ନୂଆଦିଲ୍ଲୀ: ଭାରତ ଏବଂ ଭୁଟାନ ସୀମାନ୍ତ ଅଞ୍ଚଳ ଦେଇ ଯାନବାହାନ, ବିଶେଷ କରି ଚୋରି ଗାଡ଼ିଗୁଡ଼ିକର ଚାଲାଣ ଏକ ଗମ୍ଭୀର ସମସ୍ୟା ଭାବେ ଦେଖାଦେଇଛି। ଏହି ବେଆଇନ କାରବାର ଦିନକୁ ଦିନ ବଢିଚାଲିଛି। ଏହି ଚୋରା ଚାଲାଣ ସମ୍ପର୍କରେ କଷ୍ଟମ୍ସ ବିଭାଗ ଏକ ବଡ଼ ଖୁଲାସା କରିଛି। ଏହାର ସମାଧାନ ପାଇଁ, ବିଭାଗ “ଅପରେସନ୍ ନୁମଖୋର” ନାମକ ଏକ ଅଭିଯାନ ଆରମ୍ଭ କରିଛି। ଏଥିରେ ପ୍ରକାଶ ପାଇଛି ଯେ ଭାରତରେ ୧୫,୦୦୦ରୁ ଅଧିକ ଯାନ ବେଆଇନ ଭାବରେ ପଞ୍ଜିକୃତ ହୋଇଛି। ଭୁଟାନୀ ଭାଷାରେ “ନୁମଖୋର” ଅର୍ଥ ହେଉଛି ଯାନବାହନ। ଏହି ଯାନଗୁଡ଼ିକୁ ବିନା ଟିକସ ଏବଂ ଶୁଳ୍କରେ ଭାରତକୁ ଅଣାଯାଇଥିଲା।
ଏଥିରେ ସରକାରଙ୍କର ଶହ ଶହ କୋଟି ଟଙ୍କା କ୍ଷତି ହୋଇଛି। ପ୍ରାରମ୍ଭରେ, କଷ୍ଟମ୍ସ ବିଭାଗ କେରଳରେ କେବଳ ୩୫-୪୦ଟି ଲଗଜରୀ କାର ତଦନ୍ତ କରିଥିଲା, କିନ୍ତୁ ତଦନ୍ତ ଆରମ୍ଭ ହେବା ସହିତ ଏହି ସଂଖ୍ୟା ୧୫,୮୪୯କୁ ବୃଦ୍ଧି ପାଇଛି। ଏହି ମାମଲାରେ ଅନେକ ସେଲିବ୍ରିଟି ଏବଂ ଫିଲ୍ମ ତାରକାଙ୍କ ନାମ ମଧ୍ୟ ଉଠାଯାଉଛି, ଯେଉଁମାନେ ନିୟମ ଉଲ୍ଲଂଘନ କରି ଏହି ଯାନଗୁଡ଼ିକୁ କିଣିଥିଲେ। ଭୁଟାନ ସୀମାବର୍ତ୍ତୀ ଉତ୍ତର-ପୂର୍ବ ରାଜ୍ୟଗୁଡ଼ିକର ପ୍ରାୟ ସମସ୍ତ ଯାନ ଜାଲିଆତି ଭାବରେ ପଞ୍ଜିକୃତ ହୋଇଥିଲା। କେବଳ ଆସାମରେ ୪୬୪ଟି ଯାନ ପଞ୍ଜିକୃତ ହୋଇଥିଲା। କେରଳରେ ୫୦ରୁ ଅଧିକ ଯାନ ଜବତ କରାଯାଇଥିଲା। ଏହି ବିରାଟ ଚୋରା ଗାଡି ଚାଲାଣରେ କିଏ ସଂପୃକ୍ତ ଅଛନ୍ତି ତାହା ଏପର୍ଯ୍ୟନ୍ତ ସୂଚନା ମିଳିନାହିଁ।
ଜାତୀୟ ଯାନବାହନ ପଞ୍ଜିକାର ଏକ ଡିଜିଟାଲ୍ ଅଡିଟ୍ କରାଯିବା ସମୟରେ ଏହି ଅନିୟମିତତା ଆବିଷ୍କାର ହୋଇଥିଲା। ନକଲି ଡିସପୋଜଲ୍ ସାର୍ଟିଫିକେଟ୍ ଆଧାରରେ ଅନେକ ଯାନ ପଞ୍ଜୀକୃତ କରାଯାଇଥିଲା ଏବଂ ଦାବି କରାଯାଇଥିଲା ଯେ ସେଗୁଡ଼ିକ ସେନା ଦ୍ୱାରା ବିକ୍ରି ହୋଇଥିବା ପୁରୁଣା ଯାନ ଥିଲା। ଭାରୀ କଷ୍ଟମ୍ ଶୁଳ୍କ ଦେବାରୁ ବଞ୍ଚିବା ପାଇଁ କିଛି ମହଙ୍ଗା କାର ବିଦେଶୀ ଦୂତାବାସ କିମ୍ବା ବୈଦେଶିକ ମନ୍ତ୍ରଣାଳୟରେ ଜାଲିଆତି ଭାବରେ ପଞ୍ଜୀକୃତ କରାଯାଇଥିଲା।
ଯେତେବେଳେ କଷ୍ଟମ୍ସ ବିଭାଗ ଏହି ଦସ୍ତାବିଜ୍ ଯାଞ୍ଚ କଲା, ସେତେବେଳେ ଜଣାପଡିଲା ଯେ ଏଗୁଡ଼ିକ ଅତ୍ୟନ୍ତ ଉଚ୍ଚମାନର ନକଲି ଦସ୍ତାବିଜ୍ ଥିଲା ଯାହା ମୂଳ ପରି ଦେଖାଯାଉଥିଲା। ଭୁଟାନରୁ ଭାରତରେ ବିଳାସପୂର୍ଣ୍ଣ କାରର ଚୋରା ଚାଲାଣ ଏବଂ ଟିକସ ଫାଙ୍କି ରୋକିବା ପାଇଁ କେରଳର ମୁନ୍ନାରରେ ଭାରତ-ଭୁଟାନ କଷ୍ଟମ୍ସ ଅଧିକାରୀଙ୍କ ସପ୍ତମ ବୈଠକ ଆରମ୍ଭ ହୋଇଛି। ଏହି ବୈଠକରେ ଚୋରା SUV ଏବଂ ମହଙ୍ଗା ଯାନଗୁଡ଼ିକୁ ଧରିବା ଏବଂ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରିବା ପାଇଁ ପଦକ୍ଷେପ ସମ୍ପର୍କରେ ଆଲୋଚନା କରାଯିବ।