Latest Odisha News

BREAKING NEWS

ସ୍କୁଲରୁ ନିଖୋଜ, ପୋଲିସ ରିଜର୍ଭ ଗ୍ରାଉଣ୍ଡରୁ ମିଳିଲା ଶବ: ରାଜଧାନୀରେ ୭ ବର୍ଷର ନାବାଳିକା ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ବୁଧବାର ଦିନ ଏକ ଅଭାବନୀୟ ତଥା ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି। ସ୍କୁଲରୁ ନିଖୋଜ ହୋଇଥିବା ଜଣେ ୭ ବର୍ଷର ନାବାଳିକା ଛାତ୍ରୀଙ୍କ ମୃତଦେହ କମିଶନରେଟ୍ ପୋଲିସ ରିଜର୍ଭ ଗ୍ରାଉଣ୍ଡ ଭିତରେ ଥିବା ଏକ ପାଣିକୁଣ୍ଡରୁ ଉଦ୍ଧାର କରାଯାଇଛି। କଡ଼ା ସୁରକ୍ଷା ବଳୟ ଭିତରେ ଥିବା ରିଜର୍ଭ ଗ୍ରାଉଣ୍ଡକୁ ସ୍କୁଲ ଛାତ୍ରୀ ଜଣକ କିପରି ଆସିଲେ ଏବଂ ତାଙ୍କର ମୃତ୍ୟୁ କେମିତି ହେଲା, ତାହାକୁ ନେଇ ଏବେ ସସ୍ପେନ୍ସ ବଢ଼ିବାରେ ଲାଗିଛି। ଏହା ଏକ ସାଧାରଣ ବୁଡ଼ି ମୃତ୍ୟୁ ଘଟଣା ନା ଏହା ପଛରେ କୌଣସି ଦୁର୍ବୃତ୍ତର ହାତ ରହିଛି, ସେ ନେଇ ପୋଲିସ ଖୋଳତାଡ଼ ଆରମ୍ଭ କରିଛି।

ମୃତ ଛାତ୍ରୀଙ୍କ ନାମ ଶ୍ରୀୟଂଶି ସିଂ। ସେ ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନ ପରିସରରେ ଥିବା ଡେମୋନଷ୍ଟ୍ରେସନ୍ ମଲ୍ଟିପରପୋଜ୍ ସ୍କୁଲରେ ଦ୍ୱିତୀୟ ଶ୍ରେଣୀରେ ପଢ଼ୁଥିଲେ। ପୋଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଶ୍ରୀୟଂଶି ମାନସିକ ସ୍ତରରେ ଟିକେ ଦୁର୍ବଳ ଥିଲେ। ବୁଧବାର (ଜୁଲାଇ ୨୯ ତାରିଖ) ଦିନ ପ୍ରାୟ ୧ଟା ୨୦ ମିନିଟ୍ ସମୟରେ ଖାଇବା ଛୁଟି ବେଳେ ସେ ସ୍କୁଲ ଗେଟ୍ ବାହାରକୁ କେଉଁଆଡ଼େ ଚାଲିଯାଇଥିଲେ। ସ୍କୁଲ ଛୁଟି ପରେ ଝିଅକୁ ନ ପାଇ ପରିବାର ଲୋକେ ବ୍ୟସ୍ତ ହୋଇପଡିଥିଲେ ଏବଂ ଅପରାହ୍ନ ପ୍ରାୟ ୪ଟା ୩୦ରେ ସହିଦ୍ ନଗର ଥାନାରେ ଏକ ନିଖୋଜ ଅଭିଯୋଗ ଦାୟର କରିଥିଲେ।

