Latest Odisha News

BREAKING NEWS

ସାଇବର ଅପରାଧ ଓ ଦୁଷ୍କର୍ମ ବୃଦ୍ଧିକୁ ନେଇ ଉଦବେଗ

ମୟୂରଭଞ୍ଜ : ମୟୂରଭଞ୍ଜ ଜିଲ୍ଲାରେ ଦିନକୁ ଦିନ ବଢ଼ିବାରେ ଲାଗିଛି ସାଇବର ଅପରାଧ ଠକେଇ ଓ ଦୁଷ୍କର୍ମ ମାମଲା । ଯାହାକୁ ନେଇ ବିଭିନ୍ନ ମହଲରେ ଉଦବେଗ ପ୍ରକାଶ ପାଇଛି । ଅକ୍ଟୋବର ମାସ ପ୍ରଥମ ସପ୍ତାହ ପ୍ରଥମ ତିନି ଦିନରେ ଜିଲ୍ଲାର ୭ଟି ଥାନାରେ ୭ଟି ଦୁଷ୍କର୍ମ ମାମଲା ରୁଜୁ କରାଯାଇଥିବା ବେଳେ, ବଡ଼ସାହି ଥାନାରେ ସାଇବର ଅପରାଧ ମାମଲା ରୁଜୁ ହୋଇଛି ।

ସୂଚନା ଅନୁସାରେ, ବଡ଼ସାହି ଥାନାରେ ଗତ ୧ ତାରିଖ ଦିନ ପଞ୍ଜିକୃତ କେସ ନମ୍ବର ୧୯୮/୨୧ରେ ଆଇପିସି ୪୧୯ ଓ ୪୨୦ ଦଫାରେ ବଡ଼ସାହି ଅଞ୍ଚଳର କମଳାକାନ୍ତ ବେହେରା ନାମକ ଜଣେ ଯୁବକ ବଡ଼ସାହି ବଜାରରେ ଏକ ଜନସେବା କେନ୍ଦ୍ର ଖୋଲିବା ପାଇଁ ଫେକ ବ୍ୟାଙ୍କ ଆକାଉଣ୍ଟରେ ଜମା କରିଥିଲେ ୧ ଲକ୍ଷ ୭୬ ହଜାର ଟଙ୍କା । ତେବେ ସେ ଠକାମୀର ଶିକାର ହୋଇଥିବା ଜାଣିବା ପରେ ଥାନାରେ ଅଭିଯୋଗ କରିଥିଲେ । ସେହିପରି ଗତ ତିନି ଦିନ ମଧ୍ୟରେ ବିଭିନ୍ନ ଥାନାରେ ୭ଟି ଦୁଷ୍କର୍ମ ମାମଲା ରୁଜୁ ହୋଇଛି ।

ରାସଗୋବିନ୍ଦପୁର ଥାନାରେ ପଞ୍ଜିକୃତ କେସ ନମ୍ବର ୨୨୪/୨୧ ଅନୁଯାୟୀ ଜଣେ ଛାତ୍ରୀଙ୍କୁ ବିବାହ ପ୍ରଲୋଭନ ଦେଖାଇ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି । ଘଟଣାରେ ପୋଲିସ ଅଭିଯୁକ୍ତଙ୍କୁ ଅଟକ ରଖି ତଦନ୍ତ ଚଳାଇଛି । ସେହିପରି ବାରିପଦା ଟାଉନ ଥାନା, ଶରତ ଥାନା, ଯଶିପୁର ଥାନା, ଝାରପୋଖରୀଆ ଥାନା, କରଞ୍ଜିଆ ଏବଂ ଖୁଣ୍ଟା ଥାନାରେ ପଞ୍ଜିକୃତ ଦୁଷ୍କର୍ମ ମାମଲାରେ ପୋଲିସ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିବା ବେଳେ, ଆଉ କିଛି ଅପରାଧୀ ଫେରାର ଅଛନ୍ତି ।

Leave A Reply

Your email address will not be published.