Latest Odisha News

କେନ୍ଦ୍ରାପଡା ସହରରେ କର୍ଫୁ ଜାରି

କେନ୍ଦ୍ରାପଡ଼ା : କେନ୍ଦ୍ରାପଡ଼ା ସହରରେ ଦୁଇଟି ଗୋଷ୍ଠୀ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇବା ଫଳରେ ଗୁରୁବାର ଦିନ ଜିଲ୍ଲା ପ୍ରଶାସନ ପକ୍ଷରୁ କେନ୍ଦ୍ରାପଡ଼ା ସହରରେ କର୍ଫ୍ୟୁ ଜାରି କରାଯାଇଛି ।

ଗଣମାଧ୍ୟମକୁ ସୂଚନା ଦେଇ କେନ୍ଦ୍ରାପଡା ଉପଜିଲ୍ଲାପାଳ ସଞ୍ଜୟ କୁମାର ମିଶ୍ର କହିଛନ୍ତି, ଆଜି ସକାଳେ ସହରର ଉପାନ୍ତରେ ଥିବା ଏକ କାଳୀ ମନ୍ଦିର ନିକଟରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂର୍ଘଷ ପ୍ରକାଶ ପାଇବା ଫଳରେ ସହରରେ କର୍ଫୁ ଜାରି କରିବା ପାଇଁ ସ୍ଥିର କରିଛୁ ।

ଗୋଷ୍ଠୀ ସଂଘର୍ଷ ହେତୁ ପରିସ୍ଥିତି ଉତ୍ତେଜନା ପୂର୍ଣ୍ଣ ରହିଥିବାରୁ ସହରରେ ଆଇନ ଶୃଙ୍ଖଳା ପରିସ୍ଥିତି ବଜାୟ ରଖିବା ପାଇଁ ପ୍ରଶାସନ ପକ୍ଷରୁ ଆସନ୍ତାକାଲି ସକାଳ ୮ଟା ପର୍ଯ୍ୟନ୍ତ କର୍ଫ୍ୟୁ ଜାରି ରହିବ ବୋଲି ଶ୍ରୀଯୁକ୍ତ ମିଶ୍ର ପ୍ରକାଶ କରିଛନ୍ତି ।

ସହର ମଧ୍ୟକୁ ପ୍ରବେଶ ପାଇଁ ରହିଥିବା ମୁଖ୍ୟ ରାସ୍ତା ଗରପୁର, ତିନିମୁହାଣୀ, ଗୋପ ଛକ ଆଦି ରାସ୍ତାରେ ପୋଲିସ ପକ୍ଷରୁ ଯାତାୟାତକୁ ସମ୍ପୂର୍ଣ୍ଣ ରୂପେ ବନ୍ଦ କରିଦିଆଯାଇଛି । ଏଥିସହିତ ସମ୍ବେଦନଶୀଳ ସ୍ଥାନମାନଙ୍କରେ ଆଇନ ପରିସ୍ଥିତି ବଜାୟ ରଖିବା ପାଇଁ ୧୫ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି ।

ଆହୁରି ମଧ୍ୟ ଆଇନଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି କ୍ୟୁଇକ୍ ଆକ୍ସନ ଟିମର ୩ ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ କରାଯାଇଛି ବୋଲି ଉପ ଜିଲ୍ଲାପାଳ ସୂଚନା ପ୍ରଦାନ କରିଛନ୍ତି । ରାତି ସମୟରେ ସାରା ସହରରେ ପେଟ୍ରୋଲିଂ ପାଇଁ ଅତିରିକ୍ତ ପୋଲିସ ଫୋର୍ସ ଆବଶ୍ୟକ ବୋଲି ସେ କହିଛନ୍ତି ।

ସେପଟେ ଗଣ୍ଡଗୋଳ ପ୍ରତିବାଦରେ ଆଜି କେନ୍ଦ୍ରାପଡା ସହରରେ ୧୨ ଘଣ୍ଟିଆ ବନ୍ଦ ପାଳନ ଡାକରା ଦେଇଥିଲା ରାଷ୍ଟ୍ରୀୟ ସୁରକ୍ଷା ମଞ୍ଚ । ଏଥିସହିତ ୨ ଗୋଷ୍ଠୀ ମଧ୍ୟରେ ସନ୍ଧ୍ୟା ୬ଟା ପରେ ଏକ ବୈଠକ ଅନୁଷ୍ଠିତ ହେବ । ଏହିଭଳି ପରିସ୍ଥିତିକୁ ନଜରରେ ରଖି ପ୍ରଶାସନ ପକ୍ଷରୁ ସମସ୍ତ ସ୍କୁଲ ଓ କଲେଜ ଏବଂ ବ୍ୟାଙ୍କଗୁଡିକୁ ମଧ୍ୟ ବନ୍ଦ କରି ଦିଆଯାଇଥିଲା ।

ଆଜି ସକାଳେ ସହରର ଉପାନ୍ତରେ ଥିବା ଏକ କାଳୀ ମନ୍ଦିର ନିକଟରେ ଦୁଇ ଗୋଷ୍ଠୀ ପରସ୍ପର ଉପରକୁ ପଥର ଓ ଢେଲାମାଡ କରିଥିଲେ । ପରବର୍ତ୍ତୀ ସମୟରେ ସ୍ଥିତିକୁ ନିୟନ୍ତ୍ରଣାଧିନ କରିବା ପାଇଁ ପୋଲିସ ପକ୍ଷରୁ ସାମାନ୍ୟ ଲାଠିଚାର୍ଜ ମଧ୍ୟ କରିଥିଲା ବୋଲି ସୁତ୍ରରୁ ପ୍ରକାଶ ।

Leave A Reply

Your email address will not be published.