ଭୁବନେଶ୍ୱର: ଆନ୍ଧ୍ରପ୍ରଦେଶ ଉପକୂଳରେ ପ୍ରବଳ ବର୍ଷା ଏବଂ ଜୋରଦାର ପବନ ପରେ ବାତ୍ୟା ‘ଅର୍ଣ୍ଣବ’ ଦୁର୍ବଳ ହୋଇ ଏକ ‘ଗଭୀର ଅବପାତ’ରେ ପରିଣତ ହୋଇଛି। ରାଜ୍ୟ ସରକାର ବାତ୍ୟା ପ୍ରଭାବିତ ପରିବାର ଏବଂ ବ୍ୟବସାୟୀମାନଙ୍କ ପାଇଁ ଆର୍ଥିକ ସହାୟତା ମଧ୍ୟ ଘୋଷଣା କରିଛନ୍ତି।
ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ, ଏହି ବାତ୍ୟା ମାଲକାନଗିରି ଠାରୁ ୬୦ କିମି ଦକ୍ଷିଣରେ କେନ୍ଦ୍ରୀଭୂତ ହେଉଥିବା ବେଳେ ଘଣ୍ଟାକୁ ୧୫ କିମି ବେଗରେ ଉତ୍ତରକୁ ବଢୁଛି ‘ଅର୍ଣ୍ଣବ’। ସନ୍ଧ୍ୟା ସୁଦ୍ଧା ସ୍ପଷ୍ଟ ଚିହ୍ନିତ ଲଘୁଚାପରେ ପରିଣତ ହେବାର ସମ୍ଭାବନା ରହିଛି।
ଆଗାମୀ ୪୮ ଘଣ୍ଟା ମଧ୍ୟରେ ଏହା ଉତ୍ତର-ଉତ୍ତରପଶ୍ଚିମ ଦିଗକୁ ଗତି ଜାରି ରଖିବା ସହ କ୍ରମଶଃ ଦୁର୍ବଳ ହେବାର ସମ୍ଭାବନା ରହିଛି। ପାଣିପାଗ କେନ୍ଦ୍ର ପକ୍ଷରୁ ଆଗାମୀ ତିନି ଘଣ୍ଟା ମଧ୍ୟରେ ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲମ୍, ଏଲୁରୁ, କୋନାସୀମା, ପୂର୍ବ ଗୋଦାବରୀ, ପଶ୍ଚିମ ଗୋଦାବରୀ, ଏନଟିଆର୍ ଏବଂ ଗୁଣ୍ଟୁର ସମେତ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ହେବାର ପୂର୍ବାନୁମାନ କରାଯାଇଛି। ଏହା ସହିତ ଘଣ୍ଟା ପ୍ରତି ୫୦ରୁ ୬୦ କିଲୋମିଟର ବେଗରେ ପବନ ବହିବାର ମଧ୍ୟ ସମ୍ଭାବନା ରହିଛି। ଗତ ୧୨ ଘଣ୍ଟା ମଧ୍ୟରେ ବିଶାଖାପାଟଣାରେ ୨୧ ସେଣ୍ଟିମିଟର ବର୍ଷା ରେକର୍ଡ କରାଯାଇଥିବା ବେଳେ ବିଜୟନଗରମ୍ ଏବଂ ଶ୍ରୀକାକୁଲମ୍ ଜିଲ୍ଲାରେ ୧୪ ସେଣ୍ଟିମିଟର ଲେଖାଏଁ ବର୍ଷା ହୋଇଛି।
ଅନ୍ୟପକ୍ଷରେ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଯେ, ବାତ୍ୟାରେ ଆଂଶିକ କ୍ଷତିଗ୍ରସ୍ତ ହୋଇଥିବା ଘରଗୁଡ଼ିକ ପାଇଁ ୧୦,୦୦୦ ଟଙ୍କା ଏବଂ ପ୍ରଭାବିତ ଦୋକାନଗୁଡ଼ିକ ପାଇଁ ୨୫,୦୦୦ ଟଙ୍କାର ସହାୟତା ପ୍ରଦାନ କରାଯିବ। ଏପରିକି ସେମାନଙ୍କୁ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଇ ଦିଆଯାଉ।

