ବ୍ରହ୍ମପୁର: ବ୍ରହ୍ମପୁରରେ କ୍ରମାଗତ ଭାବେ କିଛି ଦିନ ହେଲା ସାଇବର ଜନିତ ଘଟଣାରେ ବୃଦ୍ଧି ଦେଖିବାକୁ ମିଳିଛି । ଷ୍ଟେଟ୍ ବ୍ୟାଙ୍କର ୟୋନୋ ଆପକୁ ଅପଟୁଡେଟ୍ କରିବା ବାହାନାରେ ୩.୩୫ ଲକ୍ଷ ଟଙ୍କା ଠକିନେଇଛନ୍ତି ସାଇବର୍ ଠକ । ଏକ ସପ୍ତାହ ମଧ୍ୟରେ ସାଇବର ଠକମାନେ ବ୍ରହ୍ମପୁର ସହରର ୩ ଜଣଙ୍କ ଠାରୁ ପାଖାପାଖି ୮ ଲକ୍ଷ ଟଙ୍କା ନେଇଗଲେଣି ।
ବ୍ରହ୍ମପୁର ସଦରଥାନା ଶକ୍ତିନଗର ତୃତୀୟ ଲାଇନର ରବିନାରାୟଣ ପଟ୍ଟନାୟକଙ୍କ ମୋବାଇଲକୁ ଗତ କିଛି ଦିନ ପୂର୍ବେ ଏକ ମେସେଜ୍ ଆସିଥିଲା । ‘ଆଜି ଆପଣଙ୍କ ଷ୍ଟେଟବ୍ୟାଙ୍କ ୟୋନା ଆକାଉଣ୍ଟ ବ୍ଲକ ହୋଇଯିବ, ତେଣୁ ପାନକାର୍ଡ ଅପଡେଟ କରନ୍ତୁ, ଧନ୍ୟବାଦ ଏସବିଆଇ ୟୋନୋ’ ବୋଲି ଉକ୍ତ ମେସେଜ୍ରେ ଲେଖା ହୋଇଥିଲା । ମେସେଜ୍ ପାଇବା ପରେ ରବି ଭୟଭୀତ ହୋଇ ଯାଇଥିଲେ । କାରଣ ତାଙ୍କ ଆକାଉଣ୍ଟରେ ଲକ୍ଷାଧିକ ଟଙ୍କା ଜମା ରହିଥିଲା । ଆକାଉଣ୍ଟ ବନ୍ଦ ହେଲେ ଟଙ୍କା ଦେଣନେଣ ପ୍ରଭାବିତ ହେବ ବୋଲି ସେ ଆଶଙ୍କା ପ୍ରକାଶ କରିଥିଲେ । ମେସେଜ୍ ତଳେ ୟୋନୋ ଏସ୍ବିଆଇ ଲେଖା ହୋଇଥିବା ଯୋଗୁ ସେ ବିଶ୍ୱାସ କରିଥିଲେ । ମେସେଜ୍ ସହ ଆସିଥିବା ଲିଙ୍କକୁ କ୍ଳିକ୍ କରି ଦେଇଥିଲେ । ଲିଙ୍କରେ କ୍ଲିକ କରିବା ପରେ ତାଙ୍କ ମୋବାଇଲରେ ୟୋନୋ ଆପ ଭଳି ଏକ ପେଜ୍ ଖୋଲିଥିଲା । ସେଥିରେ ପାନକାର୍ଡ ଅପଡେଟ କରିବା ପୂର୍ବରୁ ରବୀନ୍ଦ୍ର ନିଜ ୟୋନା ଆକାଉଣ୍ଟର ୟୁଜର ନେମ୍ ଓ ପାସୱାର୍ଡ ଦେଇଥିଲେ ।
ଏହାପରେ ଆଉ ଏକ ପେଜ ଖୋଲିବା ସହ ସେଥିରେ ପାନକାର୍ଡ ନମ୍ବର, ଜନ୍ମ ତାରିଖ ଦାଖଲ କରିବାକୁ କୁହା ଯାଇଥିଲା । ରବିଙ୍କ ମୋବାଇଲ ନମ୍ବରକୁ ଦୁଇଟି ଓଟିପି ଆସିଥିଲା । ଉଭୟ ଓଟିପି ନମ୍ବର ଦାଖଲ କରିବା ପରେ ତାଙ୍କ ଷ୍ଟେଟବ୍ୟାଙ୍କ ଆକାଉଣ୍ଟରୁ ପ୍ରଥମେ ୩ ଲକ୍ଷ ଟଙ୍କା ଏବଂ ପରେ ୨୪ ହଜାର ୯୯୯ ଟଙ୍କା କଟି ଯାଇଥିଲା । ଆକାଉଣ୍ଟରୁ ଟଙ୍କା କଟିବା ପରେ ରବି ତୁରନ୍ତ ନିକଟସ୍ଥ ଷ୍ଟେଟବ୍ୟାଙ୍କ ଶାଖାକୁ ଯୋଗାଯୋଗ କରିବା ସହ ଆକାଉଣ୍ଟ ବ୍ଲକ କରିବାକୁ ନିବେଦନ କରିଥିଲେ । ନିଜ ଆକାଉଣ୍ଟର ଷ୍ଟେଟମେଣ୍ଟ ବାହାର କରିବା ପରେ ମୋଟ ୩ ଲକ୍ଷ ୨୪ ହାଜର ୯୯୯ ଟଙ୍କା କଟିଯାଇଥିବା ସେ ଜାଣିଥିଲେ । ରବି ଶନିବାର ଏନେଇ ବ୍ରହ୍ମପୁର ସାଇବର ଅପରାଧ ଓ ଅର୍ଥନୈତିକ ଅପରାଧ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ତାଙ୍କ ଅଭିଯୋଗକୁ ଭିତ୍ତି କରି ସାଇବର ଥାନାରେ କେସ ନଂ ୨୬/୨୨ରେ ଏକ ମାମଲା ରୁଜୁ ହୋଇଛି ।
ସୂଚନାଯୋଗ୍ୟ, ଗତ ୨୬ ତାରିଖରେ ବ୍ରହ୍ମାନଗର ପ୍ରଥମ ଲାଇନର ବିନୋଦ କୁମାର ପାତ୍ରଙ୍କ ନିକଟକୁ ମଧ୍ୟ ଷ୍ଟେଟବ୍ୟାଙ୍କ ନେଟ୍ ବ୍ୟାଙ୍କିଂ ଆକାଉଣ୍ଟ ବନ୍ଦ ହୋଇଯିବ ବୋଲି ମେସେଜ ଆସିଥିଲା । ବିନୋଦ ସେହି ମେସେଜ ସହ ଆସିଥିବା ଲିଙ୍କରେ କ୍ଲିକ କରି ପାନକାର୍ଡ ଅପଡେଟ କରିବା ପରେ ଓଟିପି ଆସିଥିଲା । ଆଉ ସେ ଓଟିପି ଦାଖଲ କରିବା ପରେ ସାଇବର ଠକମାନେ ତାଙ୍କ ଆକାଉଣ୍ଟରୁ ୯୭ ହଜାର ୮୫୦ ଟଙ୍କା ଲୁଟି ନେଇଥିଲେ । ଏହାପୂର୍ବରୁ ୨୧ ତାରିଖରେ ଦୁର୍ଗାପ୍ରସାଦ ଦେଶୀ ବେହେରାଙ୍କ ନିକଟକୁ ମଧ୍ୟ ସମାନ ଧରଣର ମେସେଜ ଆସିଥିଲା । ଆଉ ସେହି ମେସେଜ ସହ ଆସିଥିବା ଲିଙ୍କରେ କ୍ଲିକ କରି ପାନକାର୍ଡ ଅପେଡେଟ କରି ଓଟିପି ଦାଖଲ କରିବା ପରେ ତାଙ୍କ ଷ୍ଟେଟବ୍ୟାଙ୍କ ଆକାଉଣ୍ଟରୁ ୩ ଲକ୍ଷ ୨୫ ହଜାର ଟଙ୍କା ଲୁଟି ନେଇଥିଲେ ସାଇବର ଠକ । ସେହି କ୍ରମରେ ଏହି ୭ ଦିନ ଭିତରେ ସାଇବର ଠକମାନେ ଉପରୋକ୍ତ ୩ ଜଣଙ୍କ ଠାରୁ ୮ ଲକ୍ଷ ଟଙ୍କା ନେଇ ଯାଇଛନ୍ତି । ଏହି ୩ଟି ଘଟଣା ସାଇବର ଥାନାରେ ପହଞ୍ଚିଥିଲେ ମଧ୍ୟ ପୋଲିସ ସାଇବର ଠକଙ୍କ ଠିକଣା ଠାବ କରିପାରି ନଥିବା ଜଣାପଡ଼ିଛି ।
Comments are closed.