ଚେନ୍ନାଇ: ଚଳିତ ଆଇପିଏଲରେ ଚେନ୍ନାଇ ସୁପର କିଙ୍ଗସ ବିଜୟ ଧାରାକୁ ଫେରିଥିବା ବେଳେ ଦଳର ଯୁବ ବିସ୍ଫୋରକ ବ୍ୟାଟ୍ସମ୍ୟାନ ଆୟୂଷ ମାହାତ୍ରେ ଆଘାତ ସମସ୍ୟାରୁ ଓହରି ଯାଇଛନ୍ତି । ପୂର୍ବରୁ ଖଲୀଲ ଅହମ୍ମଦ ଓ ନାଥାନ ଏଲିସ ମଧ୍ୟ ଓହରି ଯାଇଛନ୍ତି । ଦଳର ସନ୍ତୁଳନ ବିଗିଡି ଯାଉଥିବା ବେଳେ ପୂର୍ବତନ ଅଫ ସ୍ପିନର ରବିଚନ୍ଦ୍ରନ ଅଶ୍ୱୀନ ଲୋନ ନିୟମର ଫାଇଦା ଉଠାଇବା ପାଇଁ ଚେନ୍ନାଇକୁ ପରାମର୍ଶ ଦେଇଛନ୍ତି । ୭ମ ମ୍ୟାଚ ପରେ ଏହି ନିୟମର ଫାଇଦା ଉଠାଯାଇ ପାରିବ ନାହିଁ । ଚେନ୍ନାଇ ଚାହିଁଲେ ଆରସିବିର ବିହାନ ମାଲହୋତ୍ରାଙ୍କୁ ଦଳରେ ସାମିଲ କରିପାରିବ ।
ସେ ଏ ପର୍ଯ୍ୟନ୍ତ ଗୋଟିଏ ବି ମ୍ୟାଚ ଖେଳି ନ ଥିବାରୁ ଆରସିବି ମନା କରି ନ ପାରେ ବୋଲି ସେ କହିଛନ୍ତି । ଅଭିଜ୍ଞାନ କୁଣ୍ଡୁ ମଧ୍ୟ ଅନ୍ୟ ବିକଳ୍ପ ହୋଇପାରିବେ ବୋଲି ଅଶ୍ୱୀନ କହିଛନ୍ତି । ୧୯ ବର୍ଷରୁ କମ ବିଶ୍ୱକପ ବିଜୟୀ ଦଳରେ ବିହାନ ଭାରତୀୟ ଟିମର ଅଂଶବିଶେଷ ଥିଲେ । ସେ ଭବିଷ୍ୟତ ପାଇଁ ଦଳର ଏକ ବଡ ବିକଳ୍ପ ହେବେ ବୋଲି ଆଶା ବ୍ୟକ୍ତ କରାଯାଉଛି । ଆଇପିଏଲ ଲୋନ ନିୟମ ଅନୁସାରେ ଯଦି କୌଣସି ଟିମକୁ ଆବଶ୍ୟକ ପଡେ ସେ ଅନ୍ୟ ଟିମରୁ ଜଣେ ଖେଳାଳିଙ୍କୁ ଲୋନରେ ଆଣିପାରିବେ । ସିଜନରେ ପ୍ରଥମ ୭ଟି ମ୍ୟାଚ ମଧ୍ୟରେ ଏହା ଲାଗୁ ହୋଇପାରିବ । ଆଉ ଲୋନରେ ଯିବାକୁ ଥିବା ଖେଳାଳି କୌଣସି ମ୍ୟାଚ ଖେଳି ନ ଥିବେ ।