Latest Odisha News

BREAKING NEWS

ଚିରନିଦ୍ରାରେ ଏସସିବିର ଜରୁରୀକାଳୀନ ଅଧିକାରୀ ଡାକ୍ତର ଭୁବନାନନ୍ଦ ମହାରଣା

କଟକ: ଆଉ ନାହାନ୍ତି ଚିକିତ୍ସକ ଜଗତରେ ଅତି ପରିଚିତ ଚେହେରା ଡାକ୍ତର ଭୁବନାନନ୍ଦ ମହାରଣା । ୬୯ ବର୍ଷ ବୟସରେ କଟକ ଏସସିବିରେ ଚିକିତ୍ସାଧିନ ଅବସ୍ଥାରେ ସେ ତାଙ୍କର ଶେଷ ନିଶ୍ଵାସ ତ୍ୟାଗ କରିଛନ୍ତି । ଚିକିତ୍ସା ଜଗତରେ ତାଙ୍କର ଅବଦାନ ଅତୁଳନୀୟ । ମସ୍ତିଷ୍କାଘାତ ପାଇଁ ନିକଟରେ ତାଙ୍କର ଅପରେସନ କରାଯାଇଥିଲା । ଡାକ୍ତର ଭୁବନାନନ୍ଦ ମହାରଣାଙ୍କ ପରଲୋକ ହୋଇଥିବା ନେଇ ହସ୍ପିଟାଲ ଅଧୀକ୍ଷକ ସୁଧାଂଶୁ ଶେଖର ମିଶ୍ର ସୂଚନା ଦେଇଛନ୍ତି।

୧୯୯୯ ମସିହା ମହାବାତ୍ୟାଠାରୁ ଆରମ୍ଭ କରି ଗତବର୍ଷର ବାହାନଗା ରେଳ ଦୁର୍ଘଟଣା ପର୍ଯ୍ୟନ୍ତ; ରାଜ୍ୟର ବଡ଼ ବିପତ୍ତି ସମୟରେ ବଡ଼ ମେଡିକାଲରେ ଚିକିତ୍ସା ବ୍ୟବସ୍ଥାକୁ ସଠିକ ଢ଼ଙ୍ଗରେ ତ୍ୱରାନ୍ୱିତ କରିବାରେ ତାଙ୍କର ଉଲ୍ଲେଖନୀୟ ଭୂମିକା ରହିଥିଲା। ଏସସିବି ସହ ତାଙ୍କର ଦୀର୍ଘ ୫୦ ବର୍ଷର ସଂପର୍କ ଥିଲା । ଜଣେ MBBS ଛାତ୍ର ଭାବେ ସେ ଏସସିବି ମେଡିକାଲ କଲେଜରେ ଯୋଗ ଦେଇଥିଲେ । ସେଠାରୁ PG ପାସ୍ କରି ସେହିଠାରେ ହିଁ ଆଶୁ ଚିକିତ୍ସା ଅଧିକାରୀ ଭାବେ ତାଙ୍କର କାର୍ଯ୍ୟ ଆରମ୍ଭ କରିଥିଲେ । ପରେ ସେ ଏସସିବିର ଜରୁରୀକାଳୀନ ଅଧିକାରୀ ହୋଇଥିଲେ। କୋଭିଡ୍‌ ମହାମାରୀ ସମୟରେ ଏସ୍‌‌ସିବିରେ ପ୍ରସ୍ତୁତି ଓ ପରିଚାଳନା ଦିଗରେ ଡାକ୍ତର ମହାରଣାଙ୍କ ଅବଦାନ ଅତୁଳନୀୟ ଥିଲା ।

ଡା.ଭୁବନାନନ୍ଦ ମହାରଣାଙ୍କ ବିୟୋଗ ସମସ୍ତଙ୍କୁ ସ୍ତବ୍ଧ କରିଛି। ତାଙ୍କର ଶେଷ ଦର୍ଶନ କରିବା ପାଇଁ ଶୁଭେଚ୍ଛୁଙ୍କ ଭିଡ଼ ଜମିଛି। ଅନେକ ବରିଷ୍ଠ ଡାକ୍ତର ଏସ୍‌‌ସିବିରେ ପହଞ୍ଚି ଶେଷ ଦର୍ଶନ କରିଛନ୍ତି। ଡାକ୍ତର ମହାରଣାଙ୍କ ପରଲୋକାଗତ ଖବର ଜଣାପଡ଼ିବା ପରେ ବିଭିନ୍ନ ମହଲରେ ଶୋକର ଛାୟା ଖେଳି ଯାଇଛି। ଆଜି ପୁରୀ ସ୍ଵର୍ଗଦ୍ଵାରରେ ତାଙ୍କର ଅନ୍ତିମ ସଂସ୍କାର କରାଯିବା ନେଇ ସୂଚନା ମିଳିଛି ।

Leave A Reply

Your email address will not be published.