବୁ କିଛି ଧୋଇ ନେଇଛି । ଏ ନେଇ ଏକ ଟିମ ପହଞ୍ଚି ଚାଷୀ ଭାଇ ମାନଙ୍କୁ ସାହାଯ୍ୟ ସହଯୋଗ କରିବାକୁ ସହକାରୀ ଉଦ୍ୟାନ ନିର୍ଦ୍ଦେଶକ ମତବ୍ୟକ୍ତ କରିଛନ୍ତି ।

ଲଗାଣ ବର୍ଷା ଯୋଗୁଁ ଦୁଃଖ ଦୁର୍ଦ୍ଦଶାରେ ଥିବା ଚାଷୀ ପରିବାର ଏବେ ସରକାରଙ୍କ ସହାୟତାକୁ ଅପେକ୍ଷା କରି ବସିଛନ୍ତି । ଏଥିପ୍ରତି ଉଦ୍ୟାନ କୃଷି ବିଭାଗର ସହକାରୀ ନିର୍ଦ୍ଦେଶକ କେଉଁ ପଦକ୍ଷେପ ଗ୍ରହଣ କରୁଛନ୍ତି ତାହାକୁ ହିଁ ଅପେକ୍ଷା ।

Leave A Reply

Your email address will not be published.