ଅଭିଯୋଗ ପାଇବା ମାତ୍ରେ ସହିଦ ନଗର ଥାନା ପୋଲିସ ଆକ୍ସନ ମୋଡ୍‌କୁ ଆସିଥିଲା। ପୋଲିସ ହେଡକ୍ୱାର୍ଟରରୁ ସ୍ୱତନ୍ତ୍ର ଟିମ୍ ନିୟୋଜିତ ହେବା ସହ ସମସ୍ତ ପିସିଆର୍ ଭ୍ୟାନ୍‌କୁ ଆଲର୍ଟ କରାଯାଇଥିଲା। ସ୍କୁଲ ଏବଂ ଆଖପାଖ ଅଞ୍ଚଳର ସିସିଟିଭି ଫୁଟେଜ୍ ଯାଞ୍ଚ କରାଯିବାରୁ ଜଣାପଡ଼ିଥିଲା ଯେ, ସ୍କୁଲ ଛୁଟି ହେବା ପୂର୍ବରୁ ଛାତ୍ରୀ ଜଣକ ଏକାକୀ ପୋଲିସ ଲାଇନ୍‌ରେ ଥିବା ଚିଲ୍ଡ୍ରେନ୍ସ ପାର୍କ ଆଡ଼କୁ ଚାଲି ଚାଲି ଯାଉଛନ୍ତି। ତଦନ୍ତ ବେଳେ ଏହା ମଧ୍ୟ ଜଣାପଡିଥିଲା ଯେ ଶ୍ରୀୟଂଶିଙ୍କ ମାମୁଁ ଜଣେ କନେଷ୍ଟବଳ ଏବଂ ସେ ପୋଲିସ ଲାଇନ୍‌ରେ କାର୍ଯ୍ୟରତ ଅଛନ୍ତି।

ପୋଲିସ ଟିମ୍ ରିଜର୍ଭ ଗ୍ରାଉଣ୍ଡ ପରିସରରେ ଖୋଜାଖୋଜି କରିବା ବେଳେ ସେଠାରେ ଥିବା ଏକ ଖୋଲା ଫାଉଣ୍ଟେନ୍ ଭିତରୁ ଛାତ୍ରୀଙ୍କୁ ସଂଜ୍ଞାହୀନ ଅବସ୍ଥାରେ ଉଦ୍ଧାର କରିଥିଲା। ଗତ କିଛି ଦିନ ହେବ ଲଗାଣ ବର୍ଷା ଯୋଗୁଁ ସେହି ଫାଉଣ୍ଟେନ୍‌ରେ ପ୍ରାୟ ୪ ରୁ ୫ ଫୁଟ୍ ପାଣି ଜମି ରହିଥିଲା। ତୁରନ୍ତ ତାଙ୍କୁ କ୍ୟାପିଟାଲ୍ ହସ୍ପିଟାଲ୍ ନିଆଯାଇଥିଲା, ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ଖବର ପାଇ ଘଟଣାସ୍ଥଳରେ ଭୁବନେଶ୍ୱର ଡିସିପିଙ୍କ ସମେତ ବହୁ ବରିଷ୍ଠ ପୋଲିସ ଅଧିକାରୀ ପହଞ୍ଚି ତଦନ୍ତ କରିଛନ୍ତି। ସ୍କୁଲ ପରିସରରୁ ଏକ ଛୋଟ ଝିଅ ଏତେ ବାଟ ଚାଲି ଚାଲି ଆସିବା ଏବଂ ପାଣିରେ ବୁଡ଼ିଯିବା ଘଟଣାକୁ ଅନେକ ସହଜରେ ଗ୍ରହଣ କରିପାରୁନାହାଁନ୍ତି। କେହି ଦୁର୍ବୃତ୍ତ ତାଙ୍କୁ ହତ୍ୟା କରି ପାଣିରେ ଫିଙ୍ଗି ଦେଇନାହିଁ ତ? ଏମିତି ଅନେକ ପ୍ରଶ୍ନ ସାଧାରଣରେ ଉଙ୍କି ମାରୁଛି। ତେବେ ପ୍ରାଥମିକ ତଦନ୍ତରୁ ଏହା ଏକ ଦୁର୍ଘଟଣାଜନିତ ବୁଡ଼ି ମୃତ୍ୟୁ ବୋଲି ପୋଲିସ ଅନୁମାନ କରୁଛି। ଘଟଣାର ସତ୍ୟାସତ୍ୟ ଏବଂ ମୃତ୍ୟୁର ପ୍ରକୃତ କାରଣ ଶବ ବ୍ୟବଚ୍ଛେଦ ଏବଂ ଇନକ୍ୱେଷ୍ଟ ରିପୋର୍ଟ ଆସିବା ପରେ ହିଁ ସ୍ପଷ୍ଟ ହେବ ବୋଲି ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି।

Leave A Reply

Your email address will not be published.