Latest Odisha News

BREAKING NEWS

ସେପ୍ଟେମ୍ବର ୧୬ରୁ କାର୍ଯ୍ୟକ୍ଷମ ହେବ କଟକ ନେତାଜୀ ବସ୍ ଟର୍ମିନାଲ

କଟକ: ନବନିର୍ମିତ କଟକ ନେତାଜୀ ବସ୍ ଟର୍ମିନାଲ (ସିଏନବିଟି) ଆସନ୍ତା ସେପ୍ଟେମ୍ବର ୧୬ ତାରିଖରୁ କାର୍ଯ୍ୟକ୍ଷମ ହେବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ନୂଆ ବସ୍ ଟର୍ମିନାଲକୁ ଜନସାଧାରଣଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ ବୋଲି କଟକ ମେୟର ସୁବାସ ସିଂହ ଗୁରୁବାର ସୂଚନା ଦେଇଛନ୍ତି।

ସେପ୍ଟେମ୍ବର ୧୩ରୁ ନୂଆ ବସ୍ ଟର୍ମିନାଲରେ ଟ୍ରାଏଲ ରନ୍ କରାଯିବ ଏବଂ ମୁଖ୍ୟମନ୍ତ୍ରୀ ଆନୁଷ୍ଠାନିକ ଭାବେ ଉଦଘାଟନ କରିବା ପରେ ଏହା ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ହେବ ବୋଲି ମେୟର ସୂଚନା ଦେଇଛନ୍ତି।

ରାଜ୍ୟ ସରକାର ୭୦ କୋଟି ଟଙ୍କା ବ୍ୟୟରେ କଟକର ଖାନନଗରରେ ୧୫ ଏକରରୁ ଅଧିକ ଜମିରେ ଏହି ଟର୍ମିନାଲର ନିର୍ମାଣ କରିଛନ୍ତି। ୨୦୨୧ ମସିହା ଜାନୁଆରୀ ୨୩ ତାରିଖରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ୧୨୫ତମ ଜୟନ୍ତୀରେ ବସ ଟର୍ମିନାଲର ଶିଳାନ୍ୟାସ କରିଥିଲେ ମୁଖ୍ୟମନ୍ତ୍ରୀ।

ଏହି ଟର୍ମିନାଲକୁ ବସ୍ ବେ’ ସମେତ ସମସ୍ତ ଅତ୍ୟାଧୁନିକ ସୁବିଧା ସହ ଯାତ୍ରୀମାନଙ୍କ ଯାତାୟତ ପାଇଁ ନିର୍ଦ୍ଧାରିତ ପାର୍କିଂ ସ୍ଥାନର ବ୍ୟବସ୍ଥା କରାଯାଇଛି। ଏଠାରେ ଏକ ଅତ୍ୟାଧୁନିକ ଆହାର କେନ୍ଦ୍ର ମଧ୍ୟ ରହିବ, ଯେଉଁଥିରେ ଏକକାଳୀନ ପ୍ରାୟ ୧ ହଜାର ଲୋକ ଖାଇ ପାରିବେ। ଏଥିପାଇଁ କଟକ ମହାନଗର ନିଗମ (ସିଏମସି) ୧.୮ କୋଟି ଟଙ୍କା ଖର୍ଚ୍ଚ କରୁଛି।

ଏହି ବସ ଟର୍ମିନାଲ ଦ୍ୱାରା ସହରର ଟ୍ରାଫିକ୍ ସମସ୍ୟା ଦୂର ହେବା ସହ ଯାତ୍ରୀମାନଙ୍କୁ ଆରାମଦାୟକ ଓ ସୁବିଧାଜନକ ଯାତ୍ରାର ଅନୁଭୂତି ମିଳିପାରିବ ବୋଲି ଆଶା କରାଯାଉଛି।

ଉଲ୍ଲେଖଯୋଗ୍ୟ, ରାଜଧାନୀ ଭୁବନେଶ୍ୱରରେ ଥିବା ବରମୁଣ୍ଡା ଆନ୍ତଃରାଜ୍ୟ ବସ୍ ଟର୍ମିନାଲ ଅକ୍ଟୋବରରେ ଆରମ୍ଭ ହେବାକୁ ଯାଉଛି। ଏହି ଟର୍ମିନାଲ ଏବେ ନିର୍ମାଣାଧୀନ ଥିବା ବେଳେ ୯୦%ରୁ ଅଧିକ କାମ ଶେଷ ହୋଇଛି। ଆଇଏସବିଟି ରାଜ୍ୟର ସର୍ବବୃହତ ବସ୍ ଟର୍ମିନାଲ ହେବ, ଯେଉଁଥିରେ ୫୦୦ରୁ ଅଧିକ ବସ୍ ରହିବା ସହ ଦୈନିକ ହଜାର ହଜାର ଯାତ୍ରୀଙ୍କୁ ସେବା ଯୋଗାଇ ଦିଆଯିବ। ଏହି ଟର୍ମିନାଲରେ ଫୁଡ୍ କୋର୍ଟ, ବିଶ୍ରାମାଗାର, ପାର୍କିଂ ସ୍ଥାନ ସମେତ ଅନେକ ଅତ୍ୟାଧୁନିକ ସୁବିଧା ରହିବ।

Leave A Reply

Your email address will not be published